ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଜିତ

  • ଶୋକାକୁଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର : ଭୁବନେଶ୍ୱରର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କର ଆଜି ଅପରାହ୍ଣ ୧୨ଟା ୪୩ ମିନିଟ୍ ସମୟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ୭୩ ବର୍ଷ ବୟସରେ ପରଲୋକ ଘଟିଛି । ସେ କର୍କଟ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଦେହାନ୍ତ ପରେ ତାଙ୍କର ପାର୍ଥିବ ଶରୀରକୁ ସେ ରହୁଥିବା ୟୁନିଟ-୨ ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା । ତାଙ୍କର ବିୟୋଗରେ ପରିବାରବର୍ଗଙ୍କ ସମେତ , ସାମ୍ବାଦିକ ଓ ଶୁଭେଚ୍ଛୁ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ପତ୍ନୀ ଶାନ୍ତି ମହାନ୍ତି, ପୁଅ ଆନନ୍ଦ, ଦୁଇ ଝିଅ ଆରୋଶ୍ରୀ ଓ ବାସବଦତ୍ତା ଉପସ୍ଥିତ ଥିଲେ । କଟକ କେଶରପୁର ତାଙ୍କର ନିଜ ଗ୍ରାମ ।

ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ଖବର ପାଇ ବହୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧି ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନକୁ ଯାଇ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ଵର ପଠାଣି ରାଉତ ପ୍ରମୁଖ ସ୍ଵର୍ଗତ ମହାନ୍ତିଙ୍କ ସରକାରୀ ବାସ ଭବନକୁ ଯାଇ ସ୍ୱର୍ଗତ ମହାନ୍ତିଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପ୍ରକାଶ ଥାଉକି, ଜଣେ ଆଗଧାଡିର ସାମ୍ବାଦିକ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ମହାନ୍ତି ଧରିତ୍ରୀ, ଅନୁପମ ଭାରତ, ଓଡିଶା ଭାସ୍କର ଆଦି ସଂବାଦପତ୍ରରେ ବିଭିନ୍ନ ସମୟରେ ମୁଖ୍ୟ ସମ୍ପାଦକ ଓ ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରି ଶେଷ ସମୟ ବେଳକୁ ଅମୃତ ଦୁନିଆ ଖବରକାଗଜରେ କାର୍ଯ୍ୟ କରୁଥିଲେ । ଜଣେ ନିଷ୍ଠାପର ଓ ନିର୍ଭିକ ସାମ୍ବାଦିକ ଭାବେ ସେ ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ଦ୍ଵାରା ପୁରସ୍କୃତ ହୋଇଥିଲେ । ତାଙ୍କର ବହୁ କବିତା, ଗଳ୍ପ ଓ ପ୍ରବନ୍ଧ ବିଭିନ୍ନ ସଂବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ସାହିତ୍ୟ ଓ ସମ୍ବାଦିକତାର ଏକ ସୁନ୍ଦର ସମନ୍ଵୟ ତାଙ୍କ ବ୍ୟକ୍ତିତ୍ଵରେ ଦେଖିବାକୁ ମିଳିଥିଲା । ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଆଶ୍ରିତ ଶ୍ରୀ ମହାନ୍ତି ଜଣେ ସରଳ ଓ ନିରାଡମ୍ବର ବ୍ୟକ୍ତିତ୍ଵ ଥିଲେ । ସେ ଭୁବନେଶ୍ଵର ଖଣ୍ଡଗିରିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଜଣେ ଟ୍ରଷ୍ଟି ରହିଥିଲେ । ତାଙ୍କର ପାର୍ଥିବ ଶରୀରକୁ ବାସଭବନରୁ ଏହି ବିଦ୍ୟାଳୟକୁ ଅଣାଯିବା ସହ ପରେ ପରେ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ଶ୍ରୀ ଆନନ୍ଦ ମହାନ୍ତି ମୁଖାଗ୍ନି ଦେଇଥିଲେ ।

0
0
0
s2sdefault