ଭୁବନେଶ୍ୱର: ଆଇଟିଆଇ ବଡ଼ବିଲ ଶୁଭାରମ୍ଭ ହେବା ପରଠାରୁ କେନ୍ଦୁଝର ଆଖପାଖ ଅଂଚଳର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ଜ୍ଞାନରେ ବୃଦ୍ଧି ଆଣୁଥିବା ସହ ସେମାନଙ୍କ ପ୍ରଦର୍ଶନକୁ ସୁଦୃଢ଼ କରୁଛି ଯାହା ସେମାନଙ୍କ ବୃତିଗତ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେଉଛି ।
ସାଂପ୍ରତିକ ସ୍ଥିତିରେ ଆଇଟିଆଇ ବଡ଼ବିଲ୍ର ବର୍ଦ୍ଧିତ ଆବଶ୍ୟକତାକୁ ନଜରରେ ରଖି ଏବଂ ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଦୋହରାଇ ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଓ ଖଣି ସଂସ୍ଥା ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍ଏମ୍ଏଲ୍) ପକ୍ଷରୁ ଆଇଟିଆଇ ବଡ଼ବିଲ୍ ପରିସରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ କୋଠା ନିର୍ମାଣ କରିବା ଲାଗି ସହାୟତା ପ୍ରଦାନ କରାଯାଇଛି ।
ଆରସିସି ଫ୍ରେମ୍ ଢ଼ାଂଚାରେ ତାହା ହେଉଛି ଏକ ତିନି ମହଲା କୋଠା ଯାହାକୁ ୪୩୦୦ ବର୍ଗଫୁଟ୍ ଅଂଚଳରେ ନିର୍ମାଣ କରାଯାଇଛି ଓ ସେଥିରେ ୧୨ ସଂଖ୍ୟକ କୋଠରି ରହିଛି ଯେଉଁଥିରେ ୧୦୦ ଛାତ୍ରଛାତ୍ରୀ ରହିପାରିବେ ଏବଂ ତା’ ସହିତ ୬ ଟି ଗାଧୁଆ ଘର/ ଶୌଚାଳୟ, ନଳକୂପ ଜରିଆରେ ପାନୀୟ ଜଳ ବ୍ୟବସ୍ଥା, ୪୦୦୦ ଲିଟର୍ କ୍ଷମତାର ଓଭରହେଡ୍ ଷ୍ଟୋରେଜ୍ ପାଣି ଟାଙ୍କି ଓ ପାଇପଲାଇନ୍, ବିଦ୍ୟୁତ୍କରଣ ଏବଂ ବୃକ୍ଷରୋପଣ ଜରିଆରେ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ଆଦି ବ୍ୟବସ୍ଥା ରହିଛି । କଂପାନି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ ଇସ୍ପାତ ଶଯ୍ୟା ଯୋଗାଇ ଦିଆଯାଇଛି । ତାହାର ଉପଯୁକ୍ତ ବ୍ୟବହାର ଲାଗି ଏହି ପ୍ରକଳ୍ପକୁ ୨୦୧୦-୧୧ରେ ଆଇଟିଆଇ, ବଡ଼ବିଲ୍କୁ ହସ୍ତାନ୍ତର କରାଯାଇଥିଲା ।
ଏଥି ସହିତ କଂପାନି ପକ୍ଷରୁ ୨୦୧୫-୧୬ରେ ୧୬ ଲକ୍ଷ ଟଙ୍କାର ପ୍ରକଳ୍ପ ଖର୍ଚ୍ଚରେ ଆଇଟିଆଇ ବଡ଼ବିଲର ମୁଖ୍ୟ ଫାଟକ, ୭୦୦୦ ବର୍ଗଫୁଟ୍ରୁ ଅଧିକ ଅଂଚଳରେ ପେଭର୍ ବ୍ଲକ୍ ବିଛାଇବା ଏବଂ ୨୩୦୦ ବର୍ଗଫୁଟ୍ର ପାଚେରୀର ଉଚ୍ଚତା ବୃଦ୍ଧି ଆଦି କାର୍ଯ୍ୟ କରାଯାଇଥିଲା ।
କେନ୍ଦୁଝର ଭଳି ଗରିବ ଓ ଅଳ୍ପ ବିକଶିତ ଜିଲ୍ଲାର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କ ଦକ୍ଷତାରେ ବୃଦ୍ଧି ସହ କୌଶଳ ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହି ଅଭିଯାନ ନିଶ୍ଚିତ ରୂପେ କୌଶଳ ବିକାଶ ଉଦ୍ୟମ ପ୍ରତି ସହାୟକ ହେବ । ଏକ ଉତ୍କୃଷ୍ଟ ଓ ଦକ୍ଷ ଶ୍ରମଶକ୍ତି ବଜାର ବିକଶିତ କରି ଏହି ନିବେଶ ଲାଭଦାୟକ ସ୍ଥିତି ସୃଷ୍ଟି କରିଛି ଏବଂ ତେଣୁ ଜିଲ୍ଲା ଯୁବପିଢ଼ିଙ୍କ ନିଯୁକ୍ତି ହାସଲ କ୍ଷମତାରେ ଉନ୍ନତି ଆଣିପାରିଛି ।