ଟିକିରି/ବୈକୁଣ୍ଠ ଦୁରିଆ : ଗୁଣାତ୍ମକ ଶିକ୍ଷା ଯୋଗାଇଦେବା କ୍ଷେତ୍ରରେ ନିଜର ଅବଦାନ ରଖିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡିକରେ ଚଳିତ ମାସ ୨୮ ଓ ୨୯ ତାରିଖ ଦିନ ପୃଥକ ପୃଥକ ଭାବରେ ଆୟୋଜିତ କାର୍ଯ୍ୟକ୍ରମରେ ୩ଟି ବିଜ୍ଞାନାଗାର ଏବଂ ୫ଟି ପୁସ୍ତକାଳୟ (ଲାଇବ୍ରେରୀ) ସ୍ଥାପନ କରିଛି ।
ପ୍ରାକ୍ଟିକାଲ ଶିକ୍ଷଣ ଏବଂ ମଜାଦାର ଶିକ୍ଷା ଆହରଣ ପଦ୍ଧତି ଜରିଆରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସକାଶେ ଉତ୍କଳ ଆଲୁମିନା ସରକାରୀ ହାଇସ୍କୁଲ, କାଶୀପୁର, ସରକାରୀ ହାଇସ୍କୁଲ ମାଇକଞ୍ଚ ଏବଂ ସରକାରୀ ହାଇସ୍କୁଲ ଆଦ୍ରିଠାରେ ଷ୍ଟେମ ଲର୍ଣ୍ଣିଂ ପ୍ରାଇଭେଟ ଲିମିଟେଡ, ମୁମ୍ବଇ ସହଯୋଗରେ ୩ଟି କ୍ଷୁଦ୍ର ସାଇନ୍ସ ସେଣ୍ଟର ସ୍ଥାପନ କରିଛି ।
ଅନୁରୂପ ଭାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢିବା, ବୁଝିବା ଏବଂ ଅଭିବ୍ୟକ୍ତି କୌଶଳରେ ବୃଦ୍ଧି ଘଟାଇବାକୁ ଉତ୍କଳ ଆଲୁମିନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟିକିରି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କାଶୀପୁର, ସରକାରୀ ୟୁଜିଏମ୍ଇ ସ୍କୁଲ ମାଇକଞ୍ଚ, ସରକାରୀ ହାଇସ୍କୁଲ ହାଡିଗୁଡା ଏବଂ ସରକାରୀ ହାଇସ୍କୁଲ ଆଦ୍ରିଠାରେ ଆଞ୍ଜେଳିକ୍ ଫାଉଣ୍ଡେସନ, ନୂଆଦିଲ୍ଲୀ ସହଯୋଗରେ ୫ଟି ଅନନ୍ୟ ପୁସ୍ତକାଳୟ (ଲାଇବ୍ରେରୀ) ସ୍ଥାପନ କରିଛି ।
ଶ୍ରୀ ଭୀମସେନ ସବର, ସବ୍ କଲେକ୍ଟର ରାୟଗଡା, ଶ୍ରୀ ଦେବାଶିଷ କର, ବିଡିଓ, କାଶୀପୁର, ଶ୍ରୀ ଶରତ ସବର, ତହସିଲଦାର, କାଶୀପୁର, ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏବଂ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍ ସିଏସଆର, ସିଆର୍ ଏବଂ ସଷ୍ଟେନେବିଲିଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ଚଳିତ ମାସ ୨୮ ଓ ୨୯ ତାରିଖରେ ପୃଥକ ପୃଥକ ଭାବରେ ଆୟୋଜିତ ଉତ୍ସବରେ ଏହି କେନ୍ଦ୍ରଗୁଡିକ ଉଦ୍ଘାଟନ କରିଥିଲେ ।
ଶ୍ରୀମତୀ ଗୀତା ହରିଶ, ସିନିୟର କନ୍ସଲଟାଣ୍ଟ ଆଞ୍ଜେଲିକ୍ ଫାଉଣ୍ଡେସନ, ଶ୍ରୀ ପ୍ରଭାତ ଦାସ, ପ୍ରୋଗ୍ରାମ ଅଫିସର ଷ୍ଟେମ ଲର୍ଣ୍ଣିଂ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କର ଆୟୋଜକ ଅଭିଭାଷଣରେ ଶ୍ରୀ ମଜହର ବେଗ୍ ବରିଷ୍ଠ ସରକାରୀ ପଦାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବାରୁ ନିଜର ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ମାନରେ ଉନ୍ନତି ସାଧନ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେ ମଧ୍ୟ କହିଥିଲେ ଯେ, ଉତ୍କଳ ଆଲୁମିନା ଭବିଷ୍ୟତରେ ଏହିଭଳି ସମ୍ପୂର୍ଣ୍ଣ ନୂତନ ଓ ଅନନ୍ୟ ପ୍ରୟାସସମୂହ କାର୍ଯ୍ୟକାରୀ କରିବ ଏବଂ ଏହି ଅଞ୍ଚଳରେ ଶିକ୍ଷାର ସୂଚକରେ ଉନ୍ନତି ଆଣିବା ଦିଗରେ ନିଜର ଅବଦାନ ରଖିବ ।