ହେଡଲାଇନସ୍:

ନୟାଗଡ଼ ଜିଲ୍ଲାର ଅନ୍ୟତମ ଆକର୍ଷଣ 'ବରକନ୍ୟା ଝରଣା'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢ଼ା ବୁଢିଆଣୀ ବନ୍ଧ ଠାରୁ ଦକ୍ଷିଣକୁ ଓସ୍ତିଆ ମାଳ ଗ୍ରାମଦେଇ ଗଡଗାଁର ନିହଲପ୍ରସାଦ ନିକଟରେ ପ୍ରାକୃତିକ ଶୋଭାରାଜିରେ ଭରପୂର 'ବରକନ୍ୟା ଝରଣା' ଏବେ ସବୁରି ମନ ମୋହିବାରେ ଲାଗିଛି । ବୁଢ଼ା ବୁଢିଆଣୀ ବନ୍ଧର ଦକ୍ଷିଣ ପାର୍ଶ୍ବ ଠାରୁ ପିଚୁ ରାସ୍ତାରେ ୪କିମି ଗଲେ ପଡ଼େ ନିହଲପ୍ରସାଦ ଗାଁ । ନିହଲପ୍ରସାଦ ଗାଁ ଠାରୁ ସିଧା କଙ୍କ୍ରିଟ ରାସ୍ତାରେ ୨ଶହ ମିଟର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ଗାଡ଼ି ରଖି ବରକନ୍ୟା ଝରଣାକୁ ଯିବାକୁ ପଡ଼େ। ନୟାଗଡ଼ କାହିଁକି ଓଡ଼ିଶାରେ ଏତେ ଝରଣା ରହିଛି,ହେଲେ ବରକନ୍ୟା ଝରଣାକୁ ଦେଖିବା ପରେ ପର୍ଯ୍ୟଟକ ମାନେ ଅତିମାତ୍ରାରେ ତାଜୁବ ହେଉଥିବା ଆଲୋଚନା ହେଉଛି । ନୈସର୍ଗିକ ପ୍ରାକୃତିକ ଶୋଭାରାଜିରେ ଭରପୁର ବରକନ୍ୟା ଝରଣା ଅନନ୍ୟ ଅନୂପମ ବୋଲି କହୁଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରୁ ବଣଭୋଜି କରିବାକୁ ବୁଢ଼ାବୁଢ଼ିଆଣି ଡ୍ୟାମକୁ ବର୍ଷସାରା ଆସୁଥିବା କେତେକ ପର୍ଯ୍ୟଟକମାନେ ଅନାଲୋଚିତ ଓ ପର୍ଯ୍ୟଟକମାନଙ୍କ ଆଢ଼ୁଆଳରେ ଥିବା ଏ ଚିରସ୍ରୋତା ଝରଣା ପର୍ଯ୍ୟଟକମାନଙ୍କ ଖୁସି ମେଣ୍ଟାଇବାରେ ଭରପୁର ମନୋରଞ୍ଜନ ଦେବ ବୋଲି ଆଲୋଚନା ହେଉଛି । ପର୍ଯ୍ୟଟକ ମାନେ 'ବରକନ୍ୟା ଝରଣାରେ ବଣଭୋଜି କରି ପ୍ରାକୃତିକ ପରିବେଶର ଭରପୁର ମଜା ନେଇପାରିବେ। ତେବେ ଏହାର ଆଉ ଏକ ବିଶେଷତ୍ଵ ହେଉଛି ଯେ, ବରକନ୍ୟା ଝରଣାକୁ ପର୍ଯ୍ୟଟକମାନେ ଆସିଲେ ଏକାଥରକେ କାନକଟା ପର୍ବତର ମଥାନରୁ ତଳ ଉପର କରି ୪ଟି ଚିରସ୍ରୋତା ଝରଣା ଦେଖିପାରିବେ। ପାହାଡ଼ର ଉପରିଭାଗରେ କାନଖାଇ,ତା'ତଳକୁ ହଳଶଗଡ଼,ତା'ତଳକୁ ବରକନ୍ୟା ଏବଂ ପାଦଦେଶରେ ରହିଛି ଶିଶୁପୁତ୍ର ଜଳପ୍ରପାତ । ସ୍ଥାନୀୟ ଲୋକମତରୁ ଯାହା ଜଣାପଡ଼େ ପ୍ରାଚୀନ କାଳରେ ବାଣପୁର ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ନୟାଗଡ଼ ଅଞ୍ଚଳରୁ କନ୍ୟାକୁ ନେଇ ଏହି ରାସ୍ତା ଦେଇ ବଡ଼ ପଟୁଆରରେ ଯାଉଥିବା ସମୟରେ ଏହି ସ୍ଥାନରେ ପାହାନ୍ତା ହୋଇଯାଇଥିଲା। ଏବଂ ସେଠାରେ ଥିବା ବନଠାକୁରାଣୀଙ୍କୁ ଔପଚାରିକତା ନଦେଖାଇ ଯାଉଥିବା ବେଳେ କୁକୁଡ଼ା ବୋବେଇବାରୁ ବରକନ୍ୟା ସମେତ ବରଯାତ୍ରୀ ଓ ଢୋଲ ମର୍ଦ୍ଦଳ ସବୁ ପଥର ପାଲଟି ଯାଇଥିଲା । ଅହଲ୍ୟା ପରି ପାଲଟି ଯାଇଥିବା ବରକନ୍ୟା, ବରଯାତ୍ରୀ ଓ ଢୋଲ ମର୍ଦ୍ଦଳ ଏବେବି ସେଠାରେ ପଡ଼ିରହିଥିବା ଦୃଷ୍ଟି ଗୋଚର ହୁଏ । ତେବେ ଉପରୁ ତଳକୁ ମନକୁ ମୋହିଲା ପରି କୁଳୁ କୁଳୁ ନାଦରେ ବହି ଯାଉଥିବା ଝରଣା ପର୍ଯ୍ୟଟକମାନଙ୍କୁ ଏମିତି ଆନମନା କରେ ଯେ ବୈଶାଖରେ ବସନ୍ତର ଭ୍ରମ ସୃଷ୍ଟି କରିବା ସହିତ ଗ୍ରୀଷ୍ମର ଝାଞ୍ଜିରେ ଶୀତଳତା ବିଞ୍ଚିଦିଏ ପର୍ଯ୍ୟଟକ ମାନଙ୍କ ତନୁମନରେ। ଏତେ ପ୍ରାକୁତିକ ପରିବେଶରେ ପୂର୍ଣ୍ଣତା ଥିବା ବରକନ୍ୟା ଝରଣା ବିମୋହିତ କରୁଥିବା ବେଳେ ଏବଂ ଭରପୂର ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ରହିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ଏ ପ୍ରାକୃତିକ ପରିବେଶ ପ୍ରତି ଆଡ ଆଖି ନପଡ଼ିବା ଅନେକ ପର୍ଯ୍ୟଟକଙ୍କୁ ବ୍ୟଥିତ କରିବା ଅଭିଯୋଗ ହୁଏ। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନେଲେ ଏ ଅଞ୍ଚଳ ପ୍ରକୃତି ବିହାରର ଉପଯୁକ୍ତ ସ୍ଥାନ ହେବା ସହ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଭୋବସର,ନେପାଳ,ଓସ୍ତିଆ,ନିହଲପ୍ରସାଦ ବଡ଼ଗାଁ ପରି କେତେକ ଗାଁ ବିକାଶର ଧାରାରେ ସାମିଲ ହୋଇପାରନ୍ତା ।

0
0
0
s2sdefault