ହେଡଲାଇନସ୍:

ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର "ଶତବାର୍ଷିକୀ ଉତ୍ସବ" ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୧୯୧୯ ମସିହାରେ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ବିଦ୍ୟାଳୟ ତଥା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” ସମାରୋହ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ଓ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହାକୁ କଲ୍ୟାଣୀ ଗଜପତି ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମିଳିତ ଭାବେ ଉନ୍ମୋଚନ କରିଥିଲେ।
ପରେ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ନଗର ଭବନ ଠାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୁରାତନ ଛାତ୍ରୀ ସଂସଦର ସଭାପତି ଅଧ୍ୟାପିକା ଶ୍ରୀମତୀ କଳ୍ପନା ବେହେରାଙ୍କ ସଭାପତିତ୍ବରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷା ଓ ମହିଳା ଶସକ୍ତିକରଣ ଦିଗରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ୧୦୪ ବର୍ଷ ପୂର୍ବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବିଦ୍ୟାଳୟ ସ୍ଥାପିତ କରିଥିଲେ ତାହା ଆଜି ବହୁ ଗୁଣରେ ସାର୍ଥକ ହୋଇଛି ।
ଆଜି ନାରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି । ସାଂପ୍ରତିକ ଯୁଗରେ ବାଳିକା ମାନଙ୍କୁ ନୂତନ ଶିକ୍ଷାନୀତି , ବୈଷୟିକ ଶିକ୍ଷା ପ୍ରତି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଇ ଉଚ୍ଚ ଶିକ୍ଷିତ କରାଇବା ସହ ସମାଜ ଓ ଦେଶ ପ୍ରଗତିରେ ସହାୟକ ହେବାକୁ ଦିଗଦର୍ଶନ ଦେବାପାଇଁ ଉପସ୍ଥିତ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ରାୟଗଡ଼ା ସ୍ଥିତ ଡାଏଟ ର ଅବସରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ପାଢ଼ୀ ଏବଂ ସମ୍ମାନୀତ ଅତିଥି ଭାବେ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଶ୍ରୀମତୀ ସ୍ବରାଜ ଲକ୍ଷ୍ମୀ (ବକ୍ସି) ମିଶ୍ର ଓ ପୁରାତନ ଶିକ୍ଷୟତ୍ରୀ ଶ୍ରୀମତୀ ନିର୍ମଳା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ।
ପୁରାତନ ଛାତ୍ରୀ ସଂସଦ ସମ୍ପାଦିକା ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ବିଦ୍ୟାଳୟର ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ "ଶତବାର୍ଷିକୀ ଉତ୍ସବ"ର ସ୍ମରଣିକା ମୁଖ୍ୟଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା। ପରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ଭର୍ଦ୍ଧିତ କରାଯାଇଥିଲା ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଦିବଂଗତ ପୁରାତନ ଛାତ୍ରୀ , ଛାତ୍ରୀ ଓ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଆବାହନ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ରୀ ସଂସଦର ଶ୍ରୀମତୀ ଗୀତାଞ୍ଜଳୀ ଦାସ ଓ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।
ସଭାକାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ ହୋଇଥିଲା।

0
0
0
s2sdefault