ନୟାଗଡ଼,: ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ସୂଚନା ଯୋଗ୍ୟ ଯେ ପ୍ରାଥମିକ ଶିକ୍ଷକମାନଙ୍କୁ ଜିଲ୍ଲାସ୍ତରରେ ବିଭିନ୍ନ ବିଷୟ ଭିତ୍ତିକ କର୍ମଶାଳା ଓ ପ୍ରଶିକ୍ଷଣ,କମ୍ପ୍ୟୁଟର ଟ୍ରେନିଂ ତଥା ସହ-ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟ ତଥା କର୍ମଶାଳା ବର୍ଷ ତମାମ ରାଜସୁନାଖଳା ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରଦାନ କରାଯାଉଛି । ତେବେ ନୟାଗଡ଼ ଜିଲ୍ଲାର ସୀମାବର୍ତ୍ତି ନୟାଗଡ ଜିଲ୍ଲା-ଖୋର୍ଦ୍ଧା ଜିଲ୍ଲା ସୀମାରେଖା ନିକଟରେ ଅବସ୍ଥିତ ରାଜସୁନାଖଳାଠାରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ନୟାଗଡ଼ ଜିଳ୍ଲାର ୮ଟି ବ୍ଳକର ବିଭିନ୍ନ ଗ୍ରାମରୁ ଶିକ୍ଷକମାନେ ଏଠାକୁ ପ୍ରଶିକ୍ଷଣ ପାଇଁ ଦୈନିକ ଯିବା ଆସିବା କରିଥାନ୍ତି । ନୟାଗଡ଼ ଜିଳ୍ଲା ସଦର ମହକୁମାଠାରୁ ଏହି ପ୍ରଶିକ୍ଷଣ କେନ୍ଦ୍ରର ଦୂରତା ୨୫କିମି ହୋଇଥିବା ବେଳେ ବାଣିଗୋଚ୍ଛା,ଟାକେରା,ଛାମୁଣ୍ଡିଆ,ଗଣିଆ,ବଡ଼ସିଲିଙ୍ଗା,କଳସଖମଣ,ଓଡ଼ଗାଁ,କୋମଣ୍ଡ,କୁରାଳ,ଭାପୁର ଆଦି ସ୍ଥାନର ଦୂରତା ୫୦ରୁ ୧୦୦ କିମି ଅଟେ । ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ କାର୍ଯ୍ୟ ୨ଦିନରୁ ଆରମ୍ଭ କରି ୭ଦିନ ଏପରିକି ୧୫ଦିନ ପର୍ଯ୍ୟନ୍ତ ମଧ୍ୟ ଚାଳିଥାଏ । ମାତ୍ର ଏଠାରେ ପ୍ରଶିକ୍ଷାର୍ଥି ମାନଙ୍କ ପାଇଁ ରହିବାର କୌଣସି ବ୍ୟବସ୍ଥା ନଥିବା ବେଳେ ସମସ୍ତେ ଦୈନିକ ନିଜ ଅଞ୍ଚଳରୁ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବା ଆସିବା କରିଥାନ୍ତି ।
ତେବେ ଜିଲ୍ଲାର ଦୂରଦୂରାନ୍ତ ତଥା ଦୁର୍ଗମ ଅଞ୍ଚଳରୁ ଦୈନିକ ଆସୁଥିବା ପ୍ରଶିକ୍ଷାର୍ଥି ମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଜିଲ୍ଲାର ଗଣିଆ,ଦଶପଲ୍ଲା,ଓଡ଼ଗାଁ,ନୂଆଗାଁ,ଖଣ୍ଡପଡ଼ା,ଭାପୁର ବ୍ଲକ ଅଞ୍ଚଳରୁ ଆସୁଥିବା ଶିକ୍ଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଏତେ ଦୂରରୁ ଆସୁଥିବାରୁ ପ୍ରଶିକ୍ଷାର୍ଥି ମାନେ ଠିକ ସମୟରେ ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ପାରୁ ନାହାନ୍ତି । ଫଳରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ପାଇଁ ପ୍ରଶିକ୍ଷଣ ବା କର୍ମଶାଳାର ଆୟୋଜନ କରୁଛନ୍ତି ତାହାର ସଫଳ ରୂପାୟନ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଶିକ୍ଷକ ମାନଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଜସୁନାଖୁଳାରୁ ହଟାଇ ଜିଳ୍ଲା ସଦର ମହକୁମା ନୟାଗଡ଼ଠାରେ କରିବାକୁ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଗଠନ,ପରିଚାଳନା କମିଟି ତଥା ଶିକ୍ଷକମାନେ ଜିଳ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି ।