୨୯ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ସୁବିଧାରୁ ବଂଚିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ସାରା ଓଡ଼ିଶାରେ ଗ୍ରାମ୍ୟନିର୍ମାଣ ବିଭାଗ, ମଣ୍ଡଳ, ବିଭାଜନ, ସବଡ଼ିଭିଜନ ଓ ସେକ୍ସସନରେ ୭୦୯ ଜଣ କର୍ମଚାରୀମାନେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଆସୁଛନ୍ତି । ଏହି କର୍ମଚାରୀମାନେ ୧୯୯୩ ବର୍ଷ ପରଠାରୁ ଅର୍ଥାତ ଦୀର୍ଘ ୨୯ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ସ୍ଥାୟୀ ଦରମା ବା କୌଣସି ସୁବିଧା କରାଯାଇନାହିଁ । ଏହାନେଇ ସମସ୍ତ ଅସ୍ଥାୟୀ କର୍ମଚାରୀ ମାନେ ସରକାରଙ୍କ ନିକଟରେ ବହୁବାର ନିଜର ଆପତି ଅଭିଯୋଗ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ । ଯାହାକୁ ନେଇ ଚଳିତ ତା.୦୪.୦୭.୨୦୨୨ ରୁ ସମଗ୍ର ଓଡ଼ିଶାରେ କାର୍ଯ୍ୟରତ ଥିବା ସମସ୍ତ ଅସ୍ଥାୟୀ କର୍ମଚାରୀମାନେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୧୯ ଦିନ ଧରି ଖରା, ବର୍ଷା, ଶୀତ , କାକର , ଝଡ଼ଝଞ୍ଜା ସହି ଧର୍ମଘଟ ଓ ଧାରଣରେ ବସି ରହିଛନ୍ତି । ଏନେଇ ସମସ୍ତ କର୍ମଚାରୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚ୍ଚିବ , ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ ଉଚ୍ଚପଦସ୍ଥ ଙ୍କ ନିକଟରେ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳିନାହିଁ । ଏଠାରେ ସୂଚନାଯୋଗ୍ୟ କି ଗତ ୨୦୨୧ ମସିହାରେ ଏହି ୭୦୯ ଜଣଙ୍କ ମଧ୍ୟରୁ ଗ୍ରାମ୍ୟଉନ୍ନୟନ ବିଭାଗରେ ଇଲେକ୍ଟ୍ରିକାଲ ଭାବେ କାର୍ଯ୍ୟ କରୁଥିବା ୯୮ ଜଣଙ୍କୁ ନିୟମିତ କରାଯାଇଥିଲା ବେଳେ କିନ୍ତୁ ସେଥିମଧ୍ୟରୁ ଗ୍ରାମ୍ୟଉନ୍ନୟନ ବିଭାଗରେ ନିର୍ମାଣ ବିଭାଗରେ କାର୍ଯ୍ୟରତ ୬୧୧ ଜଣ କର୍ମଚାରୀମାନଙ୍କୁ ଏପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳିପାରିନାହିଁ । ତେବେ ଦୀର୍ଘ ୨୯ବର୍ଷ ଧରି ବହୁ ଦୁଃଖ କଷ୍ଟରେ ସମସ୍ତ କର୍ମଚାରୀମାନେ ନିଜ ପରିବାର ପ୍ରତିପୋଷଣ କରିବା ନିମନ୍ତେ ନାନା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ଖାଲି ଦରମା କହିଲେ ଯେତେବେଳେ କାର୍ଯ୍ୟ ହୁଏ ସେତିକିବେଳେ ଦିନେ ଅଧେ ଖାଲି କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ପକ୍ଷରୁ ଯାହା ମିଳେ । ସେହି ଅଳ୍ପ କିଚିଂତ ଟଙ୍କା ପାଇ ନିଜର ପରିବାର ପ୍ରତିପୋଷଣ ସହ ପିଲା, ଛୁଆକୁ ପାଠ ପଢାଇ ବଡ଼ କରିବା କେତେ ଯେ କଷ୍ଟଦାୟକ ତାହା କାହାକୁ ଅଜଣା ନୁହେଁ । ତେବେ ଏହି ପ୍ରରୀପେକ୍ଷୀରେ ସରକାର ଏପର୍ଯ୍ୟନ୍ତ ଏହି କର୍ମଚାରୀମାନଙ୍କୁ କୌଣସି ନ୍ୟାୟ ପ୍ରଦାନ କରିନାହାଁନ୍ତି । ଯାହାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି । ଯେଉଁଠି ସାଧାରଣରେ କୁହାଯାଇଛି ପ୍ରକୃତରେ ଯେ କୌଣସି ଗ୍ରାମ୍ୟ ବିଭାଗର କାର୍ଯ୍ୟ ହେଉନାଁ କାହିଁକି ସବୁ ସମୟରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ କାର୍ଯ୍ୟ ପାଖରେ ରହି କିପରି କାର୍ଯ୍ୟ ହେଉଛି କଣ ହେଉଛି ସବୁକିଛି ଲକ୍ଷ୍ୟ ରଖିଥାଆନ୍ତି ଏହି ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀମାନେ କିନ୍ତୁ ଆଜି ଦୁଃଖ ଓ ପରିତାପର ବିଷୟ ଏହି ସମସ୍ତ କର୍ମଚାରୀମାନେ ଦୀର୍ଘ ୨୯ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ ଏମାନଙ୍କୁ କୌଣସି ନ୍ୟାୟ ମିଳିନାହିଁ । ତେବେ ଗ୍ରାମ୍ୟଉନ୍ନୟନ ବିଭାଗରେ ନିର୍ମାଣ ବିଭାଗରେ କାର୍ଯ୍ୟରତ ୬୧୧ ଜଣ ନିର୍ମାଣ ବିଭାଗର ଅସ୍ଥାୟୀ କର୍ମଚାରୀମାନଙ୍କୁ ନିୟମିତ କରିବା ସହ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ତୀବ୍ର ଦାବି ହୋଇଛି । ଏପରିକି ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଧର୍ମଘଟ ୧୯ଦିନରେ ପହଂଚିଛି ଏବଂ ସମସ୍ତ କର୍ମଚାରୀମାନେ ଆଜିକୁ ୧୯ଦିନ ଧରି ଶାନ୍ତିପୂର୍ଣ୍ଣ ସହ ଧାରଣାରେ ବସିରହି ନ୍ୟାୟ ଅପେକ୍ଷାରେ ରହିଛନ୍ତି । କିନ୍ତୁ କଥାରେ ଅଛି ଯଦି ଅତିରୁ ଇତି ଦୁଃଖ କଷ୍ଟ ବଢେ ତାହେଲେ ମାନବ ସମାଜ ହୃଦୟରେ କୁହୁଳୁଥିବା ନିଆଁ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପଛାଏ ନାହିଁ । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚ୍ଚିବ , ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଏବଂ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ଘଟଣାକୁ ଦୃଢତାର ସହ ନେଇ ସମସ୍ତ ଅସ୍ଥାୟୀ ନିର୍ମାଣ ବିଭାଗ କର୍ମଚାରୀମାନଙ୍କୁ ନିୟମିତ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦୃଢ ଦାବି ହୋଇଛି ।