-
ଅଧାରୁ କମ ଡ଼ାକ୍ତରରେ ଚାଲିଛି ରାଜ୍ୟରେ ସ୍ୱାସ୍ଥ୍ୟସେବା, ହେଉ ଓଏମ୍ଏଚ୍ଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ
-
୧୦/୧୫ ବର୍ଷ ହେଲା ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଆଡ଼ହକ ଡ଼ାକ୍ତରଙ୍କୁ ସ୍ଥାୟୀ କରାଯାଉ
-
ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି କରାନଯାଉ, ନୂଆ ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଉ
-
ସରକାରୀ ଛୁଟିଦିନ ଉପଲବ୍ଧି ହୋଇପାରୁ ନାହିଁ, ଚିନ୍ତା କରାଯିବା ଉଚିତ ଡାକ୍ତରମାନେ ବି ମଣିଷ
-
ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ କରି କେବିକେ ଏକଜିଟ ପଲିସ୍ ଲାଗୁ ହେଉ
ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବାର ଉନ୍ନତି ଓ ଭିତ୍ତିଭୂମି ସୁଦୃଢ ପାଇଁ ଓଡ଼ିଶା ମେଡ଼ିକାଲ ସର୍ଭିସେସ ସଂଘ (ଓମ୍ସା) ସର୍ବଦା ସରକାରଙ୍କ ସବୁ କାର୍ଯ୍ୟ କରି ଆସୁଅଛି । ମହାମାରୀ କରୋନା କାଳରେ ନିଜର ଜୀବନକୁ ବାଜି ଲଗାଇ ଓଡ଼ିଶାର ଲୋକଙ୍କ ପାଇଁ ଓମ୍ସାର ଡ଼ାକ୍ତରମାନେ ସେବା ପ୍ରଦାନ କରିଛନ୍ତି । ଏହି ସଂଘର ଦାବି ବିଷୟରେ ସରକାରଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଲା ପରେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଗତ ତିନିବର୍ଷ ମଧ୍ୟରେ ଚାରିଜଣ ସ୍ୱାସ୍ଥ୍ୟ ସଚିବ ଆସିଲେଣି ଏବଂ ଓମ୍ସା ସହ ଚାରିଥର ବୈଠକ ହୋଇ ସାରିଲା ପରେ ମଧ୍ୟ ଦାବି ପୂରଣ ପାଇଁ ବିହିତ ପଦକ୍ଷେପ ନେଉନାହାଁନ୍ତି | ରାଜ୍ୟ ସରକାରଙ୍କ ଏତାଦୃଶ ମନାସିକାର ବିରୋଧରେ ଓମ୍ସା ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଘୋଷଣା କରାଯାଇଥିଲା | ହେଲେ ରାଜ୍ୟରେ ସମ୍ପ୍ରତି ବିଶ୍ୱକପ ହକି ଆରମ୍ଭ ହେବାକୁ ଯାଉଛି | ତେଣୁ ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ଆନ୍ଦୋଳନ ନକରି ସରକାରଙ୍କ ସହିତ ରହିବାକୁ ଓମ୍ସା ଉଚିତ ମନେ କରିଛି | ହେଲେ ସରକାର ହକି ସାରିବା ପରେ ଯଦି ଡାକ୍ତରମାନଙ୍କ ଏ ସମୁଚିତ ଦାବି ପ୍ରତି ସୁବିଚାର ନକରନ୍ତି ତେବେ ଓମ୍ସା ବାଧ୍ୟ ହୋଇ ପହିଲାରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ବୋଲି ଓମ୍ସା ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦିଆଯାଇଛି |
ଓମ୍ସା ସଭାପତି ଡ଼ ନାରାୟଣ ରାଉତଙ୍କ କହିବା ଅନୁଯାୟୀ, ୬ଷ୍ଠ ବେତନ କମିଶନରେ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇ ସେମାନଙ୍କ ପାଇଁ ୨୦୦୬ ମସିହାରେ କେନ୍ଦ୍ର ସରକାର ଡିଏସିପି ପ୍ରଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ସେହି ଅନୁସାରେ କେନ୍ଦ୍ରୀୟ ଡ଼ାକ୍ତର ଓ ଅନ୍ୟାନ୍ୟ ୧୮ଟି ରାଜ୍ୟରେ ୪,୯,୧୩,୨୦ ବର୍ଷରେ ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯାଇଛି । ତନ୍ମଧ୍ୟରେ ଆମର ପଡ଼ୋଶୀ ବିହାର ଭଳି ଗରିବ ରାଜ୍ୟରେ ମଧ୍ୟ ୪, ୯, ୧୩, ୨୦ ଚାକିରୀ ବର୍ଷରେ ସମୟାନୁଭିତ୍ତିକ ଦରମା ପ୍ରଦାନ କରିଛନ୍ତି ଓ ୨୦ ବର୍ଷରେ ୧୦ହଜାର ଗ୍ରେଡ଼ ପେ ଦେଇଛନ୍ତି । ଦନ୍ତ ଚିକିତ୍ସକମାନେ ଓଏମ୍ଏସ୍ କ୍ୟାଡ଼ର ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରଚଳିତ ଡିଏସିପି ବ୍ୟବସ୍ଥା ଲାଗୁ ହୋଇନାହିଁ । କିନ୍ତୁ୨୦୧୯ ମସିହାରେ ଆମ ରାଜ୍ୟ ସରକାର ଡିଏସିପି ନାମରେ ୭,୧୪, ୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି । ସେଥିରେ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆଦୌ ଆର୍ଥିକ ଲାଭବାନ ହୋଇପାରୁ ନଥିବାରୁ ସରକାରୀ ଚାକିରୀ କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି ।
ସେହିପରି ଓଡ଼ିଶାରେ ସାଢେ ଚାରିକୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଇପିଏଚ୍ ଷ୍ଟାଣ୍ଡାର୍ଡ଼ ଅନୁସାରେ ଅନ୍ୟୁନ ୧୨ ହଜାର ଷ୍ଟେଟ କ୍ୟାଡ଼ର ଡ଼ାକ୍ତର ଆବଶ୍ୟକ ଥିଲାବେଳେ ଆମ ରାଜ୍ୟରେ ୧୦ ହଜାର ୭୧୯ ପଦବୀ ରହିଛି । କିନ୍ତୁ ପ୍ରକୃତରେ ପ୍ରାୟ ୫ ହଜାର କାର୍ଯ୍ୟ କରୁଛନ୍ତି । ୨୦୧୭ରେ ଏହି ଓଏମ୍ଏଚଏସ୍ କ୍ୟାଡ଼ର ପୁନଃର୍ବିନ୍ୟାସ ହୋଇଥିଲା । ଗତ ୫ ବର୍ଷ ମଧ୍ୟରେ ୪ ହଜାର ଏଲଟିଆରଏମଓ ପଦବୀ ନୂତନ ଭାବେ ସୃଷ୍ଟି କରାଯାଇଥିଲେ ମଧ୍ୟ ଏହାର ପୁନଃର୍ବିନ୍ୟାସ ହୋଇନାହିଁ । କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଅନ୍ୟ ବିଭାଗ କ୍ୟାଡ଼ର ମାନଙ୍କର ଦୁଇ ତିନିଥର ପୁନଃର୍ବିନ୍ୟାସ କରିସାରିଲେଣି ।
ଏହା ସହିତ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିପାରୁ ଥିବାବେଳେ ଆଡ଼ହକ ଡ଼ାକ୍ତର ଯେଉଁମାନେ ୧୦/୧୫ ବର୍ଷ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି, ତାଙ୍କର ଚାକିରୀକୁ ନିୟମିତ କରାନଯାଇ ତାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି । ତାଙ୍କର ଚାକିରୀର ସ୍ଥାୟୀ କରିବା ପାଇଁ ଦାବି କରାଯାଇଛି ।
ସେହିପରି ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କୌଣସି ସର୍ଭିସ କ୍ୟାଡ଼ର କେବିକେ ଅଞ୍ଚଳରେ କାର୍ଯ୍ୟ କରିବା ବାଧ୍ୟତାମୂଳକ ନଥିବା ବେଳେ ଡ଼ାକ୍ତରଙ୍କ ଉପରେ ଏହି ନିୟମ ଲଦି ଦିଆଯାଇଛି । ଯାହାଦ୍ୱାରା ଡ଼ାକ୍ତରମାନେ ଛୁଟିରେ ରହୁଛନ୍ତି ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟସେବାରେ ବାଧାସୃଷ୍ଟି ହେଉଛି । ତେଣୁ ଏହାକୁ ବାଧ୍ୟତାମୂଳକ କରାନଯାଉ ଏବଂ ଯେଉଁ କେବିକେ ଏକଜିଟ ପଲିସ୍ ଅଛି, ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦୃଢ ଦାବି କରାଯାଇଛି ।
ଡ଼ାକ୍ତରଙ୍କ ଅବସର ବୟସର ବୃଦ୍ଧିକୁ ଓମ୍ସା ଦୃଢ ବିରୋଧ କରିଆସିଛି । କିନ୍ତୁ ସରକାର ଏହାକୁ ୬୦ରୁ ୬୨ ଓ ୬୨ରୁ ୬୫କୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଡ଼ାକ୍ତରଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ବୟସ ବୃଦ୍ଧି ଯୋଗୁ ଲୋକଙ୍କ ନିକଟରେ ସେବା ପହଞ୍ଚାଇ ପାରୁନାହାଁନ୍ତି ।
ସରକାରୀ ଛୁଟିଦିନଗୁଡ଼ିକୁ ଡ଼ାକ୍ତରମାନେ ପାଇପାରୁ ନାହାଁନ୍ତି । ତେଣୁ କିଭଳି ଭାବରେ ଅନ୍ୟ ବିଭାଗ ଭଳି ଡ଼ାକ୍ତରମାନେ ସରକାରୀ ଛୁଟି ପାଇପାରିବେ, ତାହାର ବ୍ୟବସ୍ଥା ନୋଟିଫିକେଶନ ମାଧ୍ୟମରେ କରାଯାଉ ।
ଗତ ୧୦.୧୨.୨୦୨୨ରେ ଓମ୍ସାର ସାଧାରଣ ପରିଷଦ ବୈଠକରେ ନଷ୍ପତ୍ତି ଅନୁଯାୟୀ ଯେହେତୁ ସରକାର ଏକମାସ ମଧ୍ୟରେ ଓମ୍ସାର ଦାବି ପୂରଣ ପାଇ ବିହିତ ପଦକ୍ଷେପ ନେଇନାହାଁନ୍ତି, ଆସନ୍ତା ୧୬.୦୧.୨୦୨୩ରିଖ ଠାରୁ ଓମ୍ସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଯେହେତୁ ଜାନୁୟାରୀ ୧୩ ତାରିଖ ଠାରୁ ବିଶ୍ୱ ହକିକପ୍ ଓଡ଼ିଶାରେ ଆୟୋଜନ ହେଉଛି, ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଫେବୃୟାରୀ ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ଓଏମ୍ଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ସମସ୍ୟାକୁ ହୃଦୟଙ୍ଗ କରି ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଓମ୍ସାର ଡ଼ାକ୍ତରମାନେ ନିବେଦନ କରିଛନ୍ତି ।