-
ପ୍ରବଳ ଉତ୍ତାପ ଯୋଗୁଁ ଉଦ୍ଧାରକାର୍ଯ୍ୟ ଧିମା
-
ଉଦ୍ଧାର କାର୍ଯ୍ୟାବେଳେ ଅଗ୍ନିଶମ କର୍ମଚାରି ଅଣନିଶ୍ଵାସି ହୋଇ ଆହତ
ପୁରୀ (ଅନିମେଶ ପଟ୍ଟନାୟକ): ୧୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ଲିଭିନି ନିଆଁ । ଏବେ ବି ବାହାରୁଛି ଧୂଆଁ । ନିଆଁକୁ ଆୟତ୍ତ କରିବାକୁ ଓଡ୍ରାଫ ଟିମ ମଧ୍ୟ ନାକେଦମ । ଅଗ୍ନିଶମ କର୍ମଚାରୀଙ୍କ ଅକ୍ଲାନ୍ତ ସଂଘର୍ଷ ଜାରି ।
ଗତକାଲି ପ୍ରାୟ ସନ୍ଧ୍ୟାରେ ଲାଗିଥିଲା ନିଆଁ । ଶ୍ରୀମନ୍ଦିର ଠାରୁ ୫୦୦ ମିଟର ଦୂରରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଅକ୍ଲାନ୍ତ ପରିଶ୍ରମ ଜାରି ରହିଛି । ତଥାପି ଥମୁନି ନିଆଁ । ପୁରା ବିଲ୍ଡିଂରୁ ବାହାରୁଛି ଧୂଆଁ । ଏତେ ମାତ୍ରାରେ ଧୂଆଁରେ ଶ୍ରୀମନ୍ଦିର ଅଞ୍ଚଳ ଧୂଆଁ ମୟ ହୋଇ ଯାଇଛି । ଯଦିଓ କୌଣସି ମୃତାହତ ହୋଇ ନାହାନ୍ତି, ତେବେ ଅତ୍ୟଧିକ ଉତ୍ତାପ ଯୋଗୁଁ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ଭିତରକୁ ଯିବାରେ କଷ୍ଟ ହେଉଥିବା ଜଣାପଡିଛି । ସେପଟେ ହିଟ୍ ଯୋଗୁଁ କିଛି ଦୋକାନର ସଟର ତରଳିବା ସହ କାଚ ଫାଟୁଥିବା ଜଣାପଡିଛି ।
ଅନ୍ୟପଟେ ଅଘଟଣକୁ ଆଖିରେ ରଖି କୋଠାର ଆଖପାଖ ଅଞ୍ଚଳରୁ ଲୋକଙ୍କୁ ହଟାଯାଇଥିବା ଜଣାପଡିଛି । ସୂଚନାଥାଉ କି ଏହି କମ୍ପ୍ଲେକ୍ସରେ ୪୦ରୁ ଊର୍ଦ୍ଧ୍ବ ଦୋକାନ ରହିଛି । ତିନି ମହଲା ଏହି କୋଠାରେ ଲଜବି ରହିଛି । ସର୍ଟସର୍କିଟ ଯୋଗୁଁ ଲୁଗା ଦୋକାନରୁ ନିଆଁ ଲାଗି ପୁରା ବିଲ୍ଡିଂକୁ ବ୍ୟାପିଥିଲା । ହୋଲି କାରଣରୁ ମାର୍କେଟ ବନ୍ଦ ଥିଲା । ତେଣୁ ଜନ ଜୀବନ କ୍ଷୟକ୍ଷତି ହୋଇନାହିଁ । ସମସ୍ତ ପର୍ଯ୍ୟଟକଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ । ଧୂଆଁ ଯୋଗୁ ତିନି ଜଣ ପର୍ଯ୍ୟଟକ ଅଣନିଶ୍ଵାସି ହୋଇପଡିଥିଲେ । ସେମାନଙ୍କୁ ବଡ ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା । ଅହରହ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବାରୁ କିଛି ଅଗ୍ନିଶମ କର୍ମଚାରି ଅଣନିଶ୍ଵାସି ହୋଇ ଆହତ ହୋଇଥିବାର ସୂଚନା ମଧ୍ୟ ରହିଛି ।