ଭୁବନ/ଅବିନାଶ ସାଥୁଆ ମହାପାତ୍ର: ବେଆଇନ ଭାବେ ଖଣିଜ ସମ୍ପଦ ଚୋରା ଚାଲାଣ ପାଇଁ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି ନିର୍ମାଣ ହେଉଛି ରାସ୍ତା । ଖୋଦ ଖଣି ମନ୍ତ୍ରୀଙ୍କ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ |
ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତର କାନଖାଇ ଗ୍ରାମରେ କିଛି ଗୋଚର ଜମି ଓ ଗ୍ରାମ୍ୟ ଜଙ୍ଗଲ ଜମି ନଷ୍ଟକରି ଏକ ବେଆଇନ ରାସ୍ତା ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି । ଏପରିକି ଏକ ଫଳକ ଲଗାଇ ମନରେଗା ଯୋଜନାରେ ସରକାରୀ ଅନୁଦାନ ହଡ଼ପ କରିବା ପାଇଁ ଯୋଜନା ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୀମାନ୍ତରେ କ୍ରୋମ ସାଗର ନାମକ ଏକ କ୍ରୋମାଇଟ ୱାଶିଂ ପ୍ଲାଣ୍ଟ ରହିଛି | ଏହା ଢେ଼ଙ୍କାନାଳ ଜିଲ୍ଲା ସୀମାନ୍ତକୁ ଲାଗି ରହିଛି । ଯାଜପୁର ଜିଲ୍ଲାର କାଳିଆପାଣି ଖଣି ଅଞ୍ଚଳରୁ ଏହି କ୍ରୋମ ସାଗର ପ୍ଲାଣ୍ଟ କୁ ଦୈନିକ ଶହଶହ କ୍ରୋମାଇଟ ବୋଝେଇ ଟ୍ରକ ଆସୁଛି । ହେଲେ ଏହି ଟ୍ରକ ଗୁଡିକ କେବଳ ଯାଜପୁର ଜିଲ୍ଲା ମଙ୍ଗଳପୁର ରାସ୍ତାରେ ଯାତାୟତ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି | କିନ୍ତୁ ଏହି ଗାଡି ଗୁଡିକ କାହା ସାହସ ଓ ନିର୍ଦ୍ଦେଶରେ ଅନୁମତି ମିଳିଥିବା ରାସ୍ତାରେ ନଯାଇ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିଵୋ ପଞ୍ଚାୟତର କାନଖାଇ ରାସ୍ତାରେ ଯାତାୟାତ କରୁଛି ତାହା ଏବେ ସନ୍ଦେହରେ । ଏଠାରେ ମନେ ପକାଇ ଦେଇପାରୁ, ବିଗତ ଦିନରେ ମଧ୍ୟ ଗ୍ରାମବାସୀ ମାନେ ଗ୍ରାମ୍ୟ ରାସ୍ତାରେ ଭାରିଯାନ ଗାଡି ଗୁଡିକୁ ଯିବାପାଇଁ ବିରୋଧ କରିଥିଲେ । ଫଳରେ କ୍ରୋମ ସାଗର କମ୍ପାନୀ ସେ ରାସ୍ତା ପରିବର୍ତ୍ତେ ଗ୍ରାମର କିଛି ଗୋଚର ଜମି ଓ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହେଉଛି । ଏହି ରାସ୍ତାର ପାର୍ଶ୍ବରେ ସନ୍ଦେହ ଜନକ ଅବସ୍ଥାରେ ଏକ ଫଳକ ଲଗାଯାଇଥିବା ବେଳେ ସେଥିରେ କିଛି ଲେଖା ହୋଇନଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାକୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ସରକାରୀ ଅନୁଦାନ ହଡ଼ପ କରିବାକୁ ଯୋଜନା ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳେ ।
ଯଦି ଖୋଦ ଖଣି ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ ଭାବେ ଖଣିଜ ସମ୍ପଦ ଚୋରା ଚାଲାଣ ପାଇଁ ରାସ୍ତା ନିର୍ମାଣ ହୋଇପାରିଛି ତାହେଲେ ଅନ୍ୟ ଅଞ୍ଚଳରେ କିପରି ହେଉଥିବ ତାହା ଏଥିରୁ ଅନୁମେୟ । ମନ୍ତ୍ରୀ ଏ ରାସ୍ତା ବିଷୟରେ ଜାଣନ୍ତି ନା ନାହିଁ ?ଯଦି ଜାଣିନାହାନ୍ତି ତେବେ ଏ ବେଆଇନ କାମ ପାଇଁ କିଏସେ ଦାୟୀ , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଣ ? ନା କମ୍ପାନୀ ସ୍ୱାର୍ଥରେ ନେତା ବାବୁଙ୍କ ଜାଣତରେ ହୋଇଛି ଏ ରାସ୍ତା | ନା କମ୍ପାନୀ ଦାଦାଗିରି କରି ନିଜେ ଏ ଗଳାବାଟ ନିର୍ମାଣ କରିଛି ? ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପରି କୌଣସି ରାସ୍ତା ପାଇଁ ପ୍ରସ୍ତାବ ଥିବା ବା ସରକାରୀ ମଞ୍ଜୁରୀ ଥିବା କାହାପାଖେ ସୂଚନା ନାହିଁ |
ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏହି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବା ସହିତ ଲୋକଙ୍କ ଏହିଯୋଗର ସତ୍ୟତା ଅନୁଧ୍ୟାନ କରି ଏହି କାର୍ଯ୍ୟରେ ନିୟୋଜିତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।