ହେଡଲାଇନସ୍:

ମହାମନୀଷୀମାନଙ୍କ ପଦାଙ୍କ ଅନୁସରଣ କରି ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ବଜାୟ ରଖିବା ନିମନ୍ତେ ସମସ୍ତ ସଂକଳ୍ପ ବଦ୍ଧ ହେବା- ମହାରଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି  )- ଆଜି ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶମାତୃକାର ସେବା ପାଇଁ ମହାନ ତ୍ୟାଗ ଓ ନୀତି ଆଦର୍ଶ ସୃଷ୍ଟି କରିଯାଇଥିବା ସେହି ଭାରତୀୟ ମହାମନୀଷୀମାନଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରି ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ବଜାୟ ରଖିବା ନିମନ୍ତେ ସମସ୍ତେ ସଙ୍କଳ୍ପ ବଦ୍ଧ ହେବାକୁ ବାରିପଦା ପୁଲିସ ପ୍ୟାରେଡ଼ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମହାରଥୀଙ୍କ ଭାଷଣରେ କିଛି ନୂତନତ୍ୱ ରହିନଥିଲା । ୨୦୧୯ରେ ଅନୁଷ୍ଠିତ  ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ମୟୂରଭଞ୍ଜବାସୀଙ୍କୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପକ୍ଷରୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମହାରଥୀ କିଛି ଗୋଟାଏ ଘୋଷଣା କରିବେ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ; ମାତ୍ର ମନ୍ତ୍ରୀ ତାଙ୍କ ଭାଷଣରେ ସେ ଦିଗରେ ମୁହଁ ଖୋଲି ନ ଥିବାରୁ ଜିଲ୍ଲାବାସୀଙ୍କ ହୃଦୟରେ ଗଭୀର ଆଘାତ ପହଁଞ୍ଚାଇଛି । ମୁଖ୍ୟ ଅତିଥିଙ୍କ ଭାଷଣ କେବଳ ମୁଖ୍ୟମନ୍ତ୍ର ସଡ଼କ ଯୋଜନା, ବିଜୁ ଗାଁ ଗାଡ଼ି ଯୋଜନା, ଓଡ଼ିଶା ଜୀବୀକା ମିଶନ ଯୋଜନା ଆଦି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଧାରିତ ରହିଥିଲା । ସେହିପରି ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନସ୍ଥଳୀ ସହିତ ଦାସାୟା ନୃତ୍ୟ, କଳସ ନୃତ୍ୟ, ଛଉନୃତ୍ୟ ଆଦି ବିଭିନ୍ନ କଳା ଓ ଭାସ୍କର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରହିଥିବା ସମୟରେ ମୟୂରଭଞ୍ଜ ପ୍ରଜା ଆନ୍ଦୋଳନରେ ସାମିଲ ହୋଇଥିବା ମୟୂରଭଞ୍ଜର ଗାନ୍ଧୀ ଶରତ ଚନ୍ଦ୍ର ଦାଶ, ଗିରିଶ ଚନ୍ଦ୍ର ରାୟ, ହୁଡ଼ୁ ସଂ, ପ୍ରସନ୍ନ ଦାଶ, ସୁନାରାମ ମାଝି, ସୁନାରାମ ସୋରେନ, ସାକିଲା ସୋରେନ, ଲକ୍ଷବଚ୍ଚ ମାଝି, କୈଳାଶ ଚନ୍ଦ୍ର ନାୟକ, ପୂର୍ଣ୍ଣ ଚନ୍ଦ୍ର ପରିଚ୍ଛା, ବଂଶୀଧର ରାଜ, ଗୌର ମୋହନ ରାଜ ପ୍ରମୁଖଙ୍କ ସମେତ ଭାରତ ସ୍ୱାଧୀନତା ଆନେ୍ଦାଳନରେ ଝାସ ଦେଇଥିବା ମହାତ୍ମା ଗାନ୍ଧୀ, ସୁବାଷ ବୋଷ, ରାଜ ଗୋପାଲ ଚାରୀ, ମୌଲାନା ଆଜାଦ୍, ଭଗତ ସିଂ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ବିପିନ ଚନ୍ଦ୍ର ପାଲ, ଝାନସୀ ରାଣୀ ଲକ୍ଷ୍ମୀବାଇ ଓ ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ବୀର ବୀର ସୁରେନ୍ଦ୍ର ସାଏ, ଭଗତ ସିଂ, ଲକ୍ଷବଚ୍ଚ ନାୟକ, ଗୋପବନ୍ଧୁ ଦାଶ, ମଧୁବାବୁ, ଆଚାର୍ଯ୍ୟ ହରିହର, ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ଅବଦାନକୁ ସ୍ମରଣ କରାଇଥିଲେ । ମୁଖ୍ୟ ଅତିଥି ଅଗଷ୍ଟ ୧୫ ପୂର୍ବାହ୍ନ ୯.୧୫ରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପୁଲିସ ଓ ପାରାମିଲିଟେରୀ ଫୋର୍ସ ଦ୍ୱାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ, ଅଧିକାରୀ,  ଆମନ୍ତ୍ରିତ ଅତିଥ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ  ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଶେଷରେ ୨୦୧୮ ଏଚଏସସି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଶ୍ରୀତମ ପାତ୍ର, ସୁନାରାମ ମୁର୍ମୁ, ସୌମ୍ୟଦୀପ ପ୍ରଧାନ, ଯୋଗରେ ଜାତୀୟସ୍ତରରେ ଯୋଗରେ ଅଂଶ ଗ୍ରହଣ କରିଥିବା ସ୍ମୃତିରେଖା ବେହେରା, ଫୁଟବଲରେ ରାଇସେନ ଟୁଡ଼ୁ, ରଗବୀରେ ଜାତୀୟ ପଦକ ବିଜେତା ଆରତୀ ମୁର୍ମୁ, ରୁଇବାରୀ କିସ୍କୁ, ଭାରଉତ୍ତୋଳନରେ ଧାନିମଣି ଟୁଡ଼ୁ ପ୍ରମୁଖଙ୍କ ସମେତ ବିଭିନ୍ନ ସଫଳ ପ୍ରତିଭାଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । 

0
0
0
s2sdefault