-
ଏଫ୍ବିଆଇ ସହାୟତା ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି
ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ରାଜ୍ୟ ବିଜେପି
ନୂଆଦିଲ୍ଲୀ: ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍ବିଆଇର ସହାୟତା ଲୋଡିଥିବାବେଳେ ଏହି ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି ଚଳାଇଛି । ଆଜି ନୂଆଦିଲ୍ଲୀର ବିଜୟଚୌକ ଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗୁଜୁରାଟ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା ନାର୍କୋ-ଆନାଲିସିସ୍ର ସମ୍ମୁଖୀନ ହୋଇଥିଲା ଯାହା ଦେଶରେ ସର୍ବୋତ୍ତମ । ଅଭିଯୁକ୍ତଙ୍କ ଫୋରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ଏବଂ ଲେରେଡ ଭଏସ୍ ଆନାଲିସିସ୍ ଟେଷ୍ଟ ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା ଯାହା ଏକ କେନ୍ଦ୍ରୀୟ ଅନୁଷ୍ଠାନ ଅଟେ । ବର୍ତ୍ତମାନ ଅଭିଯୁକ୍ତର ଆଚରଣ ସଂକ୍ରାନ୍ତରେ ବିଶ୍ଳେଷଣ ପାଇଁ ଆମେରିକାର ଏଫ୍ବିଆଇର ସହାୟତା ଲୋଡାଯାଇଛି । ଏ ସଂକ୍ରାନ୍ତୀୟ ସୁବିଧା ପାଇଁ ଭାରତ ସରକାରଙ୍କୁ ଚିଠି ଲେଖାଯାଇଛି ।
ସେହିଭଳି ଓଡିଶାର ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଯାଞ୍ଚର ତଦାରଖ କରୁଛନ୍ତି । ଏହା ଉଚ୍ଚମାନର ଅନୁସନ୍ଧାନକୁ ସୂଚାଉଛି ଯାହା ସ୍ୱଚ୍ଛତା ବଜାୟ ରଖିବା ପାଇଁ କରାଯାଉଛି । ଓଡ଼ିଶା ବିଜେପି ଏହି ଘଟଣାରେ ତାହାର ହୀନ ଏବଂ ଶସ୍ତା ରାଜନୀତି ଜାରି ରଖିପାରେ କାରଣ ସେମାନେ ଏହି ଭଳି ସମ୍ବେଦନଶୀଳ ଅପରାଧିକ ମାମଲା ଉପରେ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।











