ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଜକୁ ବଞ୍ଚାଇବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପୁଛନ୍ତି

  • ୨୦୧୭ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଉତ୍ତରାଖଣ୍ଡରେ ଆଶ୍ରୟ ଦେବା ପଛରେ ଥିଲା ଧର୍ମେନ୍ଦ୍ରଙ୍କ ହାତ

  • ୨୦୧୮ ଦିଲେଶ୍ବର ସାହୁ ହତ୍ୟାକାଣ୍ଡରେ ସଂପୃକ୍ତି ଯୋଗୁଁ ଗିରଫ ହୋଇଥିଲେ ଜୟନାରାୟଣ ଓ ଈରାଶିଷ

ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ନାହିଁ ତ? ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ପୂର୍ବରୁ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି ନେତାମାନଙ୍କ ସଂପୃକ୍ତି ପଦାକୁ ଆସିଥିବାରୁ ଆଜି ଏଭଳି ସନ୍ଦେହ ପ୍ରକଟ କରିଛନ୍ତି ବରିଷ୍ଠ ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମଲ୍ଲିକ କହିଛନ୍ତି, ସମସ୍ତେ ଜାଣନ୍ତି ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଜଘନ୍ୟ ହତ୍ୟା ସମେତ ମୋଟ ୧୬ଟି ସଂଗିନ ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ରହିଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ରେ ରହିବା ପରେ ସ୍ବାସ୍ଥ୍ୟ ଖରାପର ଆଳ ଦେଖାଇ ଜାମିନରେ ବାହାରକୁ ଆସିଛନ୍ତି।
ଆମେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୨୦୧୭ମସିହା ସେପ୍ଟେମ୍ବର ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ଏବଂ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟହାଉସରେ ଆଶ୍ରୟ ନେଇଥିଲେ। କଲ୍ ରେକର୍ଡ଼ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତମାନଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ।
ସେହିପରି ୨୦୧୮ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନ ବେଳେ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ବିଧାୟକ ଜୟନାରାୟଣ ମିଶ୍ର ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ଆମର ବିଶ୍ବାସ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସମର୍ଥନରେ ବିଜେପିର ଏହି ବରିଷ୍ଠ ନେତାମାନେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ସମ୍ଭବ ନୁହେଁ।
ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି; ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଂଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ବିଜେପି ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ତେଣୁ ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଚଳିତ ହୋଇ ପଡ଼ିଥିଲେ। ତାଙ୍କ ଭାଷଣରୁ ଏହି ହତାଶା ବାରି ହୋଇ ପଡ଼ୁଥିଲା। ଏପରିକି ସେତେବେଳେ ସେ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ପଛାଇ ନ ଥିଲେ। ଶ୍ରୀ ପ୍ରଧାନ ଏବଂ ବିଜେପି ନେତୃବୃନ୍ଦ ନବ ଦାସଙ୍କୁ ନେଇ ଏତେ ଆତଙ୍କିତ ହେବାର କାରଣ ହେଲା, ପଶ୍ଚିମ ଓଡ଼ିଶାରେ ଶ୍ରୀ ଦାସ ବିଜେଡିର ଯେଉଁ ଶକ୍ତିଶାଳୀ ସଂଗଠନ ତିଆରି କରିଥିଲେ, ତାକୁ ସାମ୍ନା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା।
ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ଆତଙ୍କିତ ହୋଇ ନିଜକୁ ବଞ୍ଚାଇବା ପାଇଁ ସେମାନେ ନାନାପ୍ରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ମାତ୍ର ଆମେ ଜାଣିଛୁ, ଯେତେ ଚେଷ୍ଟା କଲେ ବି ସେମାନେ ଏଥିରୁ ଖସି ପାରିବେ ନାହିଁ। ଉଭୟଙ୍କର ଭୟ ରହୁଛି, କାଳେ ସେମାନଙ୍କର ନାର୍କୋ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ହେଲେ ସେମାନଙ୍କ ସଂପୃକ୍ତି ଜଣାପଡ଼ିଯିବ। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ଅଭିଯୋଗ କରିଛନ୍ତି।

0
0
0
s2sdefault