"ବଡ ମଣିଷ ନୁହେଁ, ଭଲ ମଣିଷ ହେବା"
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁମ୍ଭିଆପଲ୍ଲୀ ପିମିଟ ଆବାସିକ କଲେଜ ପରିସର ମଧ୍ୟରେ ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ୧୯୮୫ ମସିହା ମାଟ୍ରିକ ବ୍ୟାଚର ୬୦ରୁ ଉର୍ଦ୍ଧ୍ବ ଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।
ରକ୍ତ ସମ୍ପର୍କର ପରିବାର ଏବଂ ବାଲ୍ୟ ସମୟର ସହପାଠୀ ମଧ୍ୟରେ ଥିବା ବନ୍ଧୁତ୍ବ ନିଆରା । ସୁଦୁର କଲିକତା ଅବା ମୁମ୍ବାଇ ଯେଉଁ ଠାରେ ଥିଲେ ମଧ୍ୟ ସହପାଠୀଟିଏ ବନ୍ଧୁମିଳନ କ୍ଷେତ୍ରକୁ ଟାଣି ହୋଇ ଆସିଥାଏ । ଦେଖା ସାକ୍ଷାତ ଓ ମିଳନର ପର୍ବ ପରେ ଗିରିଜା ଦାଶ, ଶରତ ପୃଷ୍ଟି ଏବଂ ନାରାୟଣଙ୍କ କଣ୍ଠଶ୍ବର ସମସ୍ତଙ୍କୁ କିଛି ସମୟ ପାଇଁ ବାନ୍ଧି ରଖିଥିଲା । ଅତ୍ୟନ୍ତ ଭାବପୁର୍ଣ ପରିବେଶ ଭିତରେ ଅନୁଷ୍ଠିତ ହୋଇଥିଲା ଏହି ବନ୍ଧୁମିଳନୀ କାର୍ଯ୍ୟକ୍ରମ | ଦୀର୍ଘ ୩୭ ବର୍ଷ ପରେ ପରସ୍ପରକୁ ଦେଖିବା ଓ ଭେଟିବାର ସୁଯୋଗ ପାଇଥିବା ଯୋଗୁ ସବୁ ସାଥୀମାନଙ୍କ ଭିତରେ ଆନନ୍ଦର ସୀମା ରହିନଥିଲା | ପିଲାଦିନର ସ୍ମୃତି ରୋମନ୍ଥନ କଲାବେଳେ ସମସ୍ତେ ଭାବ ବିହ୍ଵଳ ହୋଇପଡିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଗୁରୁଜୀ ଓ ସହପାଠୀମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଇଥିଲା |
ଏଥିସହିତ ଶିକ୍ଷକ ପିତବାସ ସାହୁ, ବ୍ରଜକିଶୋର ନନ୍ଦ ଏବଂ ଜନାର୍ଦ୍ଦନ ସାର ପରିସର ମଧ୍ୟରେ ପହଁଚିବା ପରେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ସାଥି ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସାର ମାନଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଥିଲେ । ପରେ ଉପସ୍ଥିତ ସାର ମାନେ ନିଜ ନିଜର ଆର୍ଶିବଚନ ପ୍ରଦାନ ପୂର୍ବକ "ବଡମଣିଷ ନୁହେଁ, ସମସ୍ତ ଛାତ୍ର ଜଣେ ଜଣେ ଭଲ ମଣିଷ ହୋଇ ପାରିଥିବାରୁ ଖୁସିବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର ଦେବଦତ୍ତ, ସାରସ କୁମାର ମିଶ୍ର ଏବଂ ସୁକାନ୍ତ ବାରିକ ପରିଚାଳନା କରିଥିଲେ।