ସ୍ନାନବେଦୀରେ ଭକ୍ତ ଓ ଭଗବାନଙ୍କ ମହାମିଳନ
ପୁରୀ (ଅନିମେଶ ପଟ୍ଟନାୟକ): ସ୍ନାନବେଦୀରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଦୀର୍ଘ ୨ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମ ତିଥି ତଥା ଦେବସ୍ନାନ ପୂର୍ଣ୍ଣିମାରେ ଘଟିଛି ଏ ଅପୂର୍ବ ମହାମିଳନ । ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ । ଦେଢ଼ ଘଣ୍ଟା ନୀତି ବିଳମ୍ବ ସତ୍ତ୍ୱେ ଜଳଲାଗି ଓ ହାତୀବେଶ ଠିକ୍ ସମୟରେ ଶେଷ ହୋଇଥିଲା।ଭକ୍ତଙ୍କ ଗହଳି, ଟାଣ ଖରା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।
ଭକ୍ତ ପ୍ରିୟ କାଳିଆ ସାଆନ୍ତ ଦୀର୍ଘ ଦିନର ବ୍ୟବଧାନରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ ଅଛନ୍ତି । ହେଲେ ନଟଖଟ କାଳିଆ ସାଆନ୍ତ ଓ ଦେବୀ ସୁଭଦ୍ରା ସ୍ନାନବେଦୀକୁ ଯିବା ବେଳେ ଅଝଟ ହୋଇଥିବା ସେବାୟତ ମତ ପ୍ରକାଶ କରିଛନ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଡୋର ଲାଗି , ପୁଷ୍ପାଞ୍ଜଳୀ ପରେ ଭୋର୍ ୪.୧୫ରେ ପହଣ୍ଡି ଆରମ୍ଭ ହୋଇ ସକାଳ ୭.୪୦ରେ ପହଣ୍ଡି ଶେଷ ହୋଇଥିଲା । ପରେ ପରେ ମଦନମୋହନ ବିଜେ ହୋଇ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି,ବେଶ, ଅଧରପୋଛା, ଅବକାଶ ନୀତି ସରିଥିଲା । ପୂର୍ବାହ୍ନ ୧୧.୨୦ରୁ ମହାପ୍ରଭୁଙ୍କ ମହାସ୍ନାନ ପର୍ବ ଆରମ୍ଭ ହୋଇ ୧୨.୪୫ରେ ଶେଷ ହୋଇଥିଲା । ଶ୍ରୀଜଗନ୍ନାଥଙ୍କୁ ୩୫ଗରା,ଶ୍ରୀବଳଭଦ୍ରଙ୍କୁ ୩୩ଗରା ଓ ଦେବୀ ସୁଭଦ୍ରାଙ୍କୁ ୨୨ଗରା ଏବଂ ସୁଦର୍ଶନଙ୍କୁ ୧୮ଗରା ଜଳରେ ସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଯାଇଥିଲା ଶ୍ରୀକ୍ଷେତ୍ର ।
ପ୍ରଥମ ସେବକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତାମ୍ରଜାନରେ ଆଶି ଛେରା ପହଁରା ନିତୀ ସମ୍ପନ୍ନ କରିଥିଲେ । ପରେ ଶ୍ରୀଜୀଉଙ୍କର ଧୂପ ଭୋଗ ଅନୁଷ୍ଠିତ ହୋଇଥିଲା. ଏହାପରେ ପୁଷ୍ପାଳକ, ସିଂହାରୀ,ମେକାପ ସେବାୟତ ମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା ।ସକାଳେ ସ୍ନାନମଣ୍ଡପ ତଳେ ବହୁ ଭକ୍ତ ଧାଡିରେ ଯାଇ ଅତି ନିକଟରୁ ଓ ହାତୀବେଶ ପରେ ଭକ୍ତ ଶ୍ରଦ୍ଧାଳୁ ୩ରୁ ୪ ଘଣ୍ଟା ସ୍ନାନମଣ୍ଡପ ଉପରେ ଶ୍ରୀବିଗ୍ରହଙ୍କୁ ଅତି ନିକଟରୁ ଦର୍ଶନ କରିଥିଲେ। ସେପଟେ ପବିତ୍ର ସ୍ନାନ ଜଳରେ ଭିଜୁଥାନ୍ତି ଠାକୁର, ଆଉ ଏପରେ ଆରାଧ୍ୟଙ୍କୁ ଦର୍ଶନପୂର୍ବକ ଭାବରେ ଭିଜୁଥାଏ ଭକ୍ତଙ୍କ ହୃଦୟ |
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ବ୍ୟାରିକେଡ଼ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ଜିକଜ୍ୟାକ୍ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ନିଜେ ଏସପି ଭକ୍ତଙ୍କୁ ପାଣି ବାଣ୍ଟିବା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଥିଲା। କିଏ ହନୁମାନ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ସମର୍ପଣ କରୁଥିଲା। ଜନଗହଳି ନିୟନ୍ତ୍ରଣ,ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୫୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।