ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମହାନ୍ ସଂସ୍କୃତି ଓ ମହିମା ସହିତ ଓଡିଆ ଭାଷା,ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ପ୍ରକାଶ ପାଇଥିବା ଓଡିଶା ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ର ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’କୁ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁଝାଡଖଣ୍ଡ ରାଜ୍ୟ ତଥା ଓଡିଶା ରାଜ୍ୟର ସୀମାବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କ ପାଇଁ ପ୍ରେରଣ କରାଯାଇଛି । ଝାଡଖଣ୍ଡର ଷଢେଇକଳା, ଖରସୁଆଁ, ଚାଇଁବସା,ଚକ୍ରଧରପୁର ଆଦି ଅଂଚଳକୁ ଏହା ପ୍ରେରଣ ନିମନ୍ତେ ବିଭାଗର ଆୟୋଜନରେ ଯାତ୍ରା କରିଥିବା ଏକ ସ୍ୱତନ୍ତ୍ର ଯାନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ପ୍ରମୁଖ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ଡଃ ଭାସ୍କର ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ,ବିଭାଗର ପ୍ରକାଶନ ପରିଚାଳକ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରାରେ ବିଭାଗ ତରଫରୁ ଦୁଇଜଣ ସ୍ୱତନ୍ତ୍ର ଅଧିକାରୀ ଗସ୍ତ କରିଛନ୍ତି । ସେମାନେ ବିଚ୍ଛିନ୍ନାଂଚଳରେ ଥିବା ଓଡିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ କରି ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ବଣ୍ଟନ କରିବା ସହିତ ସେମାନଙ୍କ ସହ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଭାବ ବିନିମୟ କରିବେ ।ସେହିପରି ଆଗାମୀ ଦିନରେ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଟିକାଲି, ମଞ୍ଜୁଷା ଆଦି ବିଚ୍ଛିନ୍ନାଂଚଳରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କ ପାଇଁ ଖୁବ୍ ଶୀଘ୍ରରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ପ୍ରେରଣ କରାଯିବ ବୋଲି ବିଭାଗ ତରଫରୁ ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହା ଠାରୁ ଓଡିଶାର ସୀମାବର୍ତ୍ତୀ ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ରହୁଥିବା ବିଚ୍ଛିନ୍ନାଂଚଳର ଓଡିଆ ଭାଇଭଉଣୀମାନଙ୍କ ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଉପରେ ଆଧାରିତ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥଯାତ୍ରା ସଂଖ୍ୟା ପଠାଯାଇଆସୁଛି। ତେବେ କୋଭିଡ୍-୧୯ କଟକଣା ପରିପ୍ରେକ୍ଷୀରେ ଏହି ଯାତ୍ରା ବନ୍ଦ ରହିଥିଲା ବେଳେ ଏବେ ପୁନଃ ଆରମ୍ଭ ହୋଇଛି । ଡଃ ଲେନିନ୍ ମହାନ୍ତିଙ୍କ ସଂପାଦନାରେ ଚଳିତ ବର୍ଷ ରଥଯାତ୍ରା “ ଉତ୍କଳ ପ୍ରସଙ୍ଗ: ଏବଂ “ଓଡିଶା ରିଭ୍ୟୁ “ ସ୍ୱତନ୍ତ୍ର ସଂଖ୍ୟାରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ପରଂପରା ସମ୍ବନ୍ଧୀୟ ସ୍ୱନାମଧନ୍ୟ ଲେଖକ ଓ ଗବେଷକଙ୍କର ବହୁ ଉଚ୍ଚକୋଟୀର ଲେଖାମାନ ପ୍ରକାଶ ପାଇଛି ।