ହେଡଲାଇନସ୍:

ଦେଶାତ୍ମବୋଧ ପରିବେଶ ମଧ୍ୟରେ  ରାଉରକେଲା ଇସ୍ପାତ କାରଖାନାରେ ପାଳିତ ହେଲା  ୭୨ ତମ ସ୍ଵାଧୀନତା ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ ସୁଶାନ୍ତ ବେହେରା:  ଦେଶାତ୍ମବୋଧ ପରିବେଶ ମଧ୍ୟରେ ଆନନ୍ଦ ଓ ଉତ୍ସାହର ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୭୨ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ଵିନୀ କୁମାର, ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ସିଆଇଏସଏଫ, ଓଏସଏପି ଏବଂ ଅଗ୍ନିଶମ  କଣ୍ଟିଜେଣ୍ଟ ମାନଙ୍କ ଚିତ୍ତାକର୍ଷକ ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। 

ଏହି ଅବସରରେ ରାଉରକେଲାବାସୀଙ୍କୁ ଅଭିବାଦନ ଜଣାଇ ଶ୍ରୀ କୁମାର କହିଥିଲେ ଯେ, “ଭାରତ ବର୍ଷର ସ୍ଵାଧୀନତା ଓ ଗୌରବ ପାଇଁ ବହୁ ଦୁଃଖ ଦୁର୍ଦ୍ଦଶା ସହନ କରି ଦେଶର ବହୁ ଜନନାୟକ ଓ ଅଗଣିତ ସ୍ଵାଧୀନତା ସଂଗ୍ରାମୀମାନେ ସେମାନଙ୍କ ଅସୀମ ତ୍ୟାଗ ଏବଂ ବଳିଦାନ ଦ୍ଵାରା ଏକ ସମୃଦ୍ଧ ଓ ପ୍ରଗତିଶୀଳ ରାଷ୍ଟ୍ରର କାମନା କରିଥିଲେ। ବିଗତ ସାତ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ମଧ୍ୟରେ ଭାରତ ଉକ୍ତ ଲକ୍ଷ୍ୟ ହାସଲ ଦିଗରେ ଦୃତଗତିରେ ଅଗ୍ରଗତି କରିଛି ।”

ସିଇଓ ମାତୃଭୂମିର ସେବା ନିମନ୍ତେ ଆରଏସପିର ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ, “ରାଷ୍ଟ୍ର ଆମ ଉପରେ ନ୍ୟସ୍ତ କରିଥିବା ଆଶା ଓ ଆକାଂକ୍ଷା ପୂରଣ ଦିଗରେ ସର୍ବଦା ସଚେତନ ରହି ଦେଶ ତଥା କାରଖାନାର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିଆସୁଛୁ । ବିଗତ ଛଅ ଦଶନ୍ଧି ମଧ୍ୟରେ ଆମେ ରାଷ୍ଟ୍ର ନିର୍ମାଣ ଦିଗରେ ୮୧ ନିୟୁତ ଟନରୁ ଅଧିକ ଇସ୍ପାତ ଉତ୍ପାଦନ କରି ଦେଶକୁ ବିଭିନ୍ନ କ୍ଷେତ୍ରରେ ସୁଦୃଢ କରିପାରିଛୁ ।”

ଇସ୍ପାତ କାରଖାନାର ଉତ୍ପାଦନ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ପରିବେଶ ପରିଚାଳନା, ସୁରକ୍ଷା, ମାନବ ସମ୍ବଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ପ୍ରୟାସ ସମ୍ପର୍କରେ ସେ ଅବତାରଣା କରିଥିଲେ। 

“ଦେଶର ୭୨ତମ ସ୍ଵାଧୀନତା ଦିବସର ଏହି ଶୁଭ ଅବସରରେ ଆସନ୍ତୁ ଆମ ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମଥାନତ କରି ପ୍ରଣିପାତ କରିବା ଏବଂ ଦେଶର ସର୍ବାଙ୍ଗୀନ ବିକାଶ ଦିଗରେ ନିଜକୁ ପୁନଃଉତ୍ସର୍ଗ କରିବା। ଆସନ୍ତୁ  ଆମେ ସଂକଳ୍ପ ନେବା ଯେ, ଆମର ପ୍ରତ୍ୟେକ ପ୍ରୟାସ ଦେଶକୁ ଉତ୍କୃଷ୍ଟତା ଦିଗରେ ଅଗ୍ରସର କରାଇବ ଏବଂ ଭାରତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଶକ୍ତି ଓ ସାମର୍ଥ୍ୟର ଏକ ନୂତନ ପରିଭାଷା ଅଙ୍କିତ କରିବ,” ବୋଲି ସେ ମତବ୍ୟକ୍ତ କରିଥିଲେ। ପରେ ସିଇଓ, ସ୍ଵାଧୀନତା ଦିବସ ପ୍ୟାରେଡର ଶ୍ରେଷ୍ଠ ପ୍ରଦର୍ଶନକାରୀ କଣ୍ଟିଜେଣ୍ଟମାନଙ୍କୁ ପୁରସ୍କାର ବିତରଣ କରିଥିଲେ।  

ଅନୁରୂପ ଭାବେ ସେକ୍ଟର ୨୨ ଫୁଟବଲ ପଡିଆରେ ଆୟୋଜିତ ସ୍ଵାଧୀନତା ଦିବସ ଉତ୍ସବରେ ଶ୍ରୀ କୁମାର ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ଚିତ୍ତାକର୍ଷକ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ସେ, ଶ୍ରେଷ୍ଠ ପ୍ୟାରେଡ ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ, ସଂଘତିର ଉପାଧ୍ୟକ୍ଷା ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ ତଥା କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ବିଶିଷ୍ଟ  ନାଗରିକ, ଗଣମାଧ୍ୟମ ପ୍ରତିନିଧି ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିପୁଳ ଜନସାଧାରଣ ଉପସ୍ଥିତ ଥିଲେ। 

ପରେପରେ  ଶ୍ରୀମତୀ ସବିତା କୁମାରୀ ଏବଂ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ଓ କର୍ମକର୍ତ୍ତାମାନେ ଇସ୍ପାତ ଜେନେରାଲ ହସ୍ପିଟାଲ ଗସ୍ତ କରିବା ସହିତ ବିଭିନ୍ନ ୱାର୍ଡର ରୋଗୀମାନଙ୍କ ମଧ୍ୟରେ ଫଳ ବିତରଣ କରିଥିଲେ। ଏହି ଅବସରରେ ଚିକିତ୍ସା ଓ ସ୍ଵାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡାକ୍ତର ଏସ ଏସ ପତି ଓ ବହୁ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। 

0
0
0
s2sdefault