୯ ଅଭିଯୁକ୍ତ ଗିରଫ, ୬ କେଜି ସୁନା ସହ ୪.୩୨ ଲକ୍ଷ ଟଙ୍କା ଜବତ
ଢେଙ୍କାନାଳ/ରିତେଶ ବ୍ରହ୍ମା: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ଗତ ୩ ତାରିଖରେ ହୋଇଥିବା ବଡଧରଣର ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ୍ ୯ ଜଣ ଡକାୟତଙ୍କୁ ଗିରଫ କରିବା ସହ ମାମଲା ଉପରୁ ପରଦା ଉଠାଇଛି । ଗିରଫ ଡକାୟତମାନେ ହେଲେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ଏଫ୍ସିଆଇ ମୁଣ୍ଡାବଜାରର ସଦାମ୍ ଖାନ୍ ଓରଫ୍ ବିଲୁ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଇଲାକା ବିଜତଲା ଗ୍ରାମର ରାମି ଟୁଡୁ ଓରଫ୍ ମୁଣ୍ଡା, ବଅଁରପାଳ ଥାନା ବୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝାଜ୍ରିବାହାଳ ଗ୍ରାମର ନିଳାଦ୍ରୀ ପ୍ରଧାନ ଓରଫ୍ ନିଳ, ବଅଁରପାଳ ଶୁଖୁଆସାହିର ଦିନେଶ ନାଏକ ଓରଫ୍ ଗୁଣ୍ଡୁ, ବଅଁରପାଳ କଲେଜସାହିର ବଳଭଦ୍ର ନାଏକ ଓରଫ୍ ବଳିଆ, ବଅଁରପାଳ ବୃନ୍ଦାବନପୁରର ବସନ୍ତ ଭୋଇ ଏବଂ ତାଙ୍କପତ୍ନୀ ଝରଣା ଭୋଇ, ଠାକୁରଗଡ ଥାନା ଇଲାକା ସାନହୁଲା ଗ୍ରାମର ରଞ୍ଜିତ ନାହକ ଓରଫ୍ କାଳିଆ,ପରଜଙ୍ଗ ଥାନା ଇଲାକା କନ୍ଦରସିଂହା ପଞ୍ଚାୟତ ମାଝିକା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁ ବୋଲି ସୂଚନା ଦିଆଯାଇଛି । ଏହି ବ୍ୟାଙ୍କରୁ ୯ କେଜିରୁ ଉର୍ଧ୍ଵ ସୁନାଗହଣା ସମେତ ନଗଦ ୬ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ ହୋଇଥିଲା । ହେଲେ ପୁଲିସ୍ ସେମାନଙ୍କଠାରୁ ୬ କେଜି ୧୨୦ ଗ୍ରାମ୍ ସୁନା ସହ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଉଦ୍ଧାର କରିଛି । ଲୁଟ୍ରେ ବ୍ୟବହୃତ ଏକ ବୋଲେରୋ, ୪ ବାଇକ୍, ୩ଟି ବନ୍ଧୁକ, ୧୧ ରାଉଣ୍ଡ୍ ଗୁଳି, ୨୬ଟି ମୋବାଇଲ୍ ଫୋନ୍, ୨ଟି ପଞ୍ଚିଙ୍ଗ୍ ମେସିନ୍, ୩ଟି କଟୁରୀ, ୩ ବନ୍ଧୁକ ଜବତ କରାଯାଇଛି । ଏମାନଙ୍କର ପରଜଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ଶାଖା ସମ୍ମୁଖରୁ ହୋଇଥିବା ୧୫ ଲକ୍ଷ ଲୁଟ୍ ସମେତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଲୁଟ୍, ଡକାୟତି ମାମଲାରେ ସଂପୃକ୍ତି ରହିଥିବା ବୋଲି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଢେଙ୍କାନାଳ ପୁଲିସ୍ ମୁଖ୍ୟାଳୟରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ ଏବଂ ଭବାନୀ ଶଙ୍କର ଉଦ୍ଗାତା, ସଦର ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, କାମାକ୍ଷାନଗର ଏସ୍ଡିପିଓ ରଞ୍ଜନ କୁମାର ଦେଙ୍କ ସମେତ ବହୁ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।