ତ୍ୟାଗ ଓ ସେବା ହିଁ ମଣିଷ କୁ ମହାନ୍ କରେ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଉତ୍କଳମଣିଙ୍କ ଜନ୍ମପୀଠର ରୂପାନ୍ତରିତ ସ୍ୱରୂପ

  • ଅନାବରଣ ହେଲା ୧୫ ଫୁଟ ଉଚ୍ଚ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ

  • ଶିବ ମନ୍ଦିର, ସଂଗ୍ରାହାଳୟ, ଶିଶୁ ପାର୍କ, ପରିକ୍ରମା ରାସ୍ତା ସହ ରହିଛି ସୂଚନା କେନ୍ଦ୍ର

  • ସୁଆଣ୍ଡୋରୁ ଆରମ୍ଭ ହେଲା ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ

  • ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର କରାଯିବ


ସୁଆଣ୍ଡୋ: ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ବଦଳିଛି ଚେହେରା, ହୋଇଛି କାୟାକଳ୍ପ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠର ପରିବର୍ତ୍ତିତ ସ୍ୱରୂପର ହୋଇଛି ଲୋକାର୍ପଣ |। ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ ।
ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି । ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ - ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଶ୍ରୀ ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । ଏହାସହିତ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ଉମାକାନ୍ତ ସାମସ୍ତରାୟ ସମାଜ ଖବରକାଗଜ ପକ୍ଷରୁ ଶ୍ରୀ ନିରଞ୍ଜନ ରଥ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 5T ଉପକ୍ରମ ରେ ଉତ୍କଳମଣି ଙ୍କ ଜନ୍ମସ୍ଥାନ ର ରୂପାନ୍ତରରେ ପୁରୀର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂହଙ୍କ ଉଦ୍ୟମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ | ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault