ରାଉରକେଲା ମହାନଗର ନିଗମ ପକ୍ଷରୁ “ମୋ ବହି ମୋ ସାଥି – Read to Lead” କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଉରକେଲା/Sushanta behera  :  ମୋ ବହି ମୋ ସାଥି, ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା। ଏହିପରି କଛି ମୂଳମନ୍ତ୍ର ନେଇ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ବା ମହାନଗର ପାଠାଗାରରେ “ମୋ ବହି ମୋ ସାଥି – Read to Lead” କାର୍ଯ୍ୟକ୍ରମ  ଶୁଭାରମ୍ଭ କରାଯାଇଛି। 

ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର କମିଶନର ଶ୍ରୀମତି ରଶ୍ମିତା ପଣ୍ଡା ସଭାପତିତ୍ୱ କରିଥିବା ବେଳେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ  କର୍ତ୍ତୃପକ୍ଷର ଅଧ୍ୟକ୍ଷ ସନ୍ତୋଷ ଅମାତ,  ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମୋନିଷା ବାନାର୍ଜୀ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ହିମାଂଶୁ ଶେଖର ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଟୁକୁ ବାରିକ, ବି.ଏଡ୍ କଲେଜର ଅଧ୍ୟକ୍ଷା ଶ୍ରୀମତି ବସନ୍ତ ମଞ୍ଜରୀ ରାୟ, ବିପିୟୁଟିର ନିର୍ଦ୍ଦେଶକ ମୋତିଲାଲ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। 

ଅନ୍ୱେଷା ଛାତ୍ରାବାସରେ ରହୁଥିବା ପ୍ରାୟ ୫ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ପଠନ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ପାଠାଗାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତି ପଣ୍ଡା ନିଜ ଉଦବୋଧନରେ କହିଥିଲେ। ଏହି ପାଠାଗାର ଦିନ ୧0ଟାରୁ ଆରମ୍ଭ ହୋଇ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ। ତାପରେ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହାକୁ ଅନ୍ୱେଷା ହଷ୍ଟେଲର ଛାତ୍ରଛାତ୍ରୀ ମାନେ ବ୍ୟବହାର କରିବେ। ଅନ୍ୱେଷା ହଷ୍ଟେଲର ଅନ୍ତେବାସୀ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ରାଉରକେଲା ବି.ଏଡ୍ କଲେଜର ୫ ଜଣ ଛାତ୍ରୀ ପ୍ରତିଦିନ ଏଠାକୁ ଆସି ସେମାନଙ୍କୁ ବିଦ୍ୟାଦାନ କରିବେ। ସେହିପରି ପ୍ରତି ରବିବାର ଦିନ ବିଜୁ ପଟ୍ଟନାୟକ ୟୁନିଭର୍ସିଟିର ଛାତ୍ରଛାତ୍ରୀ ମାନେ ଆସି ଏଠାରେ ପିଲାଙ୍କୁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଯାନ୍ତ୍ରୀକ ଏବଂ ଗଣିତ ବିଷୟରେ ଅଧିକ ଜ୍ଞାନ ବାଣ୍ଟିବେ। ସେହିପରି ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ। ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ମୁନିସିପାଲ୍ କଲେଜର ଛାତ୍ରଛାତ୍ରୀ ମାନେ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିବା ଶ୍ରୀମତି ପଣ୍ଡା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ରାଉରକେଲା ମହାନଗର ନିଗମର ଏଭଳି ମହନୀୟ ପ୍ରୟାସକୁ ସ୍ୱାଗତ କରିବା ସହ ନିଶ୍ଚିତ ଭାବେ ଏହା ସହରବାସୀଙ୍କ ଜ୍ଞାନ ପିପାସାକୁ ମେଣ୍ଟାଇବାରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ କରିଥିଲେ। ଜ୍ଞାନର ଅନ୍ତ ନାହିଁ ଏବଂ ଜ୍ଞାନ ଆହରଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସସୀମା ବି ନାହିଁ। ତେଣୁ ଏହି ପାଠାଗାର, ଜ୍ଞାନ ଆହରଣ କରିବାର ଏବଂ ନିଜ ଜ୍ଞାନର ପରିସୀମାକୁ ବ୍ୟାପ୍ତ କରିବାର ଏକ ବଳିଷ୍ଠ ମାଧ୍ୟମ ହେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। 

ଅନ୍ବେଷା ଛାତ୍ରାବାସର ୨ ଜଣ ଅନ୍ତେବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ମତ ରଖିଥିଲେ। ଏଭଳି ପାଠାଗାର ମାଧ୍ୟମରେ ନିଜର ପ୍ରତିଭା ବିକାଶର ସୁଯୋଗ ପାଇ ସେମାନେ ଧନ୍ୟ ମଣୁଥିବା କହିଥିଲେ। 

କାର୍ଯ୍ୟକ୍ରମ ଆରମ୍ଭରେ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ଶ୍ରୀମତି ସୁଷମା ବିଲୁଙ୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ମହାନଗର ନିଗମ ପକ୍ଷରୁ ପାଠାଗାର ନିମନ୍ତେ ପୁସ୍ତକ ପ୍ରଦାନ କରିଥିବା ବିଭିନ୍ନ ସଂସ୍ଥା ଓ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ତଥା ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ବିପିୟୁଟି, ବି.ଏଡ୍ କଲେଜ ଓ ମୁନିସିପାଲ କଲେଜ କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ

0
0
0
s2sdefault