ଜନନୀ ଯନ୍ତ୍ରଣା ରେ ଛଟପଟ ହୋଉଥିବା ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଆଣି ,ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ପୁଣି ଜନନୀ ଯନ୍ତ୍ରଣା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱ।ଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡର ଦଙ୍ଗିରିଆ ସାରିଝୋଲା ଗାଁର ଟଙ୍ଗରୁ ସିକକାଙ୍କ ଗର୍ଭବତୀ ସ୍ତ୍ରୀ କାଡ୍ରାକା ଡିକିଚି ବୟସ (୩୫)ଙ୍କର ଷ୍ଟ୍ରେଚରରେ ବୋହି ଆଣିବା ବାଟରେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି । ଆଜି କାଡ୍ରାକା ଡିକିଚି ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗ୍ରାମବାସୀ ପ୍ରାୟ ୮.୩୦ମିନିଟରେ ରୋଗିବୁହା ବା ୧୦୮ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
୧୦୮ ଆମ୍ବୁଲାନ୍ସ ରେ ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା, ଗାଡି ଚାଳକ ଉମାକାନ୍ତ ଦଳପତି ,ହେଲ୍ପର ମେଡି ବାବୁନି ନିୟମଗିରି ପାହାଡର ବଡଡେଙ୍ଗିଲେଲି ପର୍ଯ୍ୟନ୍ତ ଗାଡି ନେଇ ଯାଇଥିଲେ । ସେହି ଠାରୁ ଦୁର୍ଗମ ପାହାଡିଆ ରାସ୍ତାରେ ଗାଡ଼ି ଯିବା ଅସମ୍ଭବ ହୋଇଥିବାରୁ ୧୦୮କର୍ମଚାରୀ ମାନେ ଷ୍ଟ୍ରେଚର ନେଇ ପ୍ରାୟ ୨କିମି ଯାଇ ସେଠାରେ ଯନ୍ତ୍ରଣାରେ ଡିକିଚି ଛଟ ପଟ ହୋଇଥିବା ଦେଖି ତୁରନ୍ତ ଉଦ୍ଧାର କରି ପରିବାର ସହାୟତାରେ ଷ୍ଟ୍ରେଚରରେ ବୋହି ଆଣୁଥିଲେ । ବୋହି ଆଣିବା କିଛି ବାଟରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାର କିଛି ସମୟ ପରେ ପୁଣି ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ସୁସ୍ଥ ରହିଥିବା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସଂଗ୍ରାମ ଲିମା କହିଛନ୍ତି । ଏହି ପରି କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀ ମାନେ କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ର ଲହରୀ ଖେଳିଯାଉଥିବା ଦେଖିବାକୁ ମିଳୁଛି ।
କଲ୍ୟାଣସିଂହପୁର ପରି ନିରୀହ ଅଧିବାସୀ ପଛୁଆ ବର୍ଗ ର ଅଞ୍ଚଳରେ ବାରମ୍ବାର ଏହିପରି ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ମାଝୀଗୁଡା ଓ ପାର୍ସାଲ ଠାରେ ମାତୃ ଗୃହ କରାଯାଇଥିଲା , କିନ୍ତୁ ପାର୍ସାଲରେ ମାତୃ ଗୃହ ରହିଛି କୌଣସି କର୍ମଚାରୀ ନଥିବାରୁ ତାହା ବନ୍ଦ ପଡିରହିଛି । ଏହି ଅଂଚଳର ଗର୍ଭବତୀ ମାନଙ୍କୁ ପ୍ରସବର ପ୍ରାୟ ୨୦ ଦିନ ପୂର୍ବରୁ ଆଣି କଲ୍ୟାଣସିଂହପୁର ଓ ମାଝୀଗୁଡା ମାତୃ ଗୃହରେ ରଖି ତାଙ୍କର ଯତ୍ନ ନେଇ ପ୍ରସବ ହେବା ପର୍ଯ୍ୟନ୍ତ ରଖିବା କଥା । ମାତ୍ର ଏଠାରେ ଏପରି କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
୧୦୮ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ଗାଡି ଚାଳକ ଉମାକାନ୍ତ ଦଳପତି ଙ୍କ ଏହି ପରି ସାହାସିକତା, ଭଲ ପାଇବା ଦେଖି କଲ୍ୟାଣସିଙ୍ଗପୁର ଅଞ୍ଚଳ ରେ ଚର୍ଚ୍ଚା ଜୋର ଦାରିଥିବା ଦେଖିବା କୁ ମିଳୁଛି।