ଓଡ଼ିଶାର ପ୍ରଥମ ସ୍ମାର୍ଟ କୃଷି ଜିଲ୍ଲା ହେବାକୁ ଯାଉଛି କଟକ ଓ କେନ୍ଦ୍ରାପଡ଼ା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ(ଶାସକ ପ୍ରଶାସକ) : ଗ୍ଲୋବାଲ୍ ସଷ୍ଟେନେବଲ୍ ଏଗ୍ରିକଲ୍‌ଚର ସ୍ପେଶିଆଲିଷ୍ଟ ଅର୍ଗାନାଇଜେସନ ସୋଲିଡାରିଡାଡ ଓଡ଼ିଶାର କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ କ୍ଲାଇମେଟ୍ ସ୍ମାର୍ଟ କରିବା ପାଇଁ ଓ ସ୍ମାର୍ଟ କୃଷି ଜିଲ୍ଲାରେ ପରିଣତ କରିବା ପାଇଁ ସ୍ଥାନୀୟ ଶରତ କର ଓ ଅନିମା କର ଫାଉଣ୍ଡେସନ (ଏସକେଏକେ ଫାଉଣ୍ଡେସନ) ସହିତ ଏବଂ ଆଇଡିଆ ଭୋଡାଫୋନ୍ ଫାଉଣ୍ଡେସନ ସହିତ ହାତ ମିଳାଇଛି । ଏହି ପ୍ରକଳ୍ପକୁ ଆଜି ଆଇସିଏଆର- ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର ଓମେନ ଇନ୍ ଏଗ୍ରିକଲ୍‌ଚର, ଭୁବନେଶ୍ୱର, ଓଡ଼ିଶା, ଭାରତ ଠାରେ ମୁଖ୍ୟ ଅତିଥି ଶ୍ରୀମତୀ ରୁପା ରୋସନ ସାହୁ, ଆଇଏସଙ୍କ ଦ୍ୱାରା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୨୦୦ ଚାଷୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି ।
ଏହି ସ୍ମାର୍ଟ-ଏଗ୍ରି ପ୍ରକଳ୍ପ ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଭାବରେ ୫୦,୦୦୦ କ୍ଷୁଦ୍ର ଚାଷୀମାନଙ୍କୁ ଲାଭ ପ୍ରଦାନ କରିବ । ଏହି ପ୍ରକଳ୍ପ ପୁନଶ୍ଚ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନେକ ଗୁଡ଼ିଏ ଉତମ କାର୍ଯ୍ୟ ସହିତ ସହଭାଗୀତା ସ୍ଥାପନ କରିବ ଯଦ୍ୱାରା ଏହି ଦୁଇଟି ଜିଲ୍ଲାରେ ସମଗ୍ର ଚାଷୀ ଗୋଷ୍ଠୀମାନେ ଉପକୃତ ହୋଇପାରିବେ । ସୋଲିଡାରିଡାଡ ଓ ଆଇଡିଆ-ଭୋଡାଫୋନ୍ ଫାଉଣ୍ଡେସନ ଏହିପରି ଏକ ପଦକ୍ଷେପ ଗଜପତି ଜିଲ୍ଲାରେ ମଧ୍ୟ ଆରମ୍ଭ କରିଛନ୍ତି । ପରିଶେଷରେ, ଓଡ଼ିଶାର ଅନେକ ସ୍ମାର୍ଟ କୃଷି ଜିଲ୍ଲାର ଆଶା ପୂରଣ ହେବାକୁ ଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ଚାଷୀମାନଙ୍କର ଆୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ହେବ ଓ ପ୍ରଯୁକ୍ତି ବିଦ୍ୟାରେ ଦକ୍ଷ ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂତନ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହି ପ୍ରୋଗ୍ରାମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କୃଷିକୁ ସ୍ମାର୍ଟ କୃଷିରେ ରୂପାନ୍ତରିତ କରାଯିବ । ଏହି ପ୍ରକଳ୍ପ ଇଂଟରନେଟ୍ ଅଫ୍ ଥିଙ୍ଗ୍‌ସ (ଆଇଓଟି), ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଏଆଇ) ଓ ରିୟଲ୍ ଟାଇମ୍ ଟେକ୍‌ନୋଲୋଜି ସମାଧାନର ବ୍ୟବହାର କରିବ ଯାହାକୁ ଅଟୋମେଟିକ୍ ଜଳବାୟୁ ଷ୍ଟେସନ, ମୃତିକା ଅନୁସନ୍ଧାନ, କୀଟ ଟ୍ରାପ୍‌ସ ଓ ଶସ୍ୟ କ୍ୟାମେରା ଆଦି କ୍ଷେତ୍ରରେ ବ୍ୟବହୃତ ହେବ ଏବଂ ଆବଶ୍ୟକତା ଅନୁସାରେ ଇନଷ୍ଟାଲ୍ କରାଯିବ । ଏହା ଚାଷୀମାନଙ୍କୁ ଚାଷର ଗୁରୁତ୍ୱପୂର୍ଣ୍ଣ ଉପାଦାନ ସମ୍ପର୍କରେ ସୂଚନା ପ୍ରଦାନ କରିବ ଯଥା ମୃତିକା ଓ ବାୟୁ ମାନ, ପବନ, କୀଟ ଓ ପୋକର ଉପସ୍ଥିତି ଓ ଶସ୍ୟର ବିକାଶ ଆଦି ବିଷୟ । ଚାଷୀମାନେ ମଧ୍ୟ ଗୁରୁତର ଏଗ୍ରି ଇନପୁଟ ଉପରେ ରିୟଲ ଟାଇମ୍ ସ୍ଥାନୀୟ ପରାମର୍ଶକୁ ସେମାନଙ୍କର ଚାଷ ପାଇଁ ପାଇପାରିବେ । ଏହା ସହିତ ବଜାରରେ କୃଷି ଖବର, ସରକାରୀ ନୀତି ଓ ସ୍କିମ୍ ଇତ୍ୟାଦି ବିଷୟରେ ଜାଣିପାରିବେ । ସେମାନେ ଏହାକୁ ଓଡ଼ିଆ ଭାଷାରେ ତାଙ୍କର ମୋବାଇଲ୍ ଫୋନ୍ ମାଧ୍ୟମରେ ପାଇପାରିବେ । ଯଦି ପଢ଼ିବାରେ ସମସ୍ୟା ରହିଥାଏ ତେବେ ଏଥିରେ ଅଡିଓ ବିକଳ୍ପ ମଧ୍ୟ ରହିଛି ।
ଏହି ପ୍ରକଳ୍ପଟି ଦୁଇଟି ଜିଲ୍ଲାରେ ଖାଦ୍ୟ ଉତ୍ପାଦନ ପ୍ରଣାଳୀରେ ସୋଲିଡାରିଡାଡ ଓ ଏସକେଏକେ ଫାଉଣ୍ଡେସନର ବର୍ଷ ବ୍ୟାପୀ ଗବେଷଣାର ଫଳାଫଳ ଅଟେ । ଏହି ରିପୋର୍ଟକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମ୍ମାନୀୟ ବ୍ୟକ୍ତି ଓ ଚାଷୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ଏହି ରିପୋର୍ଟରେ ଜଳବାୟୁ ଉପଯୋଗୀ ଚାଷ ମାଧ୍ୟମରେ ଚାଷୀମାନଙ୍କର ଆୟକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ସୁପାରିଶ୍ ପ୍ରଦାନ କରାଯାଇଛି ।
ଡା. ଶତଦ୍ରୁ ଚଟ୍ଟୋପାଧ୍ୟାୟ, ସୋଲିଡାରିଡାଡ ଏସିଆର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ : “ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ । ଏହାର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଅଟନ୍ତି । ଅନ୍ୟପକ୍ଷରେ ପାରମ୍ପରିକ ଚାଷ କୌଶଳ ଦ୍ୱାରା ଚାଷୀମାନେ କମ୍ ଆୟ କରୁଛନ୍ତି ଓ ଏହା ସହିତ ଚାଷ କାର୍ଯ୍ୟରେ ପ୍ରତିକୂଳ ଜଳବାୟୁ ପରିସ୍ଥିତି ଯଥା ଗ୍ରୀଷ୍ମପ୍ରବାହ, ବନ୍ୟା ଓ ଝଡ଼ ଆଦିର ମଧ୍ୟ ବିପଦ ସର୍ବଦା ରହିଛି । ସ୍ମାର୍ଟ କୃଷିରେ ନିବେଶ ହେଉଛି ଏକ ସର୍ବୋତ୍କୃଷ୍ଟ ପ୍ରଣାଳୀ ଯାହା ଦ୍ୱାରା ଓଡ଼ିଶାରେ ଲକ୍ଷ ଲକ୍ଷ ଚାଷୀମାନେ ଉପକୃତ ହୋଇପାରିବେ । ଏହା ସହିତ ଖାପ ଖୁଆଇ କାମ କରିବା ପାଇଁ ଏହି ପ୍ରକଳ୍ପରେ ବିଭିନ୍ନ ପଦକ୍ଷେପ ଏହି ଦୁଇଟି ଜିଲ୍ଲାର ଚାଷୀମାନଙ୍କୁ ସଶକ୍ତ କରିବ । ଏହା ସହିତ ସେମାନେ ନିଜର ଆୟ ବୃଦ୍ଧି କରିବା ସହିତ ଜୀବିକା ନିର୍ବାହରେ ମଧ୍ୟ ଉନ୍ନତି ଆଣିପାରିବେ । ମୁଁ ବିଶ୍ୱାସ କରେ ଯେ ଚଳିତ ଦଶନ୍ଧିରେ ଚାଷ କାର୍ଯ୍ୟ ଆଧୁନିକ ଓ ବଜାର ଅଭିମୁଖୀ ପେଶାଦାରମାନଙ୍କ ଦ୍ୱାରା ଓ ଏକ ସ୍ଥାୟୀ ପ୍ରଣାଳୀ ମାଧ୍ୟମରେ କରାଯିବ ।”
ଡା. ନିଳୟ ରଞ୍ଜନ, ଆଇଡିଆ-ଭୋଡାଫୋନ୍ ଫାଉଣ୍ଡେସନର ମୁଖ୍ୟ କହିଛନ୍ତି ଯେ “ଟେକନୋଲୋଜିର ବ୍ୟବହାର କରି, ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ସ୍ମାର୍ଟ ଏଗ୍ରି ପ୍ରୋଜେକ୍ଟ ଚାଷୀମାନଙ୍କର ଚାଷ କାର୍ଯ୍ୟ ପ୍ରକ୍ରିୟାରେ ଉନ୍ନତି ଆଣୁଛି । ଚାଷୀମାନଙ୍କ ମଧ୍ୟରେ ଟେକ୍‌ନୋଲୋଜିର ବ୍ୟବହାର କରିବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରୁଛି ଓ ‘ଇଂଟେଲିଜେଂଟ’ ସମାଧାନ ମାଧ୍ୟମରେ ଉତ୍ପାଦକତାରେ ମଧ୍ୟ ଉନ୍ନତି ଆସିପାରୁଛି । ଆମ ଦ୍ୱାରା ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଉତ୍ପାଦନର
ପରିମାଣ ବୃଦ୍ଧି ହୋଇଛି, ଉତମ ଶସ୍ୟ ଉତ୍ପାଦନ ସହିତ ଚାଷୀମାନଙ୍କର ଲାଭ ପରିମାଣରେ ମଧ୍ୟ ବୃଦ୍ଧି ହୋଇଛି ଯଦ୍ୱାରା ଏହା ଭାରତୀୟ ଚାଷ କ୍ଷେତ୍ରର ଏକ ସାମାଜିକ ପ୍ରଭାବ ପକାଇବରେ ସକ୍ଷମ ହୋଇପାରିଛି । ଆମେ ଏହି ପ୍ରକଳ୍ପକୁ ଓଡ଼ିଶାରେ ସଂପ୍ରସାରିତ କରୁଥିବାରୁ ଅତ୍ୟନ୍ତ ଆନନ୍ଦିତ ।
ଏହି ଅବସରରେ, ଶ୍ରୀଯୁକ୍ତ ଶୋଭନ କର, ଏସକେଏକେ ଫାଉଣ୍ଡେସନର ମୁଖ୍ୟ କହିଛନ୍ତି ଯେ, “ଓଡ଼ିଶାକୁ ଏହି କାର୍ଯ୍ୟ ପାଇଁ ଚୟନ କରାଯାଇଥିବାରୁ ମୁଁ ଅତ୍ୟନ୍ତ କୃତଜ୍ଞ କାରଣ କୃଷି କ୍ଷେତ୍ରରେ ଏକ ଉପଯୁକ୍ତ କାର୍ଯ୍ୟ କରିବା ପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ ଅଟେ । ସେ କହିଛନ୍ତି ଯେ ସୋଲିଡାରିଡାଡ ଓ ଶରତ କର ଓ ଅନିମା କର ଫାଉଣ୍ଡେସନ ମଧ୍ୟରେ ହୋଇଥିବା ଏହି ସହଭାଗୀତା ପାଇଁ ସେ ଆଶାବାଦୀ ରହିଛନ୍ତି ଯଦ୍ୱାରା ଓଡ଼ିଶାର ଚାଷୀମାନଙ୍କର ଉନ୍ନତି ହୋଇପାରିବ । ଏହି ସହଭାଗୀତାରେ ଲିଙ୍ଗଗତ ସମାନତା ଓ ଟେକ୍‌ନୋଲୋଜିର ସ୍ମାର୍ଟ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଯଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆୟ ମଧ୍ୟ ବୃଦ୍ଧି ହୋଇପାରିବ ।”
ଓଡ଼ିଶାର କଟକ ଠାରେ ଏକ କୃଷି ଉତ୍କର୍ଷତା କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରାଯାଇଛି । ଏହି ସେଂଟରକୁ ସହଯୋଗ କରୁଛନ୍ତି ବରିଷ୍ଠ ବୈଜ୍ଞାନିକ, ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଶେଷଜ୍ଞମାନଙ୍କର ଏକ ଟିମ୍ ଯେଉଁମାନେ ନିୟମିତ ପରାମର୍ଶ ପ୍ରଦାନ କରିବା ସହିତ ଚାଷୀମାନଙ୍କୁ ତାଲମ୍ ପ୍ରଦାନ କରୁଛନ୍ତି ଯଦ୍ୱାରା ସେମାନଙ୍କର ଚାଷ ଅଭ୍ୟାସରେ ଉନ୍ନତି ଆସିପାରିବ । ଏହି କୃଷି ଉତ୍କର୍ଷତା କେନ୍ଦ୍ର ଅନେକ ଗୁଡ଼ିଏ ଗ୍ଲୋବାଲ୍ ଏଗ୍ରିକଲ୍‌ଚର ଇନପୁଟ୍ କମ୍ପାନୀ ସହିତ ସହଭାଗୀତା ସ୍ଥାପନ କରିଛି ଯଦ୍ୱାରା ଓଡ଼ିଶା ପାଇଁ ବିଶ୍ୱ ଶ୍ରେଣୀୟ ଆଧୁନିକ ଉତ୍ପାଦ ଓ ସେବାର ଉପଲବ୍ଧ କରାଯାଇପାରିବ ।

 

 

0
0
0
s2sdefault