ଶିକ୍ଷା ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ: ନବୀନ ପଟ୍ଟନାୟକ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆର୍ମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘାଟନ କରିଛନ୍ତି । ଏହି ବିଦ୍ୟାଳୟକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ସେ ବହୁତ ଖୁସୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାବାସୀ ବିଶେଷ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହିଭଳି ଉଦ୍ୟମ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଇମାମୀ ଓ କିସ୍ର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିସ୍ ପକ୍ଷରୁ ଭୁବନେଶ୍ବର, ମୟୁରଭଂଜ ଓ ବଲାଙ୍ଗୀର ଭଳି ଅନେକ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏହିଭଳି ବିଦ୍ୟାଳୟ ଖୋଲାଯିବାର ଲକ୍ଷ୍ୟ ରହିଥିବା ଖୁସିର କଥା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ। ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱା) ଅଶ୍ୱିନୀ କୁମାର ପାତ୍ର ବକ୍ତବ୍ୟ ଦେଇ କହିଲେ, ଶିକ୍ଷା କ୍ଷେତ୍ରରେ ଜନଜାତି ପିଲାଙ୍କ ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଶ୍ରୀ ସାମନ୍ତ ଶିକ୍ଷା ମାଧ୍ୟମରେ ଗରିବ ଓ ଅବହେଳିତ ପିଲାଙ୍କ ମଧ୍ୟରେ ନୂତନ ଆଲୋକ ସୃଷ୍ଟି କରିଛନ୍ତି । ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଲେ, ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ପ୍ରଶଂସା କରିବା ଉଚିତ । ସେ ଶିକ୍ଷା ମାଧ୍ୟମରେ ଲକ୍ଷଲକ୍ଷ ଗରିବ ଓ ଅବହେଳିତ ପିଲାଙ୍କ ପାଇଁ ଜୀବନର ରାହା ସୃଷ୍ଟି କରିପାରିଛନ୍ତି । ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ୍ ଆମେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ ।
ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା କହିଲେ, ଏହି ବିଦ୍ୟାଳୟ ମୋ ନିର୍ବାଚନମଣ୍ଡଳିରେ ପ୍ରତିଷ୍ଠିତ ହୋଇଥିବାରୁ ମୁଁ ବହୁତ ଖୁସୀ । ଏହା ନିର୍ବାଚନମଣ୍ଡଳି ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ଲକ୍ଷ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ଇମାମି ଗ୍ରୁପ୍ ୧୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬ କୋଟି ଟଙ୍କା କିଟ୍ ତରଫରୁ ଖର୍ଚ୍ଚ କରାଯାଇଛି । ଇମାମି-କିସ୍ ଆବାସିକ ବିଦ୍ୟାଳୟରେ ସିବିଏସ୍ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨ଶହ କେବଳ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ । ପାଠ ପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ । ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍ କିମ୍ବା କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଭୁବନେଶ୍ୱର କିସ୍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ । ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ । ଏହା ବାଲେଶ୍ୱରବାସୀଙ୍କ ସମ୍ପତ୍ତି ହୋଇ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା କେ ସୁଦର୍ଶନ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇମାମି ଗ୍ରୁପ୍ର ପ୍ରତିନିଧି ସୁଶିଲ କୁମାର ଗୋଏଙ୍କା ଉପସ୍ଥିତ ଥିଲେ ।