ହେଡଲାଇନସ୍:

ବ୍ଲକ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକ କଳାକାରମାନଙ୍କର କଲ୍ୟାଣ ନିମନ୍ତେ ସମସ୍ତ ପ୍ରୟାସ ଜାରି ରହିବ- ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର: ଉତ୍କୃଷ୍ଟ କଳା ଯୋଗୁଁ ପୂର୍ବେ ଓଡିଶା ଉତ୍କଳ ନାମରେ ଖ୍ୟାତ ଥିଲା । ଆମ କାରୀଗରମାନଙ୍କର ପଥରକୁ ଜୀବନ୍ତ ମୂର୍ତ୍ତି କରିବାର ପ୍ରମାଣ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିର । ସେହିପରି ଲୋକକଳା, ଲୋକନୃତ୍ୟ, ଗୀତ, ସଂଗୀତ ଆଦି କଳାର ବିଲୟ ନାହିଁ । କଳା ହେଉଛି କଳାକାରଙ୍କୁ ମିଳିଥିବା ଆଜନ୍ମ ବରଦାନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳା ଓ କଳାକାରଙ୍କ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରିଆସୁଛନ୍ତି । ତାଙ୍କରି ମାର୍ଗ ଦର୍ଶନରେ ୨୦୧୧ ମସିହାରେ ବ୍ଲକ କଳା ସଂସ୍କୃତି ସଂଘ ଓ ଜିଲ୍ଲା କଳାକାର ସଂଘ ଗଠନ ହୋଇଥିବା ଓ ପରେ ନଗର କଳା ସଂସ୍କୃତି ସଂଘ ଏବଂ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପ୍ରଚାର ପ୍ରସାର ଓ ଜନସଚେତନତା ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ଲୋକ କଳାକାରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଆସିଛି । ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଥିବା ସମୟରେ ଲୋକ କଳାକାରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କର କଳା ପ୍ରଦର୍ଶନର ସୁଯୋଗ ବ୍ୟାଘାତ ହେବା ସାଙ୍ଗକୁ ଜୀବିକାର୍ଜନରେ ମଧ୍ୟ ଗଭୀର ପ୍ରଭାବ ପଡିଥିଲା । ଏବେ କରୋନା କଟକଣା କୋହଳ ପରେ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ଆଗକୁ ସେମାନଙ୍କୁ କିପରି ଅଧିକ ସାହାଯ୍ୟ କରିପାରିବେ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି ଏବଂ ଲୋକକଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଆଜି ରାଜ୍ୟ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ବ୍ଲକ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା , ସାହିତ୍ୟ, ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଭଞ୍ଜ କଳାମଣ୍ଡପ ସମ୍ମିଳନୀ କକ୍ଷରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ କହିଲେ ଯେ, ରାଜ୍ୟରେ ଲୋକ କଳାକାରମାନଙ୍କ ଉନ୍ନତି ପାଇଁ ବ୍ଲକ ତଥା ଜିଲ୍ଲା ସଂସ୍କୃତି ସଂଘଗୁଡିକୁ ସହଯୋଗ କରିବା ନିମନ୍ତେ ପୂର୍ବରୁ ରାଜ୍ୟରେ ୧୦ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଥିବା ବେଳେ ଇତି ମଧ୍ୟରେ ମୋଟ ୨୭ ଟି ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ପୂରଣ ହୋଇ ସାରିଛି ଅନ୍ୟ ଜିଲ୍ଲାରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକୃତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଏକ ନୂଆ ବ୍ୟବସ୍ଥା ଓ ଏ ସଂପର୍କରେ ସମସ୍ତେ ଅବଗତ ହେବା ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଗୁରୁତ୍ୱାରୋପ କରିଥିଲେ । ବ୍ଲକ ଜରିଆରେ ବିଭିନ୍ନ ବିଭାଗର ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇ.ଇ.ସି) କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସଂସ୍କୃତି ବିଭାଗର ସହଯୋଗରେ କିପରି ଲୋକ କଳାକାରମାନେ ଅଧିକରୁ ଅଧିକ କଳା ପ୍ରଦର୍ଶନର ସୁଯୋଗ ନେଇ କର୍ମନିଯୁକ୍ତି ପାଇପାରିବେ, ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ପାଢୀ କହିଥିଲେ । ୨୦୧୧ରୁ ଅଦ୍ୟାବଧି ପ୍ରାୟ ୫୦ କୋଟି ଟଙ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକ କଳାକାରମାନଙ୍କଦ୍ୱାରାକରାଯାଇଥିବା ପ୍ରକାଶ କରିଥିଲେ । ତେବେ ୨୦୨୦-୨୧ରେ କରୋନା ସଂକ୍ରମଣ ପ୍ରଭାବରୁ ଅର୍ଥନୀତି,ମନୋରଞ୍ଜନ, ପର୍ଯ୍ୟଟନ ଆଦି ବହୁ କ୍ଷେତ୍ର ପ୍ରଭାବିତ ହୋଇଥିବା ସ୍ଥଳେ ଏବେ କଟକଣା କୋହଳ ହେବା ପରେ ସମସ୍ତଙ୍କୁ ନୂତନ ମନୋବଳ ନେଇ ଆଗକୁ ବଢିବାର ଅଛି ବୋଲିଶ୍ରୀ ପାଢୀ ପ୍ରକାଶ କରିଥିଲେ ।

ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ଓଡିଶାର ଜିଲ୍ଲା, ବ୍ଲକ ତଥା ରାଜ୍ୟ କଳାକାର ସଂସ୍କୃତି ସଂଘ ସମଗ୍ର ଦେଶରେ ମଡେଲ ହୋଇଛି । ଏବେ ପ୍ରାୟ ୩ ଲକ୍ଷ ଲୋକକଳାକାର ଏହି ବ୍ୟବସ୍ଥାରେ ଯୋଡି ହୋଇଛନ୍ତି । ଏବେ ବିକଶିତ କରାଯାଇଥିବା କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଦ୍ୱାରା ସବୁ କଳାକାରମାନେ ସମାନ ସୁଯୋଗ ପାଇବେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଗାମୀ ଅକ୍ଟୋବର ମାସରେ ବେଙ୍ଗାଲୁରୁଠାରେ ଓଡିଶା ପର୍ବ ହେବାକୁ ଯାଉଛି । ଲୋକକଳାକୁ ପ୍ରୋତ୍ସାହନ ଦେବା , ଓଡିଶାର ଲୋକ କଳାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ଏଥିରେ ଗୋଟିଏ ଦିନ ଲୋକକଳା ପ୍ରଦର୍ଶନର ସୁଯୋଗ ରହିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଜିର କର୍ମଶାଳାରେ ରାଜ୍ୟର ୩୧୪ ବ୍ଲକ ତଥା ୩୦ ଟି ଜିଲ୍ଲାରୁ ଜିଲ୍ଲା କଳା ସଂସ୍କୃତି ସଂଘ ଏବଂ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଯୋଗଦେଇ କହିଥିଲେ ଯେ, ଜିଲ୍ଲା ତଥା ବ୍କକ ଲୋକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ବହୁ କଷ୍ଚ ସ୍ୱୀକାର କରି ସଂଘଗୁଡିକୁ ଗଠନ କରିଛନ୍ତି । ୨ ବର୍ଷ ଧରି କଳାକାରମାନେ କଷ୍ଟକର ସ୍ଥିତିରେ ରହିଛନ୍ତି । ଏବେ ବହୁ ଯୁବପିଢି ଲୋକ କଳା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଜିଲ୍ଲା, ବ୍ଲକ ଏବଂ ନଗର ସଂସ୍କୃତି ସଂଘରେ ଥିବା ଆବର୍ତ୍ତନ ପାଣ୍ଠି ବୃଦ୍ଧି, ରାଜ୍ୟ ତଥା ବ୍କକରେ କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରାଜ୍ୟରେ ୩ ଲକ୍ଷ ମାନବ ସଂବଳ ଲୋକଙ୍କ ପାଖରେ ରାଜ୍ୟର କଳା, ସଂସ୍କୃତିକୁ ବଂଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ । ପ୍ରକାଶ ଥାଉକି, ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ମାନେ ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ରହିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ ଏବଂ ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ଶାଖାର ଉଚ୍ଚ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେସ୍ୱାଗତ ସଂଗୀତରେ ‘ବନ୍ଦେ ଉତ୍କଳ ଜନନୀ’ପରିବେଷଣ କରିଥିଲେ ।

 

0
0
0
s2sdefault