ହେଡଲାଇନସ୍:

ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁରରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଛାମୁଆ କମ୍ପାନୀ ହିଣ୍ଡାଲକୋ ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛି । ଓଡ଼ିଶାର ସମ୍ବଲପୁରରେ ହିଣ୍ଡାଲ୍‍କୋ ତାହାର ଗୋଷ୍ଠୀ ନିୟୋଜନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ଏବଂ ଅଧିକ ଅର୍ଥପୂର୍ଣ୍ଣ ଜୀବନଧାରଣକୁ ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ । ୨୦୨୧ରେ ଏହାଦ୍ୱାରା ହୀରାକୁଦର ୧୨ଟି ଗ୍ରାମର ପ୍ରାୟ ୧୪,୦୦୦ ଲୋକ ଏହାଦ୍ୱାରା ଉପକୃତ ହୋଇପାରିଛନ୍ତି । ଏହି ସଂଖ୍ୟା ନିରନ୍ତର ବୃଦ୍ଧିପାଇବାରେ ଲାଗିଛି ।
ଏ ସମ୍ପର୍କରେ ପ୍ରକାଶ କରି ଶ୍ରୀ କୈଳାସ ପାଣ୍ଡେ, କ୍ଲଷ୍ଟର ହେଡ୍‍, ହିଣ୍ଡାଲକୋ , ସମ୍ବଲପୁର କ୍ଲଷ୍ଟର କହିଛନ୍ତି ଯେ, କମ୍ପାନୀର ‘ହେଲ୍‍ଥକେୟାର ଆଟ ଡୋରଷ୍ଟେପ୍‍’ (ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା) କାର୍ଯ୍ୟକ୍ରମ ଅଧୀନରେ (ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ) ଏହା ମାଗଣାରେ ରୋଗ ଚିହ୍ନଟ ଏବଂ ଔଷଧ ଯୋଗାଇ ଦେଉଛି ।
ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିକଟରେ ହୀରାକୁଦର ଲାରପଙ୍କ ଗ୍ରାମରେ ୩ଟି ବୃହତ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଗାଇନୋକୋଲୋଜି, ମେଡିସିନ, ପେଡିଆଟ୍ରିକ୍ସ, ସ୍କିନ୍‍, ଇଏନ୍‍ଟି ଏବଂ କ୍ୟାନ୍‍ସର ଆଦି ବିଭାଗରେ ୧୫୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଏହି ଅବସରରେ ସମ୍ବଲପୁର ଜିଲ୍ଲାରେ ରକ୍ତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଦୃଷ୍ଟିରୁ କମ୍ପାନୀ ପକ୍ଷରୁ ବୃହତ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ହସପିଟାଲ ଏବଂ ଭିମ୍‍ସାର (ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ), ବୁର୍ଲାରେ ଆୟୋଜିତ ରକ୍ତଦାନ ଶିବିରରେ ଯଥାକ୍ରମେ ୩୦୪ ଓ ୨୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିସହିତ ଦନ୍ତ ଓ ମହିଳାମାନଙ୍କର ରୋଗ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ପ୍ରାୟ ୩୦୦ ରୋଗୀ ଏହାର ସୁଯୋଗ ନେଇଥିଲେ । ଶ୍ରୀ ବି ଗଙ୍ଗାଧର, ଏସ୍‍ପି, ସମ୍ବଲପୁର ଏଭଳି ବୃହତ ରକ୍ତଦାନ ଶିବିର ଆୟୋଜନ ପାଇଁ ହିଣ୍ଡାଲକୋର ପ୍ରୟାସକୁ ପ୍ରଶଂସା କରିଥିଲେ ।
ଶ୍ରୀ ପାଣ୍ଡେ ମଧ୍ୟ କହିଥିଲେ ଯେ, “ଆମ ଚତୁଃପାର୍ଶ୍ୱରେ ବାସ କରୁଥିବା ଜନସାଧାରଣ ସୁସ୍ଥ ରହନ୍ତୁ ବୋଲି ଆମେ ସର୍ବଦା ଚାହୁଛୁ । ଆମର ସ୍ୱାସ୍ଥ୍ୟସେବାକୁ ଅଧିକ ପରିବ୍ୟାପ୍ତ କରିବା ଯୋଜନା ଆମର ରହିଛି ଯାହା ଆମ ଚାରିପଟେ ବାସ କରୁଥିବା ଗୋଷ୍ଠୀଗୁଡିକୁ ବ୍ୟାପକ ଫାଇଦା ପହଞ୍ଚାଇବ ।”
ଏହାବ୍ୟତୀତ କମ୍ପାନୀ ହୀରାକୁଦ ହସପିଟାଲର ସହଭାଗିତାରେ ହୀରାକୁଦ ଏବଂ ସମ୍ବଲପୁର ଜିଲ୍ଲାରେ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ପାଇଁ ଶିବିର ଆୟୋଜନ ସହିତ ମୋତିଆବିନ୍ଦୁ ଅସ୍ତ୍ରୋପଚାର କାର୍ଯ୍ୟରେ ଗଭୀର ଭାବରେ ନିୟୋଜିତ ରହିଛି । ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୧୫୦ ଚକ୍ଷୁ ପ୍ରଯତ୍ନକାରୀ ଅସ୍ତ୍ରୋପଚାର କରାଯାଇସାରିଛି ଏବଂ ଗତ ୩ ବର୍ଷ ମଧ୍ୟରେ ହୀରାକୁଦ ହସପିଟାଲରେ ୩୦୦ରୁ ଅଧିକ ସ୍ପେଶାଲିଷ୍ଟ ଓପିଡି କ୍ଳିନିକ ଆୟୋଜନ କରାଯାଇଛି ।
ଡା.ଭରତ ଦାଶ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ଏଡିଏମ୍‍ଓ), ସମ୍ବଲପୁର ମଧ୍ୟ ହୀରାକୁଦ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଦିଗରେ ହିଣ୍ଡାଲ୍‍କୋର ପ୍ରୟାସକୁ ପ୍ରଶଂସା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ କୋଭିଡ ମହାମାରୀ ସମୟରେ ହିଣ୍ଡାଲକୋ ଦ୍ୱାରା ଯୋଗାଇ ଦିଆଯାଇଥିବା ସମର୍ଥନକୁ ସେ ଭୁଲିପାରିବେ ନାହିଁ । ସେହି ସମୟରେ ସେ ସମ୍ବଲପୁର ଜିଲ୍ଲାରେ କୋଭିଡ ଯତ୍ନ ବ୍ୟବସ୍ଥା ତଦାରଖ କରୁଥିଲେ । ମହାମାରୀର ଦ୍ୱିତୀୟ ଓ ତୃତୀୟ ଲହର ସମୟରେ ହିଣ୍ଡାଲ୍‍କୋ ୫୦ ଜୁମ୍ବୋ ସିଲିଣ୍ଡର, ୨୦ଟି ଅକ୍ସିଜେନ କନସେଣ୍ଟ୍ରେଟର, ୪୦୦୦ ଆଣ୍ଟିଜେନ କିଟ୍‍, ୧୦୦ ପିପିଇ କିଟ୍‍, ୫ ଆଇସିୟୁ ଶଯ୍ୟା, ୧୧ ଆମ୍ବୁଲାନ୍ସ, ଇଞ୍ଜେକ୍‍ସନ, ଔଷଧ ଏବଂ ୪ଟି ବୋଲେରୋ ଆଦି ଯୋଗାଇଦେଇ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ସମର୍ଥନ କରିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀ କ୍ରିଷ୍ଣ ପାଢୀ, ହେଡ୍‍ ଏଚଆର, ହୀରାକୁଦ କମ୍ପେ୍ଳକ୍ସ ଏବଂ ଡା. ସୁବ୍ରତ ଚାଟାର୍ଜୀ, ଚିଫ ମେଡିକାଲ ଅଫିସରଙ୍କ ତତ୍ତ୍ୱାବଧାନ ଏବଂ ସଂଯୋଜନାରେ ଆୟୋଜିତ ହୋଇଥିଲା ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବା ନିମନ୍ତେ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ସହିତ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଜରିଆରେ କାର୍ଯ୍ୟକାରୀ କରାଯାଉଛି । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ କରାଯାଇପାରୁଛି । ତାହାସହିତ ଦେଶର ମାନବ ବିକାଶ ସୂଚୀରେ ମଧ୍ୟ ବୃଦ୍ଧି ଘଟୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମର ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ଦେବା ନିମନ୍ତେ ୟୁଏନଏସ୍‍ଡିଜି ଅନୁରୂପ ହୋଇଛି ।

0
0
0
s2sdefault