ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମେଧାସମ୍ମାନ ୨୦୨୨ରେ ସମ୍ମାନିତ ହେଲେ ୬ଶହ ୪୩ ଜଣ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୬ଶହ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ଦିନ ଓଡ଼ଗାଁ ବ୍ଳକରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ମେଧା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଓଡ଼ଗାଁ ବ୍ଳକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ମେଧା ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ମେଧାବୀ ମନେ କରିବା ଉଚିତ ନୁହେଁ । ଜୀବନଚର୍ଯ୍ୟାରେ ନିଜକୁ ଶୃଙ୍ଖଳିତ ଓ ପରିଶ୍ରମି କରିବା ସହିତ ଜନ୍ମଭୂମି, ରାଜ୍ୟ ଏବଂ ଦେଶ ପ୍ରତି ଅନୁରକ୍ତି ଭାବନା ରଖି ପରବର୍ତ୍ତୀ ଜୀବନକୁ ସରସ ସୁନ୍ଦର କରି ଗଢିତୋଳିଲେ ମେଧାବୀ ଛାତ୍ରଛାତ୍ରୀଙ୍କ ମହତ୍ଵ ବଜାୟୀ ରହିବ ବୋଲି ବିଧାୟକ ଡ. ସାହୁ ମତ ରଖିଥିଲେ । ଏଥି ସହିତ ସମୟାନୁକ୍ରମରେ ଛାଡି ଆସିଥିବା ବିଦ୍ୟାଳୟ ଗୁଡ଼ିକୁ ପ୍ରତି ଶ୍ରଦ୍ଧା ରହିବା ଉଚିତ ।
କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଝିଲ୍ଲୀ ପ୍ରଧାନ, ବିରଜା ଲକ୍ଷ୍ମୀ ସାହୁ, ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପଞ୍ଚାୟତର ଜନ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।