କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ଜନାଦୃତି ଉପରେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର: ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାର ଦ୍ୱାରା କୃଷିରେ ନିୟୋଜିତ ଗ୍ରାମୀଣ କୃଷିଜୀବୀ ମହିଳା ଓ ଶ୍ରମିକମାନଙ୍କ ଶ୍ରମ ଲାଘବ କରିହେବ । ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊଦ୍ଧ୍ୱର୍ ମହିଳା କୃଷି ଶ୍ରମିକ ହୋଇଥିବାବେଳେ କୃଷି ଯନ୍ତ୍ରପାତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମହିଳା ଚାଷୀ ଓ ଶ୍ରମିକମାନଙ୍କ କୃଷି କାର୍ଯ୍ୟଜନିତ ଶ୍ରମ ଲାଘବ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମହିଳା ଶ୍ରମିକମାନେ ନିୟୋଜିତ ହେଉଥିବା ବିହନ ବୁଣା, ରୁଆ, ଫସଲ କଟା, ତୋଳା, ଅମଳ, ଚୋପା ବାହାର କରିବା ଆଦି କାର୍ଯ୍ୟରେ ଛୋଟ ଛୋଟ ଯନ୍ତ୍ରପାତିର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଦରକାର । କୃଷି ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ପରିପ୍ରେକ୍ଷୀରେ କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରୟସାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ ।
କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିବାବେଳେ ଜିଲ୍ଲା ଓ ବ୍ଲକ୍ ସ୍ତରରେ କୃଷି ମେଳା ଆୟୋଜନ ମାଧ୍ୟମରେ କୃଷି ଯନ୍ତ୍ରପାତିର ବିକି୍ରବଟାକୁ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ କୃଷି ଯନ୍ତ୍ରପାତିର ପ୍ରଚାର ଓ ବିକ୍ରିବଟାର ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବ୍ଲକ୍ସ୍ତରରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଗୁଡ଼ିକରେ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କୃଷି ଯନ୍ତ୍ରପାତିର ଏପରି ବ୍ୟବହାର କରିବାକୁ ପଡ଼ିବ, ଯେପରି ଅଧିକରୁ ଅଧିକ ଗ୍ରାମୀଣ କୃଷିଜୀବୀ ମହିଳା ଓ ଶ୍ରମିକମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଉନ୍ନତ କୃଷି ଉପକରଣ ବ୍ୟବହାରକୁ ବୃଦ୍ଧି କରି ମହିଳାମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ହସ୍ତଚାଳିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ୫୦ ପ୍ରତିଶତ ସବ୍ସିଡ଼ି ପ୍ରଦାନ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସେହିଭଳି ମୋଟରଚାଳିତ କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ ସାଧାରଣ ବର୍ଗଙ୍କୁ ୪୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କୁ ୫୦ ପ୍ରତିଶତ ସବ୍ସିଡିର ବ୍ୟବସ୍ଥା ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ଭାଲଙ୍କ ସମେତ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଆପିକଲର ପରିଚାଳନା ନିର୍ଦ୍ଦେଶକ, ଏନ୍ଆର୍ଆର୍ଆଇ, ସିୱାର ନିର୍ଦ୍ଦେଶକ, କୃଷି ଓ ଯାନ୍ତ୍ରିକ ମହାବିଦ୍ୟାଳୟର ଡିନ୍, କୃଷି ବିଭାଗର ମୁଖ୍ୟଯନ୍ତ୍ରୀ, ମିଶନ ଶକ୍ତିର ପ୍ରତିନିଧି, ଓଏଫ୍ଏମ୍ଆର୍ଡ଼ିସିର ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।