ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ପରୀକ୍ଷା ନିମନ୍ତେ ବିଭିନ୍ନ ଦାବୀ ନେଇ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ, ଓଡ଼ିଶାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ ଜିଲ୍ଲା ଚିକିତ୍ସାଳୟରେ ରାୟଗଡ ଜିଲ୍ଲାର ସମସ୍ତ ଜିଲ୍ଲା ବାସୀ ଉତ୍ତମ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି । କିନ୍ତୁ ଜିଲ୍ଲା ଚିକିତ୍ସାଳୟରେ ସମସ୍ତ ପ୍ରକାରର ପରୀକ୍ଷଣ ସରଞ୍ଜାମ ଓ ଡାକ୍ତରଙ୍କ ଅଭାବ ଯୋଗୁଁ ଜିଲ୍ଲାର ରୋଗୀ ପ୍ରକୃତ ସୁବିଧା ପାଇବାରୁ ବଞ୍ଚିତ ହୋଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରି ଆଧିକା ଖର୍ଚ୍ଚାନ୍ତ ହେଉଛନ୍ତି । ଏହିସବୁକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାୟଗଡ ମୂଖ୍ୟ ଚିକିତ୍ସାଳୟରେ ଖାଲି ଥିବା ସମସ୍ତ ଡାକ୍ତରୀପଦବୀ ପୂରଣ କରିବା ଏହାସହ ଅତ୍ୟାବଶ୍ୟକ ପରୀକ୍ଷା ଯଥା: ଏମଆରଆଇ, ସିଟିସ୍କାନ, ଅଲ୍ଟ୍ରାସାଉଣ୍ଡ, ଇଣ୍ଡୋସ୍କୋପି ଓ ଡାଇଲିସିସ ଭଳି ଉଚ୍ଚ ମାନର ସୁବିଧା ଯୋଗାଇ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଉକ୍ତ ଦାବିପତ୍ରକୁ (ଏଡିଏମଓ), ରାୟଗଡ ଡା. ବରଦାକାନ୍ତ ମିଶ୍ରଙ୍କୁ ପ୍ରଦାନ କରିଥିଲେ । ଏହିଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ସୁରେଶ ସାହୁ, ଉପଦେଷ୍ଟା ଶ୍ରୀ ସାରଥୀ ପଟ୍ଟନାୟକ, ଓ ସଭ୍ୟ ସରୋଜ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ସୁବିଧା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
- Hits: 445