ନୂଆଦିଲ୍ଲୀ: ଚୌଦ୍ୱାର ପୋଲିସ ଥାନା ଏଏସଆଇ ଯୋଶେଫ୍ ଏକ୍କା ଏବଂ ଅନ୍ୟ ୫ଜଣ ଥାନାଧିକାରୀ କଖଡ଼ି ଗ୍ରାମର ହିଂମାଶୁ ପତିଙ୍କ ଘରେ ରାତି ପ୍ରାୟ ୮ଟା ସମୟରେ ଆଇନକାନୁନର ଉଲ୍ଲଙ୍ଘନ କରି ଅନୈତିକ ଭାବେ ସର୍ଚ୍ଚ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ବର୍ତ୍ତମାନ ଜାତୀୟ ମାନବାଧିକାର କମିଶନ ଦିଲ୍ଲୀଙ୍କ ନିକଟରେ ହିମାଂଶୁ ପତି ଦେଇଥିବା ଅଭିଯୋଗକ୍ରମେ ଏକ କେସ୍ ଦାଏର କରାଯାଇଛି । କେସ୍ ନଂ- ୩୬୫୬/୧୮/୩/୨୦୨୨ରେ ମାମଲା ଦାଏର କରି ଜାତୀୟ ମାନବାଧିକାର କମିଶନ ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିକଟକୁ ନୋଟିସ ପଠାଇଛନ୍ତି ।
ଏ ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିଶନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୯ ମେ’ ୨୦୨୨ ତାରିଖ ରାତିରେ ଚୌଦ୍ୱାର ଥାନା ଏଏସଆଇ ଯୋଶେଫ୍ ଏକ୍କା ଏବଂ ଅନ୍ୟ ୫ଜଣ ପୁଲିସ୍ କର୍ମଚାରୀ ପାଟ୍ରୋଲିଂ କରିବା ସମୟରେ ହିମାଂଶୁ ପତିଙ୍କ ଘରେ କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ, ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁମତି ନନେଇ, କୌଣସି ତଦନ୍ତକାରୀ ପୋଲିସ ପଦାଧିକାରୀ ନଥାଇ ଏବଂ ଗ୍ରାମର ସାକ୍ଷୀ ନଥାଇ ତାଙ୍କ ସ୍ତ୍ରୀ ସୁଭଦ୍ରା ପତି ରାତିରେ ଏକୁଟିଆ ଥିବା ସମୟରେ ପାଟ୍ରୋଲିଂ ପୋଲିସ ଘର ରେଡ୍ କରିଥିଲେ । ସୁଭଦ୍ରା ପତିଙ୍କୁ ଧମକ ଚମକ ଦେବା ସହିତ ତାଙ୍କ ଘରେ ଫେରାର ହୋଇଥିବା ଏକ ଝିଅ ଓ ପୁଅକୁ ଲୁଚାଇ ରଖିଥିବା ଅଭିଯୋଗରେ ରେଡ୍ କରାଯାଉଛି ବୋଲି କହି କେସରୁ ମୁକୁଳିବାକୁ ହେଲେ ୫ହଜାର ଟଙ୍କା ଦାବି କରିବା ସହ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିଥିଲେ । ପୁଅ - ଝିଅ ବାରଙ୍ଗର ନନ୍ଦନକାନନରୁ ଫେରାର ହୋଇଆସିଛନ୍ତି ବୋଲି କହିଥିଲେ ।
ଏହି ଅଭିଯୋଗ ହିମାଂଶୁ ପତି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଲିଖିତ ଭାବେ ଦେଇଥିଲେ । ପୁଲିସ୍ ମହାନିର୍ଦ୍ଦେଶକ କଟକ ଡିସିପି ପିନାକ ମିଶ୍ରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଜୋନ୍-୧ ତତ୍କାଳୀନ ଉପଆରକ୍ଷୀ ଅଧୀକ୍ଷକ ଏସଏନ୍ ମୁଦୁଲିଙ୍କୁ ତଦନ୍ତ କରିବାର ଦାୟିତ୍ୱ ଦିଆଯାଇଥିଲା । ଏସଏନ୍ ମୁଦୁଲି ତଦନ୍ତ ରିପୋର୍ଟ ଦେଇଥିଲେ ଏବଂ ଦର୍ଶାଇଥିଲେ ସର୍ଚ୍ଚ ୱାରେଣ୍ଟ ସମୟରେ ହିମାଂଶୁ ପତି ଘରେ ନଥିଲେ, ତାଙ୍କ ସ୍ତ୍ରୀ ସୁଭଦ୍ରା ପତି ତାଙ୍କୁ ଫୋନ କରିବା ପରେ ସେ ଆସିଥିଲେ ଏବଂ ତଦନ୍ତରେ ସହଯୋଗ କରିଥିଲେ ତଥା ହିମାଂଶୁ ପତିଙ୍କ ଘରେ ଅନ୍ୟ କେହି ଉପସ୍ଥିତ ନଥିଲେ ଏବଂ କୌଣସି ଆପତ୍ତିଜନକ ପ୍ରମାଣ ମଧ୍ୟ ମିଳିନଥିଲା । କିନ୍ତୁ ଏସଏନ ମୁଦୁଲି ତାଙ୍କ ରିପୋର୍ଟରେ ଚୌଦ୍ୱାର ପୋଲିସ ଆଇନର ଯେଉଁ ଉଲ୍ଲଙ୍ଘନ କରିଥିଲେ ଏବଂ ଜଣେ ମହିଳାଙ୍କୁ ଅସମ୍ମାନିତ ଭାବେ ରାତିରେ ପାଟ୍ରୋଲିଂ ସମୟରେ ରେଡ୍ କରିଥିଲେ ତାହା ବିରୋଧରେ ତଦନ୍ତ ରିପୋର୍ଟରେ କୌଣସି ପ୍ରସଙ୍ଗ ଉଲ୍ଲେଖ କରାନଯାଇ ପକ୍ଷପାତିତା ଭାବେ ଚୌଦ୍ୱାର ପୋଲିସ୍ ଅଧିକାରୀଙ୍କୁ ଏକପ୍ରକାର ସହଯୋଗ କରାଯାଇଛି ବୋଲି ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ହିମାଂଶୁ ପତି ଜାତୀୟ ମାନବାଧିକାର କମିଶନ ଦିଲ୍ଲୀଙ୍କ ନିକଟରେ ଅଭିଯୋଗ ଦାଏର କରିଥିଲେ ।
ଜାତୀୟ ମାନବାଧିକାର କମିଶନ ପଦାଧିକାରୀ କହିଛନ୍ତି ଏଭଳି ଅଭିିଯୋଗ ଅତ୍ୟନ୍ତ ଗୁରୁତର ଅପରାଧ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ତଥା ଆଇନର ଖୋଲା ଉଲ୍ଲଙ୍ଘନ । ଏଭଳି ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । କାରଣ ଖୋଦ୍ ଆଇନ୍ର ରକ୍ଷା କରୁଥିବା ପୋଲିସ୍ ଆଇନକାନୁନ୍ର ଉଲ୍ଲଙ୍ଘନ କରି କୋର୍ଟ କଚେରୀର ତଥା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଏଭଳି ବେଆଇନ କାର୍ଯ୍ୟ କରୁଥିବା ପୋଲିିସ ପ୍ରଶାସନିକ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।
ଏହି ଅଭିଯୋଗ ଉପରେ ଯୋଶେଫ୍ ଏକ୍କା ସଫେଇ ଦେଇ କୁହନ୍ତି, ବାରଙ୍ଗ ନନ୍ଦନକାନନ ଥାନା ଅଞ୍ଚଳର ଜଣେ ପୁଅ-ଝିଅ ଫେରାର ହୋଇଥିଲେ ଆମେ ଖବର ପାଇଁ ପାଟ୍ରୋଲିଂ କରିବାକୁ ଯିବା ବେଳେ ସର୍ଚ୍ଚ ଓ ରେଡ୍ କରିଥିଲୁ । ତେବେ ପାଟ୍ରୋଲିଂ ପୋଲିସ ରାତିରେ କିପରି ସର୍ଚ୍ଚ କେଉଁ ଆଇନ ବଳରେ କଲେ ? ନିୟମ କହୁଛି ନନ୍ଦନକାନନ ଥାନାର ତଦନ୍ତ ଅଫିସର ସର୍ଚ୍ଚ ବେଳେ ରହିବା କଥା, ତଦନ୍ତକାରୀ ଅଫିସର ନଥାଇ କିପରି ସର୍ଚ୍ଚ କରାଗଲା? ଯୋଶେଫ୍ ଏକ୍କାଙ୍କୁ ସର୍ଚ୍ଚ ପାଇଁ କିଏ ନିର୍ଦ୍ଦେଶ ଦେଲେ ଏବଂ ମାଜିଷ୍ଟ୍ରେଟଙ୍କ ସର୍ଚ୍ଚ ୱାରେଣ୍ଟ ନଥାଇ ତଥା ଗ୍ରାମର ଦୁଇଜଣ ସାକ୍ଷୀ ନନେଇ ଯୋଶେଫ୍ ଏକ୍କା କିପରି ସର୍ଚ୍ଚ କଲେ? ଏବଂ କେଉଁ ଆଧାର ଓ ଆଇନରେ ସେ ସର୍ଚ୍ଚ କଲେ? ପୁନଶ୍ଚ ସବୁଠାରୁ ବଡ଼ କଥା ଥାନାରେ ଷ୍ଟେସନ ଡାଏରୀ ନଥାଇ ଏହି ସର୍ଚ୍ଚ ୱାରେଣ୍ଟ ରାତିରେ କିଭଳି ଜଣେ ମହିଳା ଏକୁଟିଆ ଥିବାବେଳେ ତାଙ୍କ ଘର ରେଡ୍ କରାଗଲା? ସବୁଠାରୁ ବଡ଼ କଥା ସର୍ଚ୍ଚ କରିସାରିବା ପରେ ଯୋଶେଫ୍ ଏକ୍କା ସର୍ଚ୍ଚ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍ ଏବଂ ତଥ୍ୟ ପ୍ରଦାନ ହିମାଂଶୁ ପତିଙ୍କୁ ସାକ୍ଷୀଙ୍କ ଦସ୍ତଖତରେ ଦେବା କଥା, ତାହା ମଧ୍ୟ ଯୋଶେଫ୍ ଏକ୍କା କରିନାହାନ୍ତି । ସୁଭଦ୍ରା ପତି ସାବିତ୍ରୀ ପୂଜା ପାଇଁ ନିଜର ପ୍ରସ୍ତୁତି କରୁଥିବାବେଳେ ତାଙ୍କର ହିନ୍ଦୁ ଧାର୍ମିକ ଭାବନାକୁ ଯୋଶେଫ୍ ଏକ୍କା ସମ୍ମାନ ଦେଇନାହାନ୍ତି ବୋଲି ମାନବାଧିକାର କମିଶନଙ୍କ ନିକଟରେ ସୁପିମକୋର୍ଟ ଏବଂ ବରିଷ୍ଠ ମାନବାଧିକାରୀ ଆଇନ ବିଶେଷଜ୍ଞ ଆଡ଼ଭୋକେଟ୍ ଶାରଦା ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଶାରଦା ପଟ୍ଟନାୟକ କହିଛନ୍ତି ଚୌଦ୍ୱାର ପୋଲିସ ଥାନାଧିକାରୀମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମେତ ପୋଲିସ୍ ମାନ୍ୟୁଆଲ୍ ଧାରା ୧୬୫ (କ) ତଥା ଏକାଧିକ ସିଆରପିସି ଧାରାର ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ଏଭଳି ବେଆଇନ ରାତି ଅଧିଆ ସର୍ଚ୍ଚ କରି ଜଣେ ମହିଳାଙ୍କୁ ଅସମ୍ମାନ କରିବା ସହିତ ତାଙ୍କର ଧାର୍ମିକ ଭାବନାକୁ ମଧ୍ୟ ଯୋଶେଫ୍ ଏକ୍କା ଆଘାତ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ୩୦.୦୭.୨୦୨୨ରେ ଏହିଭଳି ଏକ ବେଆଇନ ସର୍ଚ୍ଚ ୱାରେଣ୍ଟ କରିଥିବାରୁ ମାନ୍ୟବର ହାଇକୋର୍ଟ ଓଡ଼ିଶା ପୋଲିସକୁ ଭର୍ତ୍ସନା କରିବା ସହିତ ଏଭଳି ବେଆଇନ କାର୍ଯ୍ୟ କରିଥିବା ତତ୍କାଳୀନ ପୋଲିସ ଅଧିକାରୀ ମଦନମୋହନ ପାଣିଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁଭଦ୍ରା ପତି ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ନୂଆଦିଲ୍ଲୀସ୍ଥିତ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇ ଅଭିଯୋଗ ଦାଏର କରିଛନ୍ତି । ନିଜ ଅଭିଯୋଗରେ ସୁଭଦ୍ରା ପତି କହିଛନ୍ତି ସାବିତ୍ରୀ ପୂଜା ପାଇଁ ମୁଁ ମୋର ପୂଜା ସାମଗ୍ରୀ ଓ ଠାକୁର ପ୍ରସ୍ତୁତି କରିଥିବାବେଳେ ପୁଲିସ୍ ଜୋତା ପିନ୍ଧି ମୋ ପୂଜା ଘରେ ପ୍ରବେଶ କରିଥିଲେ । ମୁଁ ଜୋତା ଖୋଲିବାକୁ ଅନୁରୋଧ କରିଥିଲେ ମଧ୍ୟ ଯୋଶେଫ୍ ଏକ୍କା ଏହାକୁ ନଶୁଣି ମୋତେ ଏବଂ ମୋର ପୂଜାପାଠକୁ ବିଦ୍ରୁପ କରି ଘରେ ପଶିଥିଲେ ।
ରାଜ୍ୟ
ଚୌଦ୍ୱାର ପୋଲିସ ଅଧିକାରୀଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ କେସ୍ ଦାଏର
- Hits: 291