ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଆସୁଥିବା ମାତୃପିତୃ ହୀନ ଶିଶୁଙ୍କ ନମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଗତ ଦିନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ଉନ୍ନତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଛି।
ଜିଲ୍ଲାର ଗୁମ୍ମାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ''ନିସାନ ସାଲୋମ ଚିଲଡ୍ରେନ ହୋମରେ ରହୁଥିବା ୨୮ ଜଣ ଶିଶୁଙ୍କ ମଧ୍ୟରୁ ୧୬ ଜଣ ପିଲାଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଏବଂ ଅନ୍ୟ ୧୨ ଜଣଙ୍କ ପାଇଁ ନୃତ୍ୟ ଶିକ୍ଷା ଆରମ୍ଭ କରାଯାଇଛି ।
ସେହିଭଳି ଗୋଶାଣୀ ବ୍ଲକ ଅନ୍ତର୍ଗତ ଆର. ସୀତାପୁର ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ''ଶ୍ରୀ ଜଗନ୍ନାଥ ନିକେତନ''ରେ ରହୁଥିବା ୨୫ ଜଣ ଶିଶୁ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେଇଛି।
ଜିଲ୍ଲାର ବ୍ରାହ୍ମଣ ସୀତାପୁର ଠାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ '' ପ୍ରାଇଡ'' ରେ ରହୁଥିବା ୩୬ ଜଣ ଶିଶୁଙ୍କ ମଧ୍ୟରୁ ଆଗ୍ରହ ଥିବା ୧୮ ଜଣ ଶିଶୁଙ୍କ ନିମନ୍ତେ ନୃତ୍ୟଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଶିଶୁ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ପିଲା ମାନଙ୍କ ସମୟକୁ ଠିକ ଭାବେ ଉପଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶିକ୍ଷକଙ୍କ ସହିତ ମିଶି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଏହିସବୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ସେଥିରେ ଭଲ ପ୍ରଦର୍ଶନ କରୁଥିବା ଓ ଆଗ୍ରହ ପ୍ରକାଶ କରୁଥିବା ଶିଶୁମାନଙ୍କୁ ଆଗାମୀ ଦିନରେ ଯଥେଷ୍ଟ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରଶିକ୍ଷକ ମାନେ ସହଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଏଥିପାଇଁ କାମକରିବ।
ଯେଉଁଥିରେ ଶିଶୁମାନେ ପାଠ ପଢ଼ିବା ସହ ସେମାନଙ୍କ ମନୋରଞ୍ଜନ ହୋଇପାରିବ ଏବଂ ସେମାନେ ନିଜକୁ ଦକ୍ଷ ପ୍ରମାଣିତ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ନୃତ୍ୟ ଶିକ୍ଷା ନିମନ୍ତେ ଶ୍ରୀ ଶୁଭେନ୍ଦୁ ସେନାପତି ଓ ଶ୍ରୀ ଲୋକାଲାପୁ ଜଗନ୍ନାଥ ରାଓ , ଆତ୍ମରକ୍ଷା କୌଶଳ ଶିକ୍ଷା ନିମନ୍ତେ ଶ୍ରୀ ନାଗେଶ୍ଵର ମହାପାତ୍ର ଏବଂ କମ୍ପୁଟର ଶିକ୍ଷା ନିମନ୍ତେ ଶ୍ରୀ ସମ୍ଭ୍ରାମ ବୀର ପ୍ରମୁଖ ପ୍ରଶିକ୍ଷଣ ଦେବାପାଇଁ ନିଯୁକ୍ତ ହୋଇଛନ୍ତି।
ରାଜ୍ୟ
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ମାତୃ ପିତୃ ହୀନ ଶିଶୁଙ୍କ ପାଇଁ କମ୍ପୁଟର , ଆତ୍ମରକ୍ଷା କୌଶଳ ଶିକ୍ଷା ଓ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ -
- Hits: 289