ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବିନ୍ୟାସ ପାଇଁ ଅଧ୍ୟକ୍ଷମାନଙ୍କୁ ମନ୍ତ୍ରଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ କୃଷି ଭବନ ସମ୍ମିଳନୀ କକ୍ଷରେ ଶୁଭାରମ୍ଭ ହୋଇଛି ।
ଏହି ଅବରସରରେ ୨୦୨୨ ମସିହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷାରେ ବିଭିନ୍ନ ଟ୍ରେଡରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ଉପରେ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ପ୍ରତ୍ୟେକ ବିଷୟର ଫଳାଫଳ ନିୟମିତ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଓ ଆଗାମୀ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଓ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଅଧ୍ୟକ୍ଷମାନଙ୍କର କର୍ତ୍ତବ୍ୟ ଉପରେ ପରାମର୍ଶ ଦେଇଥିଲେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଅଧ୍ୟକ୍ଷମାନଙ୍କ ପାଇଁ ଏକ ଆହ୍ୱାନ । ସେମାନେ ବ୍ଲକରେ ଥିବା ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କ ସହ ସମନ୍ୱୟ ରଖି ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ ନାମଲେଖା ଅଭିଯାନ ପାଇଁ ପରାମର୍ଶ ଦିଆଗଲା ।
ଏହି ଅବସରରେ ସମଗ୍ର ଶିକ୍ଷା ଓ ଷ୍ଟାର୍ଷ ମାଧ୍ୟମରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ , ୧୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ପୁନର୍ବିନ୍ୟାସ ଓ ଅନୁଦାନର ସୁବିନିଯୋଗ ଉପରେ ଆଲୋଚନା ହୋଇଥିଲା ।
ଏହାପରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କନିଷ୍ଠ ମେଧାବୃତ୍ତି, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ବିଭିନ୍ନ ପ୍ରତିଯୋଗୀତା ଆୟୋଜନ, ଆଦି ବିବିଧ ପ୍ରସଙ୍ଗରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ବିଶେଷ କରି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକୁ କିପରି ସୁଦୃଢ କରାଯାଇ ପାରିବ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ କର୍ମ ସଂସ୍ଥାନରେ ଯୋଗ ଦେଇ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେ ଦିଗରେ ଅଧ୍ୟକ୍ଷମାନେ ଧ୍ୟାନ ଦେବାକୁ ପରମର୍ଶ ଦିଆଯାଇଥିଲା ।
ୟୁନିସେଫ ତରଫରୁ ଯଶୋବନ୍ତ ଶିଙ୍ଘାଲ ଓଡିଶା କ୍ୟାରୀୟର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନିଜର ଦକ୍ଷତା ଓ ରୁଚି ଅନୁଯାୟୀ ବୃତ୍ତି ଚୟନ କରିବେ ଓ ନିଜ ଲକ୍ଷସ୍ଥଳରେ ପହଞ୍ଚି ପାରିବେ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ ଓ ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ପୋର୍ଟାଲକୁ ଲଗ୍‌ଇନ କରିବେ ସେ ବିଷୟରେ ତାଲିମ ଦେଇଥିଲେ ।
କାର୍ଯ୍ୟକ୍ରମରେ କାନଡା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଓ ମୁଖ୍ୟ ଡ. ଉଦୟନାଥ ଦାଶ ଯୋଗଦେଇ ଅଧ୍ୟକ୍ଷମାନଙ୍କର କର୍ମକ୍ଷେତ୍ରରେ ଉପୁଜୁଥିବା ମାନସିକ ଚାପ ନିୟନ୍ତ୍ରଣ ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ସେମାନେ କିପରି ନିଜର କାର୍ଯ୍ୟରୁ ଆତ୍ମତୃପ୍ତି ଲାଭ କରିବେ ସେ ଦିଗରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ନରହରି ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ଡ. ଯଶୋବନ୍ତ ସାମଲ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ଓ ବ୍ରହ୍ମପୁର, ଓସେପା ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଅଧିକାରୀମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରାଜ୍ୟରେ ଥିବା ମୋଟ ୨୩୧ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଥମ ଦିବସରେ ୧୧୬ ଅଧ୍ୟକ୍ଷ ଅଂଶ ଗ୍ରହଣ କରିଥିବା ବେଳେ ଦ୍ୱିତୀୟ ଦିବସରେ ଅବଶିଷ୍ଟ ୧୧୫ ଜଣ ଅଧ୍ୟକ୍ଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମଶାଳାରେ ଅଧ୍ୟକ୍ଷମାନେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବାବେଳେ ଅନ୍ୟ ଶିକ୍ଷକମାନେ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବାର ବ୍ୟବସ୍ଥା ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ପ୍ରଫେସର ତିଳୋତ୍ତମା ସେନାପତି ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ .ବିଜୟା କୁମାରୀ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ସହ ନିର୍ଦ୍ଦେଶକ ସୁନନ୍ଦା ମେକାପ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault