ଭୁବନେଶ୍ୱର:ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଜଣାଶୁଣା କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ଅନ୍ୟ କବିତା ପୁସ୍ତକ ପରି ଏହି ପୁସ୍ତକଟିରେ ମଧ୍ୟ କବିଙ୍କର ଅନନ୍ୟ ପ୍ରତିଭାର ନିଖୁଣ ପରିଚୟ ପରିଲକ୍ଷିତ । ମାନବସମାଜର କଷଣ, ଦାରିଦ୍ର୍ୟର ଉପହାସ ତଥା ଜୀବନର ଜୀବନ୍ତ ଅନୁଭୂତିର ନିଚ୍ଛକ ପ୍ରତିଫଳନ ତଥା ପରିପ୍ରକାଶ କବିଙ୍କ ବୈଶିଷ୍ଟ୍ୟ । କବି ଶ୍ରୀ ମିଶ୍ର ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଭାଷାରେ ‘ଏକ ବଳିଷ୍ଠ କବିକଣ୍ଠ’ ଏବଂ କବିଙ୍କର ପ୍ରାୟ ସମସ୍ତ କବିତା ସକାରାତ୍ମକ ଚିନ୍ତାଧାରାରେ ଉଦ୍ବୁଦ୍ଧ । କବି ସମାଜରେ ଦୃଶ୍ୟମାନ ଅନ୍ୟାୟ ପ୍ରତି ଯେତିକି ସଚେତନ, ତା’ର ଆଶୁ ସମାଧାନ ନିମନ୍ତେ ସେତିକି ଯନିବାନ । କବିତା ମାଧ୍ୟମରେ ସଂଦେଶ ଓ ଧ୍ୱନୀ/ପ୍ରତିଧ୍ୱନୀ ମାଧ୍ୟମରେ ଚେତନାର ଜାଗରଣ ଆଗାମୀ ଓଡ଼ିଆ କବିତାର ପ୍ରବାହକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ । କବିଙ୍କ ମତରେ କବିର ସମାଜ ପ୍ରତି ଉତ୍ତରଦାୟିତ୍ୱ ରହିଛି ଏବଂ ଉତ୍ତରଦାୟିତ୍ୱ ବିନା କବି ସମାଜ ଉପରେ ଏକ ପରାଙ୍ଗପୁଷ୍ଟ ଜୀବ ସଦୃଶ ।
ଏକାଧାରରେ ଲେଖକ, କବି, ଗାୟକ, ସ୍ତମ୍ଭକାର, ଗୀତିକାର ଓ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ମିଶ୍ର ଯୁବପିଢ଼ିର ଆଦର୍ଶ । କହିବା ବାହୁଲ୍ୟ ଯେ ‘ପ୍ରତିଧ୍ୱନୀ’ କବିଙ୍କର ଷୋଡ଼ଶ କବିତା ପୁସ୍ତକ । ଏହି ପୁସ୍ତକଟି ଜନସାଧାରଣଙ୍କ ଦ୍ୱାରା ସବିଶେଷ ଆଦୃତ ହେବ ବୋଲି ପୁସ୍ତକର ପ୍ରକାଶକ ଅପୂର୍ବା ପବ୍ଲିକେସନ୍ (ଭୁବନେଶ୍ୱର)ର କ୍ଷୀରୋଦ ପତି ଏବଂ କବି ଶ୍ରୀ ମିଶ୍ର ବେଶ୍ ଆଶାବାଦୀ ।
ରାଜ୍ୟ
କବି ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ଉନ୍ମୋଚିତ
- Hits: 273