ହେଡଲାଇନସ୍:

ଝିଅ ପଢ଼ିଲେ ଦେଶ ବଢ଼ିବ : ଉଚ୍ଚଶିକ୍ଷା ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ


ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ ଶନିବାର ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । କାନପୁର ଆଞ୍ଚଳିକ ଡିଗ୍ରୀ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇ କହିଲେ, ଯଦି ତୁମେ ଜଣେ ପୁଅଙ୍କୁ ଶିକ୍ଷିତ କରୁଛ ତେବେ ଜଣେ ବ୍ୟକ୍ତି ଶିକ୍ଷିତ ହେଉଛନ୍ତି । କିନ୍ତୁ ଯଦି ତୁମେ ଜଣେ ଝିଅଙ୍କୁ ଶିକ୍ଷିତ କରୁଛ ତେବେ ପୂରା ଦେଶ ଶିକ୍ଷିତ ହେବ ଆଉ ଆଗକୁ ବଢ଼ିବ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଟକର ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ଜୀବନରେ ଶିକ୍ଷାର ଗୁରୁତ୍ୱକୁ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ କହିଲେ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ତିଆରି । ଏହି କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନେ ଯୋଡ଼ି ହୁଅନ୍ତୁ ବୋଲି ସେ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅର୍ନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ କହିଥିଲେ ।
ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ନୂଆ ଶ୍ରେଣୀଗୃହକୁ ଉଦ୍‌ଘାଟନ କରିଥିଲେ । ଏହା ସହ ଆଉ ଅଧିକ ଶ୍ରେଣୀଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଠଗଡ଼ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଏବଂ ନରସିଂହପୁର ବ୍ଲକ୍‌ର ପଞ୍ଚାୟତସମିତି ଅଧ୍ୟକ୍ଷ ସସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ଅଜୟ କିଶୋର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ କଲେଜ ୟୁନିୟନର ଉପଦେଷ୍ଟା ଅରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଓ ସାହିତ୍ୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନ୍ୟପକ୍ଷରେ, ନରସିଂହପୁର କଲେଜରେ ୩୮ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ, ମୁଖ୍ୟବକ୍ତା ଭାବେ କଟକ ସାଂସଦ ଶ୍ରୀ ମହତାବ, ସ୍ୱତନ୍ତ୍ର ଅତିଥି ଭାବେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ଲାଭ କରିବାକୁ ହେଲେ ନିଜକୁ ଜଣେ ଉଚ୍ଚଶିକ୍ଷିତ ମଣିଷ ହେବାକୁ କହିଥିଲେ । ସେହିପରି ଶ୍ରୀ ଦାସନାୟକ କଲେଜର ଉନ୍ନତି ଦିଗରେ ‘ମୋ କଲେଜ ଅଭିଯାନ’ର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଅଭିଯାନ ମାଧ୍ୟମରେ କିଭଳି ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇପାରିବେ ସେ ବିଷୟରେ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କଲେଜରେ ଏକ ନଲେଜ୍ ଆପ୍ଲିକେସନ୍ ସେଣ୍ଟରର ଉଦ୍‌ଘାଟନ କରିଥିଲେ ।
ଆଠଗଡ଼ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଏବଂ ନରସିଂହପୁର ବ୍ଲକ୍‌ର ପଞ୍ଚାୟତସମିତି ଅଧ୍ୟକ୍ଷ ସସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ କଲେଜର ଅଧ୍ୟକ୍ଷ ଉମାକାନ୍ତ ସାହୁ ସ୍ୱାଗତଭାଷଣ ଦେଇଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କାର୍ତ୍ତିକ ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ । ପାଖାପାଖି ୧୫୦୦ ଛାତ୍ରଛାତ୍ରୀ, ମୋ କଲେଜ ସଂଯୋଜକ ଏବଂ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

0
0
0
s2sdefault