‘ଛାତ୍ରଛାତ୍ରୀଙ୍କୁ ଆତ୍ମ ନିର୍ଭରଶୀଳ କରିବ ଧନ୍ଦାମୂଳକ ଶିକ୍ଷା’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍‌ଯାପିତ

‘୨୦୩୬ ମସିହାରେ ସବୁ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କର’: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା କୃଷି ଭବନ , ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦୁଇଦିନିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଦ୍ୱିିତୀୟ ଦିବସ ପ୍ରାରମ୍ଭରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ହୃଦୟରେ ସ୍ଥାନ ସୃଷ୍ଟି କଲା ଭଳି କାର୍ଯ୍ୟ କରିବା ପାଇଁ ସେ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ଆଗାମୀ ୨୦୩୬ ମସିହାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏହି ଅବରସରରେ ୨୦୨୨ ମସିହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷାରେ ବିଭିନ୍ନ ଟ୍ରେଡରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ଉପରେ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର ଆଲୋକପାତ କରିଥିଲେ ।
ଉଦଯାପନୀ ଉତ୍ସବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ. ସମ୍ପ୍ରତି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ସମ୍ବନ୍ଧୀୟ ସ୍ଥିତି ବିଷୟରେ ଅଧ୍ୟକ୍ଷମାନଙ୍କୁ ପଚାରି ବୁଝିଥିଲେ ଓ ଏହି ଅନୁଷ୍ଠାନଗୁଡ଼ିକର ବିଦ୍ୟାର୍ଥୀମାନଙ୍କର ଏକ ଡାଟାବେସ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ, ଯାହା କି ଭବିଷ୍ୟତ ନୀତି ନିର୍ଦ୍ଧାରଣରେ ସହାୟକ ହେବ । ଜର୍ମାନୀ ଓ ସିଙ୍ଗାପୁର ପରି ଆମଦେଶରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି, ତେଣୁ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ଗୁରୁତ୍ୱ ଆରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଅଧ୍ୟକ୍ଷମାନେ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କଲାପରି ଗୁଣାତ୍ମକ ଶିକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଯୋଗଦେଇ ଯୁକ୍ତ-୨ ପରୀକ୍ଷା ପରିଚାଳନା ଉପରେ ଅଧ୍ୟକ୍ଷମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସଂଗେ ସଂଗେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ିଥିଲେ ।
ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ଗଠନ ଓ କାର୍ଯ୍ୟାବଳୀ, ସମଗ୍ର ଶିକ୍ଷା ଓ ଷ୍ଟାର୍ଷ ମାଧ୍ୟମରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଆସୁଥିବା ଥିବା ବିଭିନ୍ନ ଅନୁଦାନର ସୁବିନିଯୋଗ, ଛାତ୍ରଛାତ୍ରୀଙ୍କ ବୃତ୍ତି ବ୍ୟବସ୍ଥାରେ ସୁପରିଚାଳନା, ମୋ ସ୍କୁଲ ଯୋଜନା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଧ୍ୟକ୍ଷମାନଙ୍କ ଲଗ୍‌ଇନରେ ଉପଲବ୍ଧ ସମସ୍ତ ବୃତ୍ତି ଆବେଦନକୁ ୨୮.୦୨.୨୩ ମଧ୍ୟରେ ତଦାରଖ କରି ସୁପାରିଶ କରିବାକୁ ଅଧ୍ୟକ୍ଷମାନଙ୍କୁ ଶ୍ରୀ ଆୟାର ନିର୍ଦ୍ଦେଶ ଦେଇଥିଲେ ।
ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ କିପରି ସୁଦୃଢ କରାଯାଇ ପାରିବ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ କର୍ମ ସଂସ୍ଥାନରେ ଯୋଗଦେଇ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ଅଧ୍ୟକ୍ଷମାନେ ଧ୍ୟାନ ଦେବା ସଂଗେ ସଂଗେ ୧୭୪ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବିନାସ ଉପରେ ଉପନିର୍ଦ୍ଦେଶକ ପ୍ରଫେସର ତିଳୋତ୍ତମା ସେନାପତି ଆଲୋଚନା କରିଥିଲେ ।
ୟୁନିସେଫ ତରଫରୁ ଯଶୋବନ୍ତ ଶିଙ୍ଘାଲ ଓଡିଶା କ୍ୟାରୀୟର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନିଜର ଦକ୍ଷତା ଓ ରୁଚି ଅନୁଯାୟୀ ବୃତ୍ତି ଚୟନ କରିବେ ଓ ନିଜ ଲକ୍ଷସ୍ଥଳରେ ପହଞ୍ଚି ପାରିବେ ସେ ଦିଗରେ ତାଲିମ ଦେଇଥିଲେ ।
ନିଜ ନିଜର କର୍ମକ୍ଷେତ୍ରରେ ମାନସିକ ଚାପ ନିୟନ୍ତ୍ରଣ ଓ ନେତୃତ୍ୱ ବିକାଶ ସମ୍ପର୍କରେ ବିଶିଷ୍ଟ ମନୋବିଜ୍ଞାନୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଓ ମୁଖ୍ୟ ଉଦୟ ନାଥ ଦାଶ ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ସେମାନେ କିପରି ନିଜର କାର୍ଯ୍ୟରୁ ଆତ୍ମତୃପ୍ତି ଲାଭ କରିବେ ସେ ଦିଗରେ ଆଲୋକପାତ କରିଥିଲେ ।
ଆଜିର ଏହି ଦିନିକିଆ କର୍ମଶାଳାରେ ଶତାଧିକ ଅଧ୍ୟକ୍ଷ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବାବେଳେ ଶିକ୍ଷକମାନେ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ଓ ଭୁବନେଶ୍ୱର ଯଥାକ୍ରମେ ଶ୍ରୀ ବିକାଶ ପ୍ରଧାନ ଓ ଶ୍ରୀ ସଂଗ୍ରାମ ସାହୁ ଯୋଗଦାନ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ନିର୍ଦ୍ଦେଶକ ଡ.ବିଜୟା କୁମାରୀ ପାତ୍ର ପରିଚାଳନା କରିଥିଲେ ।

0
0
0
s2sdefault