ପ୍ରଶାସନ ଓ ଲୋକଙ୍କ ଭିତରେ ସାଜିଛନ୍ତି ସମ୍ପର୍କର ସେତୁ
-
ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଟ୍ଵିଟର ଗାର୍ଲଙ୍କ ନିରବଛିନ୍ନ ପ୍ରଚେଷ୍ଟା
-
ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ କଲେ ଅନେକ ସମସ୍ୟା ଉପସ୍ଥାପନ
ବରଗଡ଼: ଯେଉଁଠି ପ୍ରଶାସନର ଲମ୍ଵାହାତ ପହଂଚି ପାରେନି ସେଠି ପହଂଚି ଯାଆନ୍ତି ସେ | ଯେଉଁମାନେ ପ୍ରଶାସନ ପାଇଁ ଅପହଞ୍ଚ, ସେମାନଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟା ଓ ଅସୁବିଧା ଦୂର କରିବାକୁ ଚଳାଇଛନ୍ତି ସେ | ପାଲଟି ଯାଇଛନ୍ତି ଅସହାୟ ଓ ଅବହେଳିତଙ୍କ ଦରଦୀ ବନ୍ଧୁ | ପ୍ରଶାସନ ଓ ଲୋକଙ୍କ ଭିତରେ ସାଜିଛନ୍ତି ସମ୍ପର୍କର ସେତୁ | ଆମେ ଆଉ କାହାକଥା କହୁନୁ | କହୁଛୁ ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ଅଜଣା, ଅଚିହ୍ନା, ଅସହାୟ, ଅବହେଳିତ ତଥା ଦୁର୍ଗତ ଲୋକଙ୍କ ଭରସାର ପ୍ରତୀକ ପାଲଟିଥିବା ଟ୍ଵିଟର ଗାର୍ଲ ଦୀପାଙ୍କ କଥା |
ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ବର୍ତ୍ତମାନ ରାଜ୍ୟ ତଥା ଦେଶର ଏକ ଚର୍ଚ୍ଚିତ ଚେହେରା ରୂପେ ପ୍ରତିଷ୍ଠିତ ହୋଇପରିଛନ୍ତି।ଗତ କିଛି ବର୍ଷ ହେଲା ଅନବରତ ଭାବେ ଲୋକଙ୍କ ସମସ୍ୟା ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ସମାଧାନ କରି ନିଜ ଅଞ୍ଚଳର ବିକାଶ କରିବା ସହ ସମସ୍ତଙ୍କ ପ୍ରିୟପାତ୍ର ହେଇପାରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସେ ପ୍ରାୟ ୬ ହଜାର ସମସ୍ୟାର ସମାଧାନ କରି ପଶ୍ଚିମ ଓଡ଼ିଶାର ଉନ୍ନତି ନିମନ୍ତେ ଶହ ଶହ କୋଟି ଅନୁଦାନ ଆଣିବାରେ ସକ୍ଷମ ହୋଇପାରିଛନ୍ତି ଦୀପା।ଏତେ କାର୍ଯ୍ୟ କରି ସୁଦ୍ଧା କେବେହେଲେ ସେ ଥକି ଯାଇନାହାନ୍ତି ଲୋକଙ୍କ ସମସ୍ୟା ଗୁଡ଼ିକୁ ବିଭିନ୍ନ ଉପାୟରେ ସମାଧାନ କରିବାକୁ ସବୁବେଳେ ତତ୍ପର ଥା'ନ୍ତି ଦୀପା।
ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଫିସରେ ହେଉଥିବା ବରଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ।ସେଠାରେ ଦୀପା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ନିଜେ କିଛି ସାମୁହିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସଙ୍ଗେ ସଙ୍ଗେ କିଛି ଲୋକଙ୍କୁ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ କୁ ଆସି ସମସ୍ୟା ଉପସ୍ଥାପନ କରିବାକୁ ପ୍ରୋତ୍ସାହିତ କରିଥିଲେ।
ବ୍ୟକ୍ତିଗତ ଭାବେ ସେ ଝେଙ୍ଗନାଡ଼ିହି ଡ୍ୟାମ ପଡ଼ାବାସୀଙ୍କ ପାଇଁ ବିଦ୍ୟୁତ ସଂଯୋଗ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଟେମରି ଗ୍ରାମର କୂଇମୁଣ୍ଡା ଅଞ୍ଚଳକୁ ଯାଇଥିବା କେନାଲର କଂକ୍ରିଟକରଣ ତଥା ସେହି ଅଞ୍ଚଳର ଚାଷୀମାନଙ୍କୁ ଟେମରି ମଗରାନାଳା ଡ୍ୟାମରୁ ପାଣି ମଡ଼ାଇବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।ଏହି ସମସ୍ୟାର ସମାଧାନ ପାଇଁ ବରଗଡ଼ ଜିଲ୍ଲାପାଳ କ୍ଷୁଦ୍ର ଜଳସେଚନ ବିଭାଗର କର୍ମଚାରୀଙ୍କୁ ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ। ଝେଙ୍ଗନାଡ଼ିହି ଡ୍ୟାମ ପଡ଼ାବାସୀଙ୍କ ବିଦ୍ୟୁତ ସଂଯୋଗୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ଏତିକିରେ ଦୀପା ଥକି ନ ଯାଇ ପାଇକମାଲ ତଥା ଝାରବନ୍ଧ ବ୍ଲକରୁ ଆସିଥିବା ବିଭିନ୍ନ ଲୋକଙ୍କ ଦରଖାସ୍ତ ଲେଖିବାରେ ସହାୟତା କରିଥିଲେ। ନିଜ ଅଞ୍ଚଳର ଉନ୍ନତି ପାଇଁ ଦୀପାଙ୍କ ଏହି ସଂଘର୍ଷକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।