ହେଡଲାଇନସ୍:

ବର୍ଦ୍ଧିତ ଜନସଂଖ୍ୟାର ଆବାସିକ ବ୍ୟବସ୍ଥା ପାଇଁ ସହରଗୁଡିକୁ ସ୍ଥାୟୀ ଭିତିଭୂମି ସହିତ ବିକଶିତ କରିବାର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସ

ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୩: ଭବିଷ୍ୟତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ବାସସ୍ଥାନର ବ୍ୟବସ୍ଥା କରିବା ଲାଗି ସ୍ଥାୟୀ ଭିତିଭୂମି ସହିତ ସହରଗୁଡିକୁ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ ଇଣ୍ଡିଆ (ଆଇଟିପିଆଇ) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ । ସମ୍ମିଳନୀର ବିଷୟବସ୍ତୁ ରହିଥିଲା ‘ସ୍ଥାୟୀ ବିକାଶ ଦିଗରେ ସହରାଂଚଳ ଓ ଆଂଚଳିକ ଯୋଜନା ପାଇଁ ଆହ୍ୱାନ’ ।

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଭାରତ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରୟାସ କରୁଥିବା ବେଳେ ଆମେ ଦେଶରେ ବର୍ଦ୍ଧିତ ସହରୀକରଣ ପରିଲକ୍ଷିତ କରିଛୁ । ବହୁସଂଖ୍ୟକ ଯୁବିପୀଢି ଗ୍ରାମାଂଚଳରୁ ସହରର କେନ୍ଦ୍ରକୁ ସ୍ଥାନାନ୍ତର ହେଉଛନ୍ତି ଏବଂ ସହରର ଅନେକ ଲୋକେ ବସ୍ତିରେ ବାସ କରୁଛନ୍ତି ଯାହା ସହରାଂଚଳର ସାର୍ବଜନିନ ସେବା ଓ ଭିତିଭୂମିଗୁଡିକ ପାଇଁ ଅତ୍ୟଧିକ ଚାପ ସୃଷ୍ଟି କରୁଛି । ଅର୍ଥନୈତିକ ଅଭିବୃଦ୍ଧି ସହିତ ଆମକୁ ଆମର ସହର ଓ ଟାଉନ୍‌ଗୁଡିକୁ ସ୍ଥାୟୀ ଭିତିଭୂମି ସହିତ ବିକଶିତ କରିବାକୁ ପଡିବ ଯାହା ଭବିଷ୍ୟତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ବାସସ୍ଥାନ ସୁବିଧା ପ୍ରଦାନ କରିପାରିବ । ଆମ ସରକାର ଅର୍ବାନ୍ ପ୍ଲାନିଙ୍ଗ୍ ସଂସ୍ଥାଗୁଡିକୁ ଅଧିକ ପ୍ରଭାବୀ ଓ ଜନକୈନ୍ଦ୍ରିକ କରିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଏହି ସମ୍ମିଳନୀରୁ ପରାମର୍ଶ ଲୋଡିଥିଲେ ଏବଂ ନିଶ୍ଚିତ କରିଥିଲେ ଯେ, ତାଙ୍କ ସରକାର ଉକ୍ତ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବା ଉପରେ ବିଚାର କରିବ । ଭୁବନେଶ୍ୱରରେ ଦୀର୍ଘ ୨୪ ବର୍ଷ ପରେ ଏହି ତିନି ଦିବସୀୟ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ ।

ଏହି ଅବସରରେ ବିଏମ୍‌ସି ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ‘ଭୁବନେଶ୍ୱରରେ ଉଭୟ ଶିଳ୍ପ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଅଭୃବଦ୍ଧି ପାଇଁ ଚମତ୍କାର ସୁଯୋଗ ରହିଛି । ଭୁବନେଶ୍ୱର ଯୋଜନା ଆଧାରିତ ବିକାଶ ମାର୍ଗରେ ଅଗ୍ରସର ହେଉଛି । ଆମର ସମସ୍ତ କାର୍ଯ୍ୟଗୁଡିକ ସ୍ୱଚ୍ଛ ଓ ସବୁଜ ସହରୀ କନ୍‌ସେପ୍ଟ ଉପରେ ଆଧାରିତ । ଜଳବାୟୁ ପରିବର୍ତନ ଓ ଜନସଂଖ୍ୟା ବୃଦ୍ଧିର ପ୍ରଭାବକୁ ସମ୍ବୋଧିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଆମେ ସ୍ୱଚ୍ଛତା, ପରିମଳ ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାର ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଉଛୁ । ଆମେ ସହରୀ ସୌନ୍ଦର୍ଯ୍ୟକରଣ, ବାୟୁ ପ୍ରଦୂଷଣର ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇ ଭୁବନେଶ୍ୱରକୁ ଏକ ବଂଚିବା ଉପଯୋଗୀ ସହର କରିବା ପାଇଁ ଅଧିକ ଗୁରୁତ୍ୱ ଦେଉଛୁ ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ ଭୁବନେଶ୍ୱର ପୂର୍ବାଂଚଳ ଭାରତର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ସହର ଭାବେ ବିକଶିତ ହେଉଛି । ଏହା ଦେଶର ଏକ ପ୍ରମୁଖ ଆଇଟି ହବ୍‌ରେ ପରିଣତ ହୋଇଛି ଯାହା ଟିସିଏସ୍‌, ଆଇବିଏମ୍‌, ଡିଲଏଟ୍ ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡିକୁ ଆକର୍ଷିତ କରିଛି । ଅନେକ ବଡ ବଡ ହସ୍ପିଟାଲଗୁଡିକ ନିଜର ସେଂଟର ସ୍ଥାପନ କରୁଛନ୍ତି ଏବଂ ସଫଳତାର ସହ ହକି ବିଶ୍ୱକପ୍‌ର ଆୟୋଜନ କରିବା ପରେ ଭୁବନେଶ୍ୱର ଏକ ପ୍ରମୁଖ କ୍ରୀଡା ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି ।’

ଆଇଟିପିଆଇର ଉପାଧ୍ୟକ୍ଷ ଡଃ ଏଲ୍ ପି ପଟ୍ଟନାୟକ ସମ୍ମିଳନୀରେ ସ୍ୱାଗତ ଅଭିଭାଷଣ ଦେଇ କହିଥିଲେ, ‘ ଅର୍ବାନ୍ ପ୍ଲାନିଙ୍ଗର ପ୍ରମୁଖ ଆହ୍ୱାନଗୁଡିକ ହେଉଛି ଜଳ ଓ ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତନ, ବିଦ୍ୟୁତ୍ ଶକ୍ତି ଓ ବର୍ଜ୍ୟବସ୍ତୁ ପରିଚାଳନା । ତେଣୁ ଅର୍ବାନ୍ ପ୍ଲାନିଙ୍ଗ୍ ଏହି ସମସ୍ୟାଗୁଡିକର ମୁକାବିଲା କରିବା ପାଇଁ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ୍ । ସହରୀ ଯୋଜନା ଓ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି ।’
ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ,ଆଇଏଏସ୍ ଜି.ମାଠି ଭାଥାନନ୍‌, ଆଇଟିପିଆଇର ପୂର୍ବତନ ସାଧାରଣ ସଚିବ ଏସ୍ ବି ଖୋଡାଙ୍କର, ଆଇଟିପିଆଇର ଅଧ୍ୟକ୍ଷ ପ୍ରଫେସର ଡଃ ଡି ଏସ୍ ମିଶ୍ରାମ୍‌, ଟାଉନ୍ ପ୍ଲାନିଙ୍ଗ୍‌ର ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର, ଆଇଟିପିଆଇର ଓଆର୍‌ସି, ମେମ୍ବର ଇସି, ଶ୍ରୀ ପି କେ ପଟ୍ଟନାୟକ ଆଦି ସାମିଲ ଥିଲେ ।

0
0
0
s2sdefault