ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ)୨୪/୨ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ମାନଙ୍କର ବିଭିନ୍ନ ଦାବି ନେଇ ସିଆଇଟିୟୁ ପକ୍ଷରୁ ଯୋଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମଧ୍ୟାହ୍ନ ଭୋଜନ ଯୋଜନାରେ କାର୍ଯ୍ୟରତ ପାଚିକା-ସହାୟିକା ମାନେ ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ମଧ୍ୟାହ୍ନଭୋଜନ କାର୍ଯ୍ୟ ସୁଚାରୁରୂପେ ତୁଲାଉଛନ୍ତି । ମାସକୁ ୧୦୦ ଟଙ୍କା ପାରିତୋଷିକରେ କାର୍ଯ୍ୟ ଆରମ୍ଭ କରି ଅଦ୍ୟାବଧି ୧୪୦୦ ଟଙ୍କା ହିସାବରେ ୧୦ ମାସର ଭତା ପାଉଛନ୍ତି । ମାତ୍ର ଦୀର୍ଘବର୍ଷ ଧରି କାମ କରିବା ପରେ ମଧ୍ୟ ସେମାନେ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ପିଏଫଇଏସଆଇ ଜୀବନବୀମା ତଥା ସାମାଜିକ ସୁରକ୍ଷା ଯୋଜନା ଠାରୁ ମଧ୍ୟ ବଂଚିତ ରହିଛନ୍ତି । କେରଳ ସରକାର ଦୈନିକ ପାଚିକାଙ୍କୁ ୬୭୫ ଟଙ୍କା ଓ ସହାୟିକାଙ୍କୁ ୬୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ତାମିଲନାଡୁ ସରକାର ଏହି ପାଚିକା-ସହାୟିକା ମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ହରିୟାନା ସରକାର ମାସିକ ୭୦୦୦ଟଙ୍କା ବେତନ ଦେଉଥିବା ବେଳେ ଭାରତର ଅନେକ ରାଜ୍ୟ ଆମ ରାଜ୍ୟ ତୁଳନାରେ ଅଧିକ ବେତନ ସହ ୧୨ ମାସର ବେତନ ପ୍ରଦାନ କରୁଥିବା ସ୍ଥଳେ ଓଡିଶା ସରକାର ପାଚିକା-ସହାୟିକାଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଆବାହକ ଇନ୍ଦ୍ରମଣୀ ବେହେରା କହିଛନ୍ତି । ସ୍ୱଳ୍ପ ବେତନରେ ପାଚିକା-ସହାୟିକା ମାନଙ୍କୁ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ ଆଦି ଜୋରଜବରଦସ୍ତ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଓଡିଶା ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘ ସିଆଇଟିୟୁ କେନ୍ଦୁଝର ଜିଲ୍ଲା ପକ୍ଷରୁ ଯୋଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଦାବି ଗୁଡିକ ମଧ୍ୟରେ ପାଚିକା-ସହାୟିକାଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା ପ୍ରଦାନ କରାଯାଉ,ତାମିଲନାଡୁ ସରକାରଙ୍କ ଭଳି ଶିକ୍ଷା ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ,ବେଆଇନ ଛଟେଇ ବନ୍ଦ କରିବା ସହ ଛଟେଇ ପାଚିକା-ସହାୟିକାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ,ଅବସରକାଳୀନ ବୟସସୀମା ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ଭଳି ୬୨ ବର୍ଷକୁ ବୃଦ୍ଧି କରାଯାଉ,ପାଚିକା-ସହାୟିକାମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା (ପିଏଫଇଏସଆଇ ଜୀବନବୀମା) ଆଦିରେ ଅନ୍ତର୍ଭୁକ୍ତ କରାଯାଉ,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଦେଶ ମୁତାବକ ୨୮ ମାସର ବାକେୟା ଭତା ତୁରନ୍ତ ପ୍ରଦାନ କରାଯାଉ,ବର୍ଷକୁ ଦୁଇଖଣ୍ଡ ଶାଢୀ ସହ ଆଶୁ ଚିକିସôା ବାକ୍ସ ଯୋଗାଇ ଦିଆଯାଉ,ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସରକ ଦରମା ପ୍ରଦାନ କରାଯାଉ,ବେତନ ସହ ମାତୃତ୍ୱକାଳୀନ ଛୁଟି ପ୍ରଦାନ,ମଧ୍ୟାହ୍ନଭୋଜନ ଘରୋଇକରଣ ବନ୍ଦ କରାଯାଉ,ଅବସର ପରେ ମାସିକ ୧୦ ହଜାର ଟଙ୍କା ପେନସନ ବ୍ୟବସ୍ଥା,ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରୁ ନିବୃତ୍ତ ରଖିବା,ଖାଲିପଡିଥିବା ପାଚିକା-ସହାୟିକା ପଦବୀରେ ତୁରନ୍ତ ନିଯୁକ୍ତି ଭଳି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଯୋଡା ଗେଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ଜରିଆରେ ୧୩ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
ରାଜ୍ୟ
ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ମାନଙ୍କର ବିଭିନ୍ନ ଦାବି ନେଇ ଯୋଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
- Hits: 264