ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ଘୁମୁସର ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି
ଭୁବନେଶ୍ୱର :"ଅନ୍ୟ କୌଣସି ନୂଆ ଜିଲ୍ଲା ଦାବୀର କାଗଜପତ୍ର ସରକାରଙ୍କ ପାଖରେ ନାହିଁ ବୋଲି ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଗତ ୨୨.୦୨.୨୦୨୩ ତାରିଖରେ କହିଛନ୍ତି । ତାହାହେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଯଥାକ୍ରମେ ଚିଠି ନଂ.-୫ ତା ୨୫.୦୨.୨୦୨୨ ଓ ଚିଠି ନଂ.-୮ ତା ୧୯.୦୯.୨୦୨୨ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ନଂ-୯ ସେହି ତା ୧୯.୦୯.୨୦୨୨ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଓ ପରିଶେଷରେ ରାଜସ୍ୱ କମିଶନର / ସଚିବ ବୋର୍ଡ଼ ଅଫ ରେଭିନ୍ୟୁ ଓଡ଼ିଶାଙ୍କୁ ଗତ ୦୨.୦୨.୨୦୨୩ ତାରିଖରେ ଆଉ ଏକ ଚିଠି ଘୁମୁସର ଜିଲ୍ଲା ସମ୍ପର୍କରେ ରେଜିଷ୍ଟ୍ରୀ ଡ଼ାକ ଜରିଆରେ ଦିଆଯାଇଥିବା ଚିଠି ସବୁ ଗଲା କୁଆଡ଼େ" ବୋଲି ଘୁମୁସର ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି | କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୁମୁସର ଜିଲ୍ଲା ଗଠନ ଦାବିକୁ ଦୋହରା ଯିବା ସହ ରାଜ୍ୟ ସରକାର ବହୁଦିନର ନ୍ୟାୟୋଚିତ ଦାବିକୁ ପୁରଣ କରିବା ପାଇଁ ଦାବି କରାଯାଇଛି | ରାଜ୍ୟ ସରକାର ଯଦି ଦାବି ଉପରେ ସୁଵିଚାର ନ କରନ୍ତି ତାହେଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି |
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ, ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନ ୧୯୯୩ ସାଲ ଆରମ୍ଭରୁ ଯେତେବେଳେ ବିଜୁବାବୁ ଓଡ଼ିଶାକୁ ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲା କଲେ ସେ ସମୟରୁ ଜନ୍ମ ନେଇଛି । ସେଇ ଆନ୍ଦୋଳନ ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ଗଠନର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଏହି ଜିଲ୍ଲା ଗଠନ ପାଇଁ ଉପଜିଲ୍ଲାପାଳଙ୍କ ସ୍ତରରୁ ଆବଶ୍ୟକ ରିପୋର୍ଟ ମଗାଇଥିଲେ । ଉପଜିଲ୍ଲାପାଳ ମଧ୍ୟ ଏହି ଜିଲ୍ଲା ଗଠନ ସପକ୍ଷରେ ଆବଶ୍ୟକ ଭିତ୍ତିଭୂମି ଦର୍ଶାଇ ଚିଠି ନଂ-୮୦୪୭ ତା ୨୦.୧୨.୨୦୦୬ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦେଇଥିଲେ । ଜିଲ୍ଲାପାଳ ମଧ୍ୟ ଅନୁକୁଳ ମତ ରିପୋର୍ଟ ଆକାରରେ ଚିଠି ନଂ-୩୯୬/ଏସ୍ଏଲ୍ଆର ତା ୦୬.୦୮.୨୦୦୭ ଆର.ଡି.ସି. (ଦକ୍ଷିଣ)ଙ୍କୁ ପ୍ରଦାନ କରିଥିଲେ । ଆର.ଡି.ସି. ମଧ୍ୟ ଜିଲ୍ଲାପାଳଙ୍କ ତଥ୍ୟଭିତ୍ତିକ ରିପୋର୍ଟ ଚିଠି ଆକାରରେ ବୋର୍ଡ଼ ଅଫ ରେଭିନ୍ୟୁଙ୍କୁ ଦେଇଥିଲେ ଯାହାର ଚିଠି ନଂ-ହେଉଛି ଏକ୍ସଏକ୍ସ/୯୭/୦୭ ତା ୨୩.୦୮.୨୦୦୭ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ବାରମ୍ବାର ଜିଠି ଲେଖି ବୋର୍ଡ଼ ଅଫ ରେଭିନ୍ୟୁକୁ ମଧ୍ୟ ରିପୋର୍ଟ ମାଗି ତାଙ୍କର ତତ୍ପରତା ପ୍ରକାଶ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ତତ୍କାଳୀନ ରାଜସ୍ୱ ପର୍ଷଦ କମିଶନର ତଥା ସଚିବ ଶ୍ରୀଯୁକ୍ତ ନାୟକ ଷଣ୍ଢ ପୁରାଇ ପ୍ରତିକୂଳ ମତ ଦେଇ ସରକାରଙ୍କୁ ଚିଠି ନଂ-୧୧୧-୧/୧୦-ଆରଇଭି ତା ୦୫.୦୬.୨୦୧୦ ଲେଖିଲେ ଯେ, ‘ନୂତନ ଘୁମୁସର ଜିଲ୍ଲା ଗଠନର ସୁଯୋଗ ଦେଲେ ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେଉଁଝର ଭଳି ବଡ଼ ଜିଲ୍ଲା ସବୁ ଯାହା ସେତେବେଳକୁ ବିଭକ୍ତ ହୋଇ ନଥିଲା ସେମାନେ ମଧ୍ୟ ନୂଆ ଜିଲ୍ଲା ଦାବି କରିବେ । ଅଯଥା ପ୍ରଶାସନିକ ଅସ୍ଥିରତା ଦେଖାଦେବ ତେଣୁ ବର୍ତ୍ତମାନ ପାଇଁ ଏକାଟିଆ ଏହି ଘୁମୁସର ଜିଲ୍ଲାକୁ ସୃଷ୍ଟି କରିବା ଉଚିତ୍ ହେବନାହିଁ ।’ ସେ ସବୁ ଚିଠିର ଜେରକ୍ସ ନକଲ ଏହା ସହିତ ସଂଲଗ୍ନ କରାଯାଇଛି । ସରକାର ଏପରି ଚିଠି ରାଜସ୍ୱ ପର୍ଷଦଙ୍କ ଠାରୁ ପାଇବା ପରେ ଆମ ଜିଲ୍ଲା ଗଠନ ଆଶା ମଉଳିଗଲା । ସରକାର ଆଉ ଜିଲ୍ଲା ଗଠନ ହେବାକୁ ସୁଯୋଗ ଦେଲେନାହିଁ । କିନ୍ତୁ ପର୍ଷଦଙ୍କ ସେଇ ଚିଠି ଆଧାରରେ ଓ ପଦ୍ମପୁର ଜିଲ୍ଲା ଘୋଷଣା ହେବାକୁ ଯାଉଥିବା ଅବସରରେ ଆମ ଦାବୀ ପୂରଣ ହେବାର ସୁଯୋଗ ଆସିଛି । ଆମ ଆଶା ଉଜ୍ଜିବୀତ ହୋଇଛି । ପର୍ଷଦଙ୍କ ଚିଠି ଆମର ଦାବୀକୁ ପୁରା ଅଗ୍ରାହ୍ୟ କରିନଥିଲେ । ତାଙ୍କ ଚିଠି ଅନୁଧ୍ୟାନ କଲେ ସ୍ପଷ୍ଟ ହେବ ଯେ ସେ ମୁହୂର୍ତ୍ତରେ ଏକୁଟିଆ ଗୋଟଏ ନୂଆ ଜିଲ୍ଲା ଗଠନ ହେଲେ ସେହିଭଳି ଦାବୀ ଅନ୍ୟତ୍ର ଉଠିପାରେ । ଏ ଭିତରେ ଦୀର୍ଘ ୧୨ ବର୍ଷ ବିତିଯାଇଛି । ପଦ୍ମପୁର ଭଳି ଜିଲ୍ଲା ଘୋଷଣା ହେବାକୁ ସରକାରୀସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଅନ୍ୟାନ୍ୟ ନୂଆ ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି । କିନ୍ତୁ ଆମର ସମସ୍ତ ତଥ୍ୟ ୨୦୦୭ ସାଲଠାରୁ ଆସି ସରକାରଙ୍କ ପାଖରେ ମହଜୁଦ ଅଛି । ପର୍ଷଦ ସରକାରଙ୍କୁ ଦେଇଥିବା ଚିଠି ପ୍ରକାରେ ଘୁମୁସର ନୂଆ ଜିଲ୍ଲା ଗଠନର ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଅଗ୍ରାଧିକାର ଭିତ୍ତିରେ ଦୀର୍ଘଦିନର ପ୍ରସ୍ତାବିତ ଜିଲ୍ଲା ଘୋଷଣା କରିବାକୁ ଆମେ ପ୍ରାର୍ଥନା କରୁଛୁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାହାଇଛି |
ଅତୀତରେ ଭଞ୍ଜ ରାଜବଂଶ ଏକ ହଜାରରୁ ଉର୍ଦ୍ଧ୍ୱ ବର୍ଷ ଧରି ଘୁମୁସର ରାଜ୍ୟ ଶାସନ କରି ପ୍ରଜାଙ୍କୁ ସୁଶାନ ଦେବା ସଙ୍ଗେ ସଙ୍ଗେ ଅନେକ କୁଅ, ପୁଷ୍କରିଣୀ, ସଦୃଶ୍ୟ ମନ୍ଦିର ଏପରିକି କାଷ୍ଠରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ବୁଗୁଡ଼ାରେ ଗଢି ଯାଇଛନ୍ତି । ସେହି ଭଞ୍ଜବଂଶର କୃତି ସନ୍ତାନମାନେ ଓଡ଼ିଆ ଭାଷା ସାହିତ୍ୟକୁ ଯେଉଁ ଅବଦାନ କରିଯାଇଛନ୍ତି । ସେଥିପାଇଁ ଓଡ଼ିଆଜାତି ର୍ଗବିତ । ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତା ପାଇଁ ଓଡ଼ିଆ ଆଜି ନିଜକୁ ଓଡ଼ିଆ ଜାତି ବୋଲି ପରିଚୟ ଦେଉଛି । ତାର ଭାଷା ସହିତ ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ହକଦାର ହୋଇଛି । ବଳଭଦ୍ର ଭଞ୍ଜ ଓଡ଼ିଆ କାବ୍ୟ ଜଗତ ପ୍ରଥମ କବି । ଆୟୁର୍ବେଦିକ କ୍ଷେତ୍ରରେ ବେଲଗୁଣ୍ଠାର ପୁଅ ବ୍ରଜବନ୍ଧୁ ତ୍ରିପାଠୀ ବୈଦ୍ୟ ବାଚସ୍ପତି ଉପାଧି ପାଇଁ ଓଡ଼ିଅ।।ର ଚରକ ଭାବେ ଖ୍ୟାତିଲାଭ କରିଛନ୍ତି । ବାଲିପଦରର ଯୋଗୀ ମହାରଣା କାଷ୍ଠର ସୁନ୍ଦର ନାରୀ ମୂର୍ତ୍ତି ତିଆରି କରି ଅତ୍ୟାଚାରୀ କାମୁକ ରାଜାକୁ ଉଚିତ ଶିକ୍ଷା ଦେଇଥିଲା । ବୁଗୁଡ଼ା ମହାରଣା କାଷ୍ଠରେ ଦ୍ୱିତୀୟ କୋଣାର୍କ ନିର୍ମାଣ କରି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି । ବେଲଗୁଣ୍ଠାର ପତ୍ତଳ କାରିଗର ଜୀବନ୍ତ ଭଳି ପତ୍ତଳ ମାଛ ସୃଷ୍ଟି କରି ସାରା ବିଶ୍ୱରେ ସୁନାମ ଆଣିଛି । ଘୁମୁସରର ପାଇକ ପୁଅ ଖୋର୍ଦ୍ଧା ପାଇକ ବିଦ୍ରୋହରେ ଯୋଗଦାନ କରି ନିଜର ପରାକାଷ୍ଠା ଦେଇଛନ୍ତି । ଦୋହରା ବିଶୋୟୀ, ଚକରା ବିଶୋୟୀ, ବ୍ରିଟିଶ ସୈନ୍ୟକୁ ଅସ୍ତବ୍ୟସ୍ତ କରି ଗରିଲା ଯୁଦ୍ଧରେ ସହଜରେ ଘୁମୁସରକୁ ବ୍ରିଟିଶ ହାତରେ ଟେକି ଦେଇନଥିଲେ । ସେହିପରି କୃଷ୍ଣଚନ୍ଦ୍ର ଭଞ୍ଜ (ଦ୍ୱିତୀୟ) ବ୍ରିଟିଶ ସରକାରଙ୍କୁ ଖଜଣା ନଦେଇ ଲଢେଇ କଲେ ଶେଷ ପର୍ଯ୍ୟନ୍ତ ଘୁମୁସର ମାଟିକୁ ପଦାନତ ହେବାକୁ ଦେଇନଥିଲେ ।
ଘୁମୁସର ନୂଆଗାଁ (ଜି. ନୂଆଗାଁ)ର ପୈତୃକ ମାଟିର ବୀର ସନ୍ତାନ ୰ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କୁ ସୁପୁତ୍ର ଶ୍ରୀଯୁକ୍ତ ନବୀନ ବାବୁ ଦୀର୍ଘ ୨୨ବର୍ଷ ଧରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଚାଲିଛନ୍ତି । ଏହି ଅବସରରେ ଆମେ ସୂଚାଇଦେବାକୁ ଚାହୁଛୁ ଯେ, ଘୁମୁସର ଜିଲ୍ଲା ପ୍ରତିଷ୍ଠା ହେଲେ ଘୁମୁସରର ଐତିହ୍ୟ, ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟକୁ ଯଥାର୍ଥରେ ସମ୍ମାନ ଦିଆଯିବ ବୋଲି ୧୯୯୩ରେ ଘୁମୁସର ଜିଲ୍ଲା ଆନ୍ଦୋଳନ ବେଳେ ତତ୍କାଳୀନ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଡ. ଦାମୋଦର ରାଉତ, ମତ୍ସ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର, ପେନସନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ, ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ନାୟକ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧାରୀ ଗମାଙ୍ଗ ମତବ୍ୟକ୍ତ କରିଥିଲେ ।
ପ୍ରକାଶଥାଉକି, ଇତିମଧ୍ୟରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଯଥାକ୍ରମେ ଚିଠି ନଂ.-୫ ତା ୨୫.୦୨.୨୦୨୨ ଓ ଚିଠି ନଂ.-୮ ତା ୧୯.୦୯.୨୦୨୨ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ନଂ-୯ ସେହି ତା ୧୯.୦୯.୨୦୨୨ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଓ ପରିଶେଷରେ ରାଜସ୍ୱ କମିଶନର / ସଚିବ ବୋର୍ଡ଼ ଅଫ ରେଭିନ୍ୟୁ ଓଡ଼ିଶାଙ୍କୁ ଗତ ୦୨.୦୨.୨୦୨୩ ତାରିଖରେ ଆଉ ଏକ ଚିଠି ଘୁମୁସର ଜିଲ୍ଲା ସମ୍ପର୍କରେ ରେଜିଷ୍ଟ୍ରୀ ଡ଼ାକ ଜରିଆରେ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଗତ ୨୨.୦୨.୨୦୨୩ ତାରିଖରେ କହିଛନ୍ତି ଯେ , ତାଙ୍କ ପାଖରେ ଅନ୍ୟ କୌଣସି ନୂଆ ଜିଲ୍ଲା ଦାବୀର କାଗଜପତ୍ର ନାହିଁ । ତାହାହେଲେ ଆମର ଉପରୋକ୍ତ ଚିଠି ସବୁ ଗଲା କୁଆଡ଼େ? ତାହା ଏକ ବିସ୍ମୟର ବିଷୟ ଏହା ଅନୁସନ୍ଧାନ ସାପେକ୍ଷ । ଉପରୋକ୍ତ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ଆମ ଦାବି ପ୍ରତି ଦୃଷ୍ଟିଗୋଚର ନ କରନ୍ତି ତାହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ, ଯୁବ ସମାଜସେବୀ ପ୍ରଶାନ୍ତ କୁମାର ବିଷୋୟୀ, ଘୁମୁସର ସିଭିଲ ସୋସାଇଟି ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ହରେକୃଷ୍ଣ ସାହୁ, ବାଲ୍ମୀକ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଫେସର ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।