ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରୀ-୨୦୨୨’ ଆଜିଠାରୁ ସ୍ଥାନୀୟ ଭଞ୍ଜ କଳା ମଣ୍ଡପ ଠାରେଅନୁଷ୍ଠିତ ହେଉଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ,ଭୁବନେଶ୍ୱର ଦ୍ୱାରା ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆଜି ସଂଧ୍ୟାରେ ରାଜ୍ୟ ପର୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ । ଆଜି ଜୁଲାଇ ୪ ତାରିଖଠାରୁ ଆଗାମୀ ୬ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ବହୁ ପ୍ରତିଭାବାନ କଣ୍ଠଶିଳ୍ପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଭକ୍ତି ସଙ୍ଗୀତ ପରିବେଷଣ କରିବେ । ଆଜି ସଂଧ୍ୟାରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ଭଗବାନ ଜେନା, ଦୁଃଖୀଶ୍ୟାମ ତ୍ରିପାଠୀ,ମାନସୀ ପାତ୍ର, ଛନ୍ଦା ମିଶ୍ର,ନିମାକାନ୍ତ ରାଉତରାୟ, ଲୋଭା ବିଶ୍ୱାଳ, ପ୍ରତିଭା ପ୍ରଧାନ ପ୍ରମୁଖ ଯୋଗଦେଇ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଫେସର ଡଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ୟ୍ୟକ୍ରମରେ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।
ରାଜ୍ୟ
ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ଗୁହାରୀ-୨୦୨୨ର ଶୁଭାରମ୍ଭ
- Hits: 372