ଭଞ୍ଜନଗର,(ନିଲୁ ବିଷୋୟୀ) : ରାଜ୍ୟରେ କ୍ରମାଗତ ଭାବେ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି। ପ୍ରତିଦିନ ବିଭିନ୍ନ ରାଜ୍ୟର ସ୍ଥାନରେ ହାତୀ ମୃତ୍ୟୁ ହେଉଛି। ଗତ ୪ ମାସରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ରେ ୩ଟି ହାତୀର ମୃତ୍ୟୁ ଘଟିଥିବା ବେଳେ ଏବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବୁଗୁଡ଼ା ବନାଞ୍ଚଳର ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ବେଲପଡା ଠାରେ ଏକ ଛୁଆ ହାତୀର ଅସ୍ବଭାବିକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ପୂର୍ବରୁ ହାତୀ ନଥିବା ବେଳେ ଏକ ଏକୁଟିଆ ଛୁଆ ହାତୀ ଏହି ସ୍ଥାନକୁ କେଉଁଠାରୁ ଆସିଥିଲା ତାକୁ ନେଇ ଏବେ ବନ ବିଭାଗ କର୍ମଚାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଛୁଆ ହାତୀର ବୟସ ୪ବର୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଏକ ଧାନ ଜମିରେ ହାତୀ ଛୁଆଟି ମରି ପଡିଥିବା ବେଳେ ତାର ଶୁଣ୍ଢ ମଝିରେ କିଛି ଗଭୀର କ୍ଷତ ଚିହ୍ନ ରହିଥିବା ଓ ଏଥିରୁ ରକ୍ତସ୍ରାବ ହେଉଥିବାରୁ ହୁଏତ ଧାନ ଜମିରେ ବାରାହା ପାଇଁ ଲାଗିଥିବା ଫାଶରେ ପଡ଼ି ହାତୀ ଛୁଆଟି ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ହାତୀ ଛୁଆଟି ର ମୃତ୍ୟୁ ଘଟିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି। ବୁଗୁଡ଼ା ପଶୁଧନ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଶବଟିର ବ୍ୟବଛେଦ କରିବା ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫ୍ଓ ଦିଲ୍ଲୀପ କୁମାର ରାଉତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ହାତୀ ଛୁଆଟି ର ପେଟ ଅସ୍ବଭାବିକ ଭାବେ ଫୁଲି ଯାଇଥିବାରୁ ହୁଏତ ସେ ଖାଇଥିବା ଖାଦ୍ୟ ହଜମ କରି ନପାରିବା କାରଣରୁ ତାର ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଚାଲୁ ରହିଛି ଓ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫ୍ଓ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଉତ୍ତର ଘୁମୁସର ବନଖଣ୍ଡରେ ଗତ ଜୁଲାଇ ମାସ ୭ ତାରିଖରେ ଦିନ ମୁଜାଗଡ ବନାଞ୍ଚଳର ଗୁଣ୍ଡୁରିବାଡି ବିଟ୍ର କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଏକ ଦନ୍ତାହାତୀର ଦାନ୍ତ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ଶିକାରୀ ମାନେ ଦନ୍ତାକୁ ମାରି ତାର ଦନ୍ତା ଲୁଟ କରି ନେଇଥିଲେ। ଏହାର କିଛି ଦିନ ପରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳର କନ୍ଧନୂଆପଲି କାଜୁ ବଗିଚା ରେ ବିଦ୍ୟୁତ ଆଘାତ ରେ ଏକ ଦନ୍ତାରେ ମୃତ୍ୟୁ ଘଟିଥିଲା। ଶିକାରୀ ମାନେ ଦନ୍ତାର ଏକ ଦାନ୍ତକୁ କାଟି ନେଇଥିଲେ। ସେହିପରି ସେପ୍ଟେମ୍ବର ମାସ ୩ ତାରିଖରେ ତାରାସିଙ୍ଗି ବନାଞ୍ଚଳରେ ଚିକିତ୍ସା ଅଭାବରୁ ଏକ ଦନ୍ତାର ମୃତ୍ୟୁ ଘଟିଛି।
ଏଭଳି ଦାନ୍ତ କାଟି ନେବା ଘଟଣା ଓ ହାତୀ ମୃତ୍ୟୁ ଉକ୍ତ ବନଖଣ୍ଡରେ ଆଗରୁ କେବେ ହୋଇନଥିବା ବେଳେ ବନ ବିଭାଗ ପାଇଁ ଏହା ଚାଲେଞ୍ଜ୍ ସୃଷ୍ଟି କରିଥିଲା। ବର୍ତ୍ତମାନ ଦକ୍ଷିଣ ଘୁମୁସର ରେ ଛୁଆ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି।