ହେଡଲାଇନସ୍:

‘ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଓ ପ୍ରତିରୋଧ’ ଜାତୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଓ ପ୍ରତିରୋଧ ସଂପର୍କିତ ଦିନିକିଆ ଜାତୀୟ କର୍ମଶାଳା କୃଷିଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ), ଜାତୀୟ ବିପର୍ଯ୍ୟାୟ ପରିଚାଳନା ଅନୁଷ୍ଠାନ (ଏନ୍‌ଆଇଡ଼ିଏମ୍‌ଏ), ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଡିଏମ୍‌ଏ, ଏନ୍‌ଆଇଡିଏ, ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି, ଶିକ୍ଷାବିତ୍‌, ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ୟୁଏନ୍‌ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଯୋଗଦେଇ ଏନ୍‌ଆଇଡିଏମ୍‌ର ପ୍ରଫେସର ଡ. ସୂର୍ଯ୍ୟ ପ୍ରକାଶ ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଲେ ଯେ ଅଂଶଗ୍ରହଣକାରୀମାନେ ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ସଂପର୍କରେ ନିଜ ନିଜର ମତ ଉପସ୍ଥାପନ ସହ ଅଭିଜ୍ଞତା ବାଣ୍ଟିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଜେନା ତାଙ୍କର ଅଭିଭାଷଣରେ ବିପର୍ଯ୍ୟୟ ପରିଚାଳନା ଆଜି ସମସ୍ତଙ୍କ ପାଇଁ ଆହ୍ୱାନ ପାଲଟିଛି ବୋଲି କହିଥିଲେ । ସେ ତାଙ୍କର ଅଭିଜ୍ଞତା ଓ ଅନୁଭୂତିକୁ ପ୍ରକାଶ କରି କହିଲେ ଯେ ବିଭିନ୍ନ ରାଜ୍ୟର କାର୍ଯ୍ୟକୌଶଳକୁ ଆମେ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ । କେତେକ ରାଜ୍ୟ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । ଆମକୁ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଗୋଷ୍ଠୀସ୍ତରରେ ବିପର୍ଯ୍ୟୟ ପରିଚାଳନା ତାଲିମ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ଯାଇଁ ଆମେ ତଳୁ ଉପର ସ୍ତର ପାଇଁ ପ୍ରସ୍ତୁତ ହୋଇପାରିବା ।
ଏହି ଅବସରରେ ଏନ୍‌ଡିଏମ୍‌ଏର ଯୁଗ୍ମ ସଚିବ ଶ୍ରୀ ହର୍ଷ ଗୁପ୍ତା ଉପସ୍ଥିତ ରହି ଯୋଜନା ପ୍ରସ୍ତୁତି ସ୍ତରକୁ ଉନ୍ନତ କରି ଆମକୁ ବିପର୍ଯ୍ୟୟ ପରିଚାଳନା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ । ମୌଳିକ ଦିଗଗୁଡ଼ିକୁ ଲକ୍ଷ୍ୟ ଦେଇ ଅଭିଜ୍ଞତାର ଶିକ୍ଷାକୁ କାର୍ଯ୍ୟରେ ଲଗାଇବାକୁ ହେବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏନ୍‌ଡିଏମ୍‌ଏର ଅତିରିକ୍ତ ସଚିବ ଶ୍ରୀ ଆଲୋକ ସମାଜର ସମସ୍ତ ସ୍ତରରେ ସମସ୍ତ ଗୋଷ୍ଠୀଗତ ସହଭାଗିତା ଦ୍ୱାରା ବିପର୍ଯ୍ୟୟ ପରିଚାଳନା ସହଜ ହୋଇପାରିବ ଏ କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞମାନଙ୍କର ମତକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇପାରିବ ।
ଏଠାରେ ସୂଚନାଯୋଗ୍ୟ ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶ ମଧ୍ୟରେ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଲାଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଏକ ଆଗୁଆ ରାଜ୍ୟରେ ପରିଗଣିତ ହୋଇପାରିଛି ।
ପରିବେଶରେ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ହାର ବୃଦ୍ଧି ପାଉଛି । ଭାରତର ୮୦୪୧ କିମି ଉପକୂଳବର୍ତ୍ତୀ ଅଞ୍ଚଳ ଏବେ ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳ ପତ୍ତନ ବୃଦ୍ଧି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି । ୧୯୯୯ର ମହାବାତ୍ୟା, ୨୦୦୪ର ସୁନାମି, ୨୦୦୧ର ଭୂଜଠାରେ ସଂଘଟିତ ଭୂମିକମ୍ପ, ବିପର୍ଯ୍ୟୟ ପରିଚାଳନାକୁ ନୂଆ ଦିଶା ଦେଖାଇଛି । ଏବେ ରିଲିଫ୍‌ ବଣ୍ଟନଠାରୁ ଆରମ୍ଭ କରି ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଆଜି ସମସ୍ତଙ୍କ ପାଇଁ ଆହ୍ୱାନ ।
କାର୍ଯ୍ୟକ୍ରମ ଶେଷରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault