ସୋଭିତ ବିଶ୍ବବିଦ୍ୟାଳୟ ଓ ଦି ଇଣ୍ଟେଲେକ୍ଟସର ଅଭିନବ ପ୍ରୟାସ
ଭୁବନେଶ୍ବର :ଦେଶର ପ୍ରମୁଖ ବୈଷୟିକ ବିଶ୍ଵବିଦ୍ୟଳୟ ସୋଭିତ ବିଶ୍ବବିଦ୍ୟାଳୟ ଓ ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଉଚ୍ଚ ଶିକ୍ଷା ଓ ବୃତ୍ତି ମାର୍ଗଦର୍ଶନ ପାଇଁ ଅବୈତନିକ ଉପଦେଷ୍ଟା ନିଯୁକ୍ତ କରାଯାଇଛି| ଏଥି ନିମିତ୍ତ ଭୁବନେଶ୍ବର ସ୍ଥିତ ହୋଟେଲ ଏକ୍ସଲେନସି ସଭାଗୃହରେ ଏହି ପ୍ରୟାସର ଆବାହକ ତଥା ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅନେକ ଯୁବ ତଥା ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି| ଏହି କର୍ମଶାଳକୁ ସୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆର ଶିକ୍ଷା ବିଭାଗର ଅଧକ୍ଷ ଶ୍ରୀ କୁଅଁର ଶେଖର ବିଜେନ୍ଦ୍ର ଉଦ୍ଘାଟନ କରି ଓଡ଼ିଶାରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ମନସ୍କତା ଅତ୍ୟନ୍ତ ଉଚ୍ଚ ଓ ଉଦାହରଣୀୟ ବୋଲି ପ୍ରକାଶ କରିଥିଲେ| ଶିକ୍ଷା ପ୍ରତି ଏହି ଆବେଗକୁ ଉଚିତ ମାର୍ଗ ଦର୍ଶନ ଓ ସର୍ବଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥାର ନିର୍ଦ୍ଧାରଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ| ସ୍ବାଗତ ସମ୍ଭାଷଣରେ ଅଧକ୍ଷ ଶ୍ରୀ ରାଉତ ସାରା ଓଡ଼ିଶାର ପିଲାମାନଙ୍କୁ ସହଜରେ ଉପଲବ୍ଧ ଓ ଆବଶ୍ୟକୀୟ ଶିକ୍ଷା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ| ଏହି ପରିପ୍ରେକ୍ଷିରେ ଶିକ୍ଷାବିତ ଡଃ ସୁଶାନ୍ତ ଦାସ, ସୁରେଶ କୁମାର ମଲ୍ଲିକ, ଇଂ ସଂଜୀବ କୁମାର ସାହୁ, ରବି ନାରାୟଣ ଷଡଙ୍ଗୀ, ହୃଦୟ ମହାକୁଳ, ପ୍ରତାପ କୁମାର ବାରିକ, ନିର୍ମଳ କୁମାର ଶତପଥି, ଇଂ ସତ୍ୟ ମହାନ୍ତି, ଇଂ ଦୀପକ ମହାପାତ୍ର, ଗୌତମ ଚରଣ ସ୍ବାଇଁ, ଦ୍ୟୁତି ସାବତ ପ୍ରମୁଖ ଯୋଗଦେଇ ନିଜର ମତାମତ ରଖିବା ସହିତ ନିଜ ନିଜ ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ସମ୍ପର୍କିତ ନିଃଶୁଳ୍କ ସେବା ପ୍ରଦାନ କରିବେ ବୋଲି ନିଷ୍ପତି ଗ୍ରହଣ କରିବା ସହିତ ଏହି ପ୍ରାୟସରେ ନିଜକୁ ଦୃଢ ଭାବରେ ସାମିଲ କରିବେ ବୋଲି ପ୍ରକାଶ କରିଛନ୍ତି| ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରୟାସ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ରାଉତ ଆଶା ପ୍ରକାଶ କରିଛନ୍ତି|