ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଦ୍ୱାରା ଜାତୀୟ ଇ-କର୍ମଶାଳା
ଭୁବନେଶ୍ୱର : ଇନଟେକ : ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଅଭିନବୀକରଣ ଏବଂ ବୌଦ୍ଧିକ ଗୁଣଧର୍ମ ଉପରେ ଏକ ସପ୍ତାହବ୍ୟାପୀ ଜାତୀୟ ଇ-କର୍ମଶାଳା ଆୟୋଜନ କରିଛି । ଏହି ସପ୍ତାହବ୍ୟାପୀ କର୍ମଶାଳାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ୨୪ଟି ବିଷୟ ଉପରେ ଆଲୋକପାତ କରିବେ । ଏହି କାର୍ଯ୍ୟକ୍ରମରେ ୫୦୦ଜଣ ଅଂଶଗ୍ରହଣକାରୀ ପଞ୍ଜିକୃତ କରିଛନ୍ତି ।
ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଅନ୍ତର୍ଗତ ପେଟେନ୍ଟ, ଡିଜାଇନ ଏବଂ ଟ୍ରେଡ୍ମାର୍କର କନ୍ଟ୍ରୋଲର୍ ଜେନେରାଲ ପ୍ରଫେସର ଡ଼ ଉନ୍ନତ ପି ପଣ୍ଡିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମଶାଳାର ଉଦ୍ଘାଟନ କରିଥିଲେ ।
ଏହି ଉଦ୍ଘାଟନୀ ଅଧିବେଶନରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍ ବାସୁ ସ୍ୱାଗତ ସମ୍ବୋଧନ କରି ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଏବଂ ଇନ-ଟେକ୍ର ବିଭିନ୍ନ କାର୍ଯ୍ୟକଳାପ ଉପରେ ବିସ୍ତୃତ କାର୍ଯ୍ୟକଳାପ କରିଥିଲେ । ଆଜିର ବିଶ୍ୱସ୍ତରରେ ବୌଦ୍ଧିକ ଗୁଣଧର୍ମର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟ ଅତିଥି ଡ଼ ପଣ୍ଡିତ କାର୍ଯ୍ୟକ୍ରମ ଆୟୋଜନରେ ନିଜର ଖୁସି ପ୍ରକାଶ କରିବା ସହିତ ଭାରତର ନୂତନ ଇନ୍ଟେଲେକ୍ଚ୍ୟୁଆଲ ପ୍ରପଟି ଉପରେ ଗୁରୁତ୍ୱାରୋପ କରିଥିଲେ । ତଦ୍ ସହିତ ଆମର ନିୟମିତ କାର୍ଯ୍ୟକଳାପ ଏବଂ ଆଗାମୀପିଢି ପାଇଁ ଏହାର ପ୍ରଭାବ ଏବଂ ଇନ୍ଟେଲେକ୍ଚ୍ୟୁଆଲ ପ୍ରପଟିର ଏକୀକରଣ ଉପରେ ଗୁରୁତ୍ୱ ଦେଇଥିଲେ ।
ଇନ୍ଟେକ୍ ମୁଖ୍ୟ ଡ଼ ଅଶୋକ କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ନ୍ୟୁ ଆଇପିଆର୍ - ୨୦୨୨ର କନଭିନିୟର ଏବଂ ବରିଷ୍ଠ ବୈଜ୍ଞାନିକ ଡ଼ ଟି ପବନ କୁମାର ଉପସ୍ଥିତ ଅତିଥି ବୃନ୍ଦମାନଙ୍କୁ ନ୍ୟୁ ଆଇପିଆର୍ର-୨୦୨୨ ଡିଜାଇନ୍ ଏବଂ ଲାଭ ଉପରେ ଅବଗତ କରାଇଥିଲେ । ବିଭୁଦତ ପ୍ରଧାନ ଏବଂ ଡ଼ ମୁସ୍ତାକିମ୍ ଏହି କର୍ମଶାଳା ପରିଚାଳନା କରିଥିଲେ ।