ହେଡଲାଇନସ୍:

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାର୍ଚ୍ଚ ୪ରେ ଭୁବନେଶ୍ୱରରୁ ଆଜମେର ଓ ପୁଷ୍କର ଯାତ୍ରା କରିବ ସ୍ୱତନ୍ତ୍ର ଟ୍ରେନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୀର୍ଥଯାତ୍ରାର ସୁବ୍ୟବସ୍ଥା କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର-ତା-୨୪.୦୨.୨୦୨୩: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା”ରେ ୨୦୧୯-୨୦୨୦ ବର୍ଷପାଇଁ ଗତ ଜାନୁଆରୀ ୨୭ ତାରିଖରେଅନୁଷ୍ଠିତ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଭୁବନେଶ୍ୱରରୁ ପ୍ରୟାଗରାଜ(ବାରାଣସୀ )-ଆଲ୍ଲାହାବାଦକୁସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରାକରିଥିଲେ । ଏହି ତୀର୍ଥଯାତ୍ରାର ସଫଳତା ପରେ ଏବେ୨୦୨୨ -୨୩ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଭୁକ୍ତ ଯୋଜନାରେ ତୀର୍ଥଯାତ୍ରା ଟ୍ରେନ୍ ରାଜସ୍ଥାନର ଆଜମେର ଓ ପୁଷ୍କର ଯିବା ପାଇଁ ପ୍ରସ୍ତୁତି ଜାରି ରହିଛି l ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡାଓ ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଥିବା ୯୭୦ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରା ଟ୍ରେନ ଆଗାମୀ ମାର୍ଚ୍ଚ ୪ତାରିଖରୁ ଭୁବନେଶ୍ୱରରୁ ବାହାରି ଯାତ୍ରା ସମାପ୍ତି ପରେ ମାର୍ଚ୍ଚ ୯ତାରିଖରେ ଫେରିବ l ପୂର୍ବ ନିର୍ଦ୍ଧାରିତ ଅନୁସାରେ ତୀର୍ଥଯାତ୍ରା ଟ୍ରେନରେ ୩୦ଜଣସୁରକ୍ଷା ଅଧିକାରୀ(ଏସ୍କର୍ଟ ଅଫିସର)ଙ୍କ ସହ ମୋଟ୧୦୦୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏହି ସ୍ୱତନ୍ତ୍ର ଟ୍ରେନ ଆଜମେର ଓ ପୁଷ୍କର ଯାତ୍ରାକରିବ ।
ଏହି ତୀର୍ଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ବୁଧବାର ସଂଧ୍ୟାରେ ଏକ ବୈଠକ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ (ସର୍କିଟ ହାଉସ ) ଠାରେ ଜିଲ୍ଲାପାଳ, ଖୋର୍ଦ୍ଧା କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ଥର ଭଳି ଏଥର ମଧ୍ୟ ତୀର୍ଥଯାତ୍ରା ପାଇଁ ମନୋନୀତ ବରିଷ୍ଠ ନାଗରିକମାନେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲାରୁ ଭୁବନେଶ୍ୱର ଆସିବେ ଓ ସେଠାରୁ ଟ୍ରେନ୍ ଯୋଗେ ଆଜମେର ଓ ପୁଷ୍କର ଯାତ୍ରା କରିବେ । ଏଥିପାଇଁ ବସ୍ ବ୍ୟବସ୍ଥା, ଭୁବନେଶ୍ୱରରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା, ଖାଦ୍ୟ ପେୟ ବ୍ୟବସ୍ଥା, ପହଂଚିବା ପରେ ପଂଜୀକରଣ, ସୂଚନା ପ୍ରଦାନ ପାଇଁ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ ବ୍ୟବସ୍ଥା,ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା, ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ଆଦି ସହ ଯାତ୍ରା ସମୟରୁ ଆରମ୍ଭ କରି ଯାତ୍ରାରୁ ଫେରି ଘରେ ପହଁଚିବା ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯିବା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଅଧିକାରୀମାନଙ୍କ ସହିତ ବିଶଦ୍ ଭାବେ ଆଲୋଚନା କରିଥିଲେ । ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବାରୁ ସେମାନଙ୍କର ଅସ୍ଥାୟୀ ରହଣୀ ଓ ଯାତାୟତରେ ଯେପରି କୌଣସି ପ୍ରକାର ତ୍ରୁଟି ନହୁଏ, ସେଥିପ୍ରତି ଯତ୍ନବାନ ହୋଇ ପୂର୍ବପେକ୍ଷା ଆହୁରି ଭଲ ଭାବରେ ଏହି ଯାତ୍ରା ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ଦୀପ୍ତି ରଞ୍ଜନ ସେଠୀ , ଉପଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଆର୍ତ୍ତବନ୍ଧୁ ନାୟକ, ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,ଖୋର୍ଦ୍ଧା ମୀରାବାଈ ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଭୁବନେଶ୍ୱର ଓ ଖୋର୍ଦ୍ଧା ଯଥାକ୍ରମେ ଶ୍ରୀ ପଠାଣି ରାଉତ ଓ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ , ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ବରିଷ୍ଠନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମକୁସଫଳତାର ସହ ଆୟୋଜନ ନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault