ଡି.ଏନ୍. ହାଇସ୍କୁଲ ସମୀକ୍ଷା ବୈଠକରେ ଜିଲ୍ଲାର ପ୍ରଧାନ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଯାଇ ଡି.ଏନ୍. ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫-‘ଟି’ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ, ମଧ୍ୟାହ୍ନ ଭୋଜନ, ବୃତ୍ତିଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକ୍ଷମ, ମାଗଣା ପୁସ୍ତକ ଯୋଗାଣ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି । ଏହା ଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଶିଷ ଥାକ୍ରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଜିଲ୍ଲାରେ ଶିକ୍ଷା କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ ।
ମନ୍ତ୍ରୀ ଶ୍ରୀ ଦାଶ କେନ୍ଦୁଝର ଜିଲ୍ଲାର ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସ୍କୁଲରେ ପାଠପଢ଼ା ଓ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମି ସଂପର୍କରେ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀ ପରିବହନ କରୁଥିବା ସ୍କୁଲ ବସ୍କୁ ଯାଞ୍ଚ ମଧ୍ୟ କରିଥିଲେ ।
ଏହି ସମୀକ୍ଷା ବୈଠକରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆର ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଶ୍ରୀ ଭାଗୀରଥି ସେଠୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।