ରାଜ୍ୟର ଚାରିଟି ଜିଲାରେ ଦୀକ୍ଷା କେନ୍ଦ୍ର ଆରମ୍ଭ କରିବାକୁ ଓଡ଼ିଶା କୁଶଳତା ବିକାଶ କର୍ତ୍ତୃପକ୍ଷଙ୍କ ସହିତ ଡିବିଏଫ୍ର ସହଭାଗିତା
ଭୁବନେଶ୍ୱର: ଡାଲମିଆ ଭାରତ ଲିମିଟେଡ (ଡିବିଏଲ) ଓଡ଼ିଶାରେ ବେରୋଜଗାର ଯୁବବର୍ଗଙ୍କୁ କୁଶଳତାର ତାଲିମ ପ୍ରଦାନ କରି ତାହାର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍ଆର) ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ଜରିଆରେ ରାଷ୍ଟ୍ରଗଠନ ପ୍ରୟାସ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛି । ଆଞ୍ଚଳିକ ବେକାରୀ ସମସ୍ୟା ପ୍ରତି ଦୃଷ୍ଟିଦେଇ ଏବଂ କମ୍ପାନୀର ମଜଭୁତ ଉପସ୍ଥିତି ଥିବା ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାନଗୁଡିକରେ ଯୁବବର୍ଗ ଏବଂ ସେମାନଙ୍କ ପରିବାରସମୂହର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ସହାୟତା କରି ଆତ୍ମନିର୍ଭର ହେବା ଦିଗରେ ରାଷ୍ଟ୍ରର ଅଭିଯାନକୁ ମଜଭୁତ କରିବା ସକାଶେ ଏହି ପ୍ରୟାସରେ ଲକ୍ଷ୍ୟ ରଖାଯାଇଛି ।
ଏଥିନିମନ୍ତେ ଦୀକ୍ଷା (ଡାଲମିଆ ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ ହାରନେସିଂ ) କେନ୍ଦ୍ରମାନ କଟକ, ଯାଜପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଆଦି ଚାରିଟି ଜିଲ୍ଲାରେ ସ୍ଥାପନ କରିବାକୁ ଓଡ଼ିଶା କୁଶଳତା ବିକାଶ କର୍ତ୍ତୃପକ୍ଷ (ଓଏସଡିଏ) ସହିତ ସହଭାଗିତା କରିଛି । ଏହି ଦୀକ୍ଷା କେନ୍ଦ୍ରଗୁଡିକ ପ୍ରାର୍ଥୀମାନଙ୍କୁ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ, ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ, ଇଣ୍ଡଷ୍ଟ୍ରିଆଲ ସିୱିଙ୍ଗ ମେସିନ ଅପରେଟର, ରିଟେଲ ସେଲ୍ସ ଆସୋସିଏଟ୍ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରିବା ସହିତ ସେମାନଙ୍କର ତାଲିମ ସଫଳତାର ସହିତ ସମ୍ପୂର୍ଣ୍ଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ରାଜ୍ୟ ଭିତରେ ଓ ବାହାରେ ନିଯୁକ୍ତି ସୁଯୋଗ ଯୋଗାଇଦେବାରେ ସହାୟତା କରିବ ।
“ଆରମ୍ଭ ହେବା ଦିନଠାରୁ ଦୀକ୍ଷା (ଡାଲମିଆ ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ ହାର୍ନେସିଂ) ଯୁବବର୍ଗ ଏବଂ ମୋଟାମୋଟି ଭାବରେ ଗୋଷ୍ଠୀଗୁଡିକର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇ ଆସୁଛି । ଏହାର କାରଣ ହେଉଛି ଆମେ ଆମ ରାଷ୍ଟ୍ରର ଭବିଷ୍ୟତ ପିଢିଙ୍କୁ କେବଳ ତାଲିମ ପ୍ରଦାନ ନୁହେଁ, ତାହା ସହିତ ଆମ ଲୋକଙ୍କୁ ନିଯୁକ୍ତିକ୍ଷମ ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଶ୍ୱାସ କରୁଛୁ,” ବୋଲି ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍ଜିକ୍ୟୁଟିଭ ଡାଇରେକ୍ଟର- ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଏବଂ ୟୁନିଟ ହେଡ୍, ରାଜଗାଙ୍ଗପୁର କହିଛନ୍ତି । “ଅବହେଳିତ ଯୁବବର୍ଗଙ୍କୁ ଗୁଣାତ୍ମକ ତାଲିମ ଯୋଗାଇଦେବାର ପ୍ରତିବଦ୍ଧତା ପ୍ରକାଶ କରି ଆମେ ଭାରତକୁ କୁଶଳୀ କରି ଗଢିତୋଳିବା ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ଚାହୁଁଛୁ । ଆମର ଦୃଢ ବିଶ୍ୱାସ ଯେ ଆମର ଏହି ପ୍ରୟାସ ଏହି ଅଞ୍ଚଳରେ ଏବଂ ସମଗ୍ର ଭାବରେ ଜୀବିକା ଉପାର୍ଜନକୁ ଦୀର୍ଘସ୍ଥାୟୀ କରି ଗଢିତୋଳିବ ।”
ଡିବିଏଲ୍ କୁଶଳତା ତାଲିମ ବିକାଶ ପ୍ରୟାସ ୨୦୧୭ରେ ଆରମ୍ଭ କରିଥିଲା ଏବଂ ଆଜିପର୍ଯ୍ୟନ୍ତ ୩୩୫୭ ଜଣ ଯୁବକ ସେମାନଙ୍କର ତାଲିମ ଶେଷ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୪୫୩ ଜଣ ବିଭିନ୍ନ ସଂସ୍ଥାନରେ ସଫଳତାର ସହିତ ନିଯୁକ୍ତି ପାଇଛନ୍ତି । ଏହା ଉକ୍ତ ଯୁବବର୍ଗଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହିତ ସେମାନେ ୱେଷ୍ଟସାଇଡ, କିଟେକ୍ସ ଲିମିଟେଡ, ଶାହି ଏକ୍ସପୋର୍ଟସ୍ ଲିମିଟେଡ, କଲର ଜର୍ସି ଲିମିଟେଡ, ପୋର୍ଟିଆ ମେଡିକାଲ, ୨୦୫୦ ହେଲ୍ଥକେୟାର, ରିନ୍ୟୁସିସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଆଦି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ।
ଗତ ପାଞ୍ଚବର୍ଷ ମଧ୍ୟରେ ଏହି ପ୍ରମୁଖ ସିମେଣ୍ଟ କମ୍ପାନୀର ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣା ଚୂନପଥର ଖଣିର ପାରିପାଶ୍ୱିର୍କ ଅଞ୍ଚଳରେ ଅବସ୍ଥିତ ଖେରାମୁତା, ରୁମାବାହାଲ ଆଦି ଗ୍ରାମର ୫୩୦ ଜଣ ଯୁବକଙ୍କୁ ସଫଳତାର ସହିତ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ଯୋଗାଇ ଦିଆଯାଇଛି । ଏହି ପ୍ରୟାସର ସଫଳତାକୁ ଲକ୍ଷ୍ୟକରି ନାବାର୍ଡ ଏବଂ ଡିବିଏଫ୍ ରାଜଗାଙ୍ଗପୁର ଏବଂ ଆଖପାଖ ଅଞ୍ଚଳରୁ ୫୫ ଜଣ ଯୁବକଙ୍କୁ ଦୁଇଟି ପର୍ଯ୍ୟାୟରେ ସିଆରଏମ୍ ତାଲିମ ଦେବାକୁ ଏକତ୍ର ହୋଇ ଆଗେଇ ଆସିଛନ୍ତି ।
କମ୍ପାନୀର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଯାୟୀ କମ୍ପାନୀ ଲାଞ୍ଜିବେର୍ଣା ଏବଂ ରାଜଗାଙ୍ଗପୁର ଅଞ୍ଚଳର ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳା ଓ ବାଳିକାମାନଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଟେଲରିଂ ଏବଂ ବିୟୁଟି ଓ ୱେଲ୍ନେସ୍ ତାଲିମ କେନ୍ଦ୍ର ସ୍ଥାପନ କରିଛି । କମ୍ପାନୀ ଏହି ପାଠ୍ୟକ୍ରମକୁ ନିକଟ ଭବିଷ୍ୟତରେ ସମ୍ପ୍ରସାରିତ କରିବାକୁ ଯୋଜନା କରୁଛି । ଡିବିଏଫ୍ର ସମ୍ପ୍ରତି ସମଗ୍ର ଭାରତରେ ୧୪ଟି କୁଶଳତା ବିକାଶ କେନ୍ଦ୍ର ରହିଛି ଏବଂ ଏଥିରେ ୫୦୦୦ରୁ ଅଧିକଙ୍କୁ ତାଲିମ ପ୍ରଦାନ କ୍ଷମତା ରହିଛି ।