ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମେଟ୍ରିକ ପରିକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ସର୍ବାଧିକ ୯୬.୩୬% ପ୍ରତିଶତ ହାରରେ ଜଗତସିଂହପୁର ଜିଲ୍ଲା ସର୍ବାଗ୍ରେ ରହିଛି।ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତାଳପଡା ରାହାମାର ଛାତ୍ରଛାତ୍ରୀ ସର୍ବାଧିକ କୃତିତ୍ୱ ହାସଲ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହି ବିଦ୍ୟାଳୟର ୧୧୭ଜଣ ଛାତ୍ରଛାତ୍ରୀ ମେଟ୍ରିକ ପରିକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ଜଣ ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ A2ରେ ୫୨ଜଣ, B1ରେ ୪୫ଜଣ ଓ B2ରେ ୯ଜଣ ସଫଳତା ହାସଲ କରିଛନ୍ତି।ବିଦ୍ୟାଳୟର ମେଟ୍ରିକ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ଅଧିକ ନମ୍ବର ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। A1ରେ ସର୍ବାଧିକ୨୧ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ଆଜି ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଭୂତିଭୂଷଣ ବରାଳ,ସମ୍ପାଦକ ଦୀପକ କୁମାର ଦାସ, ପ୍ରତିଷ୍ଠାତା ସଭାପତି ଅଜୟ କୁମାର ସାହୁ, ଅଧିକାରୀ ରମାକାନ୍ତ ଦାସ,ଶିକ୍ଷାବିତ ବସନ୍ତ କୁମାର ଦାସ, ମୃତ୍ୟୁଞ୍ଜୟ ପରିଜା,ବନ୍ଦିତା ସେଠୀ,ପ୍ରତାପ କୁମାର ବେଉରା,ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶତପଥୀ, ସହ-ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାର ନାୟକ,ବିଭୂତିଭୂଷଣ ସାହୁ,କାଦମ୍ବିନୀ ଦାସ ଓ ସ୍ମରଣୀକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କ ଅଭିଭାବକ, ଶୁଭେଚ୍ଛୁ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ବିଦ୍ୟାଳୟର ସଫଳତାକୁ ଭୂୟିଅଶୀ ପ୍ରଶଂସା କରିଥିଲେ।ଲଗାତର ୧୨ବର୍ଷ ଧରି ଏହି ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଆସୁଥିବା ବେଳେ ଚାରିବର୍ଷ ଧରି ଉଚ୍ଚମାନର ସଫଳତା ପାଇଁ ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଉଛି।ମେଟ୍ରିକ ପରିକ୍ଷାରେ ୯୦%ରୁ ଉର୍ଦ୍ଧ ନମ୍ବର ରଖିଥିବା ୨୧ଜଣ ଛାତ୍ରଛାତ୍ରୀ ସଫଳତା ପାଇଁ ବିଦ୍ୟାଳୟକୁ ଶ୍ରେୟ ଦେଇଥିବା ବେଳେ ପିଲାମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସାଧୁବାଦ ଜଣାଇଥିଲେ।
ରାଜ୍ୟ
କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
- Hits: 366