ବଲାଙ୍ଗୀର : ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଖାଲି ବଲିଉଡ଼ ନୁହେଁ, କନ୍ନଡ, ତେଲୁଗୁ, ତାମିଲ ଭାଷାର ଅନେକ ହିଟ୍ ଫିଲ୍ମ ସମେତ ଭାରତର ନାମିଦାମି ନିର୍ଦ୍ଦେଶକ, ପ୍ରଯୋଜକ ଓ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ, ଆମିର, ରଣବୀର କପୁରଙ୍କ ସହ ସେ କାମ କରିଛନ୍ତି ।
ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲାଙ୍ଗୀର ସହରର ଯୁବକ ମନୋଜ କୁମାର ମିଶ୍ର ପାଠପଢା ସାରି ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ କିଛି କରିବାର ସପ୍ନ ଦେଖି 1992ରେ ମୁମ୍ବାଇ ଯାଇଥିଲେ ଏବଂ ସେଠି 5ବର୍ଷର ସଂଘର୍ଷ ପରେ ସେ ବଲାଙ୍ଗୀର ଫେରି ଆସିଥିଲେ । ପରେ ପୁଣି ଦୃଢ଼ ମନୋବଳ ସହ 2004 ବର୍ଷରେ ମୁମ୍ବାଇ ଯାଇଥିଲେ । ସେଠାରେ ସେ ଜଣଙ୍କ ଠାରୁ ପୁରୁଣା ଷ୍ଟେଡି କ୍ୟାମେରା ଆଣି ଶିଖିବା ଆରମ୍ଭ କରିଥିଲେ ।ଏହି ମଧ୍ୟରେ ତାଙ୍କ ଜୀବନରେ ଆସିଥିଲା ପ୍ରଥମ ସୁଯୋଗ । ଯେଉଁଥିରେ ସେ 2006 ମସିହାରେ ଗୋଟିଏ ଦକ୍ଷିଣ ଭାରତୀୟ ସିନେମାରେ ନିଜ କ୍ୟାମେରା ଚଳାଇବାର ସୁଯୋଗ ପାଇଥିଲେ । ତାଙ୍କର ଉତ୍କୃଷ୍ଟ କାମ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦେଖୁ ଦେଖୁ ତାଙ୍କ ପାଖରେ ବଲିଉଡ ହିନ୍ଦୀ, କନ୍ନଡ, ତାମିଲ, ତେଲୁଗୁ ଇତ୍ୟାଦି ଭାଷାରେ ତିଆରି ହେଉଥିବା ସିନେମାର ଲମ୍ବା ଧାଡ଼ି ଲାଗି ଯାଇଥିଲା । ଏହାଛଡା ୱେବ୍ ସିରିଜ, ବିଜ୍ଞାପନ ଭିଡିଓ ଭଳି ବିଭିନ୍ନ ପ୍ରକାରର କାମ ତାଙ୍କ ହାତରେ ଲାଗିଥିଲା । ସେ ଏସବୁ କାମ କରି ତାଙ୍କର ଗୁଣକୁ ଆହୁରି ନିଖୁଣତାର ସହ କରିବା ଆରମ୍ଭ କରିଥିଲେ । ଯାହାଦ୍ବାରା ସେ ଏଯାବତ 240ଟି ହିନ୍ଦୀ ସିନେମା ଓ 60ଟି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ସାରିଲେଣି । ଭାରତର ନାମୀ ଦାମୀ ଡାଇରେକ୍ଟର ପ୍ରଡ୍ୟୁସର୍ ସହ ନାମୀ ଦାମୀ କଳାକାର ମାନଂକ ସହ ସେ କାମ କରି ତାଙ୍କୁ ରୂପେଲି ପରଦାରେ ସ୍ଥାପିତ କରିଛନ୍ତି।ବଲାଙ୍ଗୀରର ମନୋଜ କୁମାର ମିଶ୍ର ଅଳ୍ପ ବୟସରୁ ଉଚ୍ଚ ଆଶା ଓ ସପ୍ନ ଦେଖିଥିଲେ । ତାକୁ ସଫଳ କରିବା ପାଇଁ ସେ ଅନେକ ବାଧାବିଘ୍ନ ସହ ଆଗକୁ ବଢ଼ି ଚାଲିଥିଲେ । ସାଧାରଣତଃ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ତିଆରି କରିବାକୁ ଅନେକ ସଂଘର୍ଷ କରି ଅସଫଳ ହୋଇ ସବୁ ଦିନ ପାଇଁ ହଜି ଯାଇଥାନ୍ତି । ହେଲେ ମନୋଜ ଅନେକ ଧକ୍କା ଖାଇ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଗକୁ ବଢ଼ି ଚାଲିଥିଲେ । ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ସେ ହିନ୍ଦୀ ଓ ଅନ୍ୟ ଭାଷାରେ ଅନେକ ନାମୀ ଦାମୀ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ଚାଲିଛନ୍ତି ।ତେବେ ତାଙ୍କ ସଫଳ ସିନେମା ତାଲିକା ଖୁବ୍ ଢେର ଥିବା ବେଳେ ବଜରଙ୍ଗୀ ଭାଇଜାନ, ଅଗ୍ନିପଥ, ଡନ-2, ଡାର୍ଟି ପିକ୍ଚର, ରାୱଡି ରାଠୋର, ରାମ ଲୀଲା, ହାପି ନ୍ୟୁ ଇଅର, ବଚନ ପାଣ୍ଡେ ଭଳି ହିଟ୍ ସିନେମାରେ ସେ କ୍ୟାମେରା ଯାଦୁ ଦେଖାଇ ସାରିଛନ୍ତି ।ତେବେ ଏହି ସଫଳତା ପଛରେ, ଦୃଢ଼ ଇଚ୍ଛା ଶକ୍ତି, ପରିଶ୍ରମ ଧୈର୍ଯ୍ୟ ସହିତ ତାଙ୍କ ପରିବାର ଲୋକଙ୍କୁ ସେ (ମନୋଜ) ଶ୍ରେୟ ଦେଇଛନ୍ତି । "ସେହିପରି ସିନେମା ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଖୋଜୁଥିବା ଯୁବପିଢ଼ିକୁ ସେ ଧୈର୍ଯ୍ୟ ଓ କଠିନ ପରିଶ୍ରମ କରିବାର ଉପଦେଶ ଦେଇଛନ୍ତି ।"ତେବେ ତାଙ୍କର ଏହି ଉପଲବ୍ଧିରେ ତାଙ୍କ ପରିବାର ଲୋକେ ଓ ବଲାଙ୍ଗୀରବାସୀ ଗର୍ବିତ ଥିବାର ସେ କହିଛନ୍ତି । ସଫଳତା ବିନା ପରିଶ୍ରମରେ ମିଳେ ନାହିଁ ଏବଂ ତାକୁ ପୁଣି ବଜାୟ ରଖିବାକୁ ହେଲେ ମଧ୍ୟ ସେତେ ପରିଶ୍ରମ ଆବଶ୍ୟକ ଥାଏ । ଏହି ମୂଳମନ୍ତ୍ରକୁ ଆଧାର କରି ସେ ଆଜି ଏହି ଉପଲବ୍ଧି ପାଇଥିବା କୁହନ୍ତି ନିଜେ ମନୋଜ ।
ରାଜ୍ୟ
ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଣିଦେଇଛି ମନୋଜଙ୍କୁ ସଫଳତା
- Hits: 892