-
ଶେଷ ଉତ୍ତରଦାୟିତ୍ୱକୁ ଭୁଲିନଥିଲା ଓଡିଶା ମୋ ପରିବାର
-
ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ନେବାକୁ ଯୋଗାଇଦେଲେ ସହାୟତା
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ୪୭ବର୍ଷିୟ ବାସିନ୍ଦା ସୁରଜ କୁମାର ପଦି, ପେଷାରେ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ପରିବାର କହିଲେ ପତ୍ନୀ ଏବଂ ଗୋଟିଏ ପୁଅ । ଅଭାବ ଅନଟନରେ ଥାଇ ମଧ୍ୟ ସେ ତାଙ୍କ ଘରକୁ ସୁରୁଖୁରୁରେ ଚଳାଉଥିଲେ ।
ତାଙ୍କର ହୃଦ୍ ରୋଗ ସମ୍ବନ୍ଧୀୟ କିଛି ସମସ୍ୟା ଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ବିଶାଖାପାଟଣାସ୍ଥିତ କେୟାର ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତ ଡିସେମ୍ବର ମାସରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଗତ ଫେବୃଆରୀ ମାସରେ ତାଙ୍କର ହଠାତ୍ ବ୍ରେନ ହାମୋରେଜ ହୋଇଯିବାରୁ ସେ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ମାର୍ଚ୍ଚ ୧ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାରବର୍ଗ ଅସହାୟ ହୋଇ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ପ୍ରକାଶ ବେହେରାଙ୍କର ସହାୟତା ଲୋଡ଼ିଥିଲେ । ପ୍ରକାଶ କେୟାର ହସ୍ପିଟାଲରେ ପହଞ୍ଚି ରୋଗୀର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିବା ପରେ ଡାକ୍ତର ଶେଷ ଅବସ୍ଥା ଆସିଗଲାଣି ବୋଲି କହିବାରୁ ପରିବାରବର୍ଗ ଅଧର୍ଯ୍ୟ ହୋଇ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ ପ୍ରକାଶଙ୍କୁ ଅନୁରୋଧ କରିଥିଲେ । ପ୍ରକାଶ ସୁରଜଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା କରାଇବା ପାଇଁ ମେଡ଼ିକଭର ହସ୍ପିଟାଲ ସହିତ ସମନ୍ୱୟ ରକ୍ଷା କରି ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦୁର୍ଭାଗ୍ୟବଶତଃ, ସୁରଜ ଗତ ମାର୍ଚ୍ଚ ୧୦ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ନେବା ପାଇଁ ପ୍ରକାଶଙ୍କ ସହାୟତା ଲୋଡ଼ିବା ପରେ ପ୍ରକାଶ ଯାତାୟାତ ବ୍ୟବସ୍ଥା କରିଥିଲେ ।