ହେଡଲାଇନସ୍:

 ତୁ ଗୁହାରି କରିବୁ ଯାହାକୁ, ମୁ ଘ.. କରିଛି ତାହାକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

. ସାଇ ବିନାୟକ ବିବାହ ମଣ୍ଡପ ଚାଲିଛି  : ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କୁ କୌଣସି ସୂଚନା ନାହିଁ ।

ବାରିପଦା/ Dilip Mohanty  :- ବାରିପଦା ତହସିଲ  ତଥା ବାରିପଦା ପୌରପରିଷଦ ଅଧୀନରେ ୱାର୍ଡ ନଂ-୯ ରେ ଥିବା ଦେବୋତ୍ତର ବିଭାଗର ସାବକ ଖାତା ନମ୍ବର ୧୫୧୨/୩, ପ୍ଳଟ ନମ୍ବର ୩୦୮୬/୧ରେ ଓ ହାଲ ଖାତା ନମ୍ବର ୨୨୨/୧୭, ପ୍ଳଟ ନମ୍ବର ୪୯୦ ଓ ୪୯୦/୬୮୭ ଓ ୪୯୦ରେ ଏ୦.୫୦ଡିସିମିଲ ଜମି ୱାର୍ଡ ନଂ-୭ ନିବାସୀ ସ୍ୱର୍ଗତ ମଦନ ମୋହନ ସାହୁଙ୍କ ପୁଅ ନିରଞ୍ଜନ ସାହଙ୍କୁୁ ଦେବୋତ୍ତର ବିଭାଗ ପକ୍ଷରୁ ଡିଡ ନମ୍ବର ୩୧୭୧/୧୫.୦୬.୮୪ ଅନୁସାରେ  ଭିଡିଓ ହଲ କରିବା ନିମନ୍ତେ ବିଭାଗର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ୯୦ ବର୍ଷ ନିମନ୍ତେ ଲିଜ ସୂତ୍ରରେ ନେଇଥିଲେ । ମାତ୍ର ଉକ୍ତ ପ୍ଲଟରେ ଶ୍ରୀସାହୁ ଭିଡ଼ିଓ ହଲ ନିର୍ମାଣ କରିବା ପରିବର୍ତ୍ତେ ଲିଜରେ ରହିଥିବା ବିଭିନ୍ନ ର୍ସତ୍ତକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରି ସାଇ ବିନାୟକ ନାମରେ ଏକ ବିବାହ ମଣ୍ଡପ ନିର୍ମାଣ କରି ବ୍ୟବସାୟ କରିବା ସଂଗେ ସଂଗେ ସମ୍ମୁଖରେ ଦୋକାନ ଗୃହ ଓ କୋଠରୀ ଆଦି ନିର୍ମାଣ କରି ମଣିପୁରମ ଫାଇନାନ୍ସ କମ୍ପାନୀ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭଡ଼ା ସୂତ୍ରରେ ଲଗାଇ ପ୍ରତ୍ୟେକ ମାସ ହଜାର ହଜାର ଟଙ୍କା ଆୟ ଉପାର୍ଜନ କରିଆସୁଛନ୍ତିି । ଏଥି ସହିତ ଶ୍ରୀସାହୁ ଲିଜରେ ନେଇଥିବା ପ୍ଲଟକୁ ସଂଯୋଗ କରିଥିବା ଅନ୍ୟ ଏକ  ଦେବୋତ୍ତର ବିଭାଗର ଜମି ଏ୦.୧୪ ଡେସିମିଲକୁ ଜବର ଦଖଲରେ ରଖିଆସିଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ଲିଜ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ତତ୍କାଳୀନ ଆଇଏଏସ ପ୍ରବେସନର ସଞ୍ଜୀବ ଚୋପ୍ରା ଭାରତୀୟ ଦଣ୍ଡବିଧି ଆଇନ ୧୧୧(ଜି) ଟ୍ରାନ୍ସଫାର ଅଫ୍ ପ୍ରୋପାର୍ଟି ଆକ୍ଟ ବଳରେ ୧୯୯୪ ଜୁନ ୨୯ଠାରୁ ସମ୍ପୃକ୍ତ ଲିଜକୁ ବାତିଲ କରିବା ସହିତ୧୫ ଦିନ ମଧ୍ୟରେ ଦେବୋତ୍ତର ବିଭାଗର ଉକ୍ତ ଜମି ଫେରାଇ ଆଣିବା ନିମନ୍ତେ ଏକ ଆଦେଶନାମା ଜାରି କରିଥିଲେ । କେବଳ ଏତିକି ନୁହେଁ ଆଇନ ଅନୁସାରେ ଶ୍ରୀସାହୁଙ୍କ ବିରୋଧରେ କାର୍ଯାନୁଷ୍ଠାନ  ଗ୍ରହଣ କରିବା ଓ ଶ୍ରୀସାହୁ ଲିଜରେ ପ୍ରଦାନ କରିଥିବା ଦୋକାନର ମାଲିକମାନଙ୍କୁ ମଧ୍ୟ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ନୋଟିସ ମାଧ୍ୟମରେ ଲିଜ ବାତିଲ ସମ୍ପର୍କରେ ଅବଗତ କରାଇବା ସହ ନୂତନ ଭାବେ ଦେବୋତ୍ତର ବିଭାଗଠାରୁ ଲିଜ ସୂତ୍ରରେ ଦୋକାନ ଘର ନେବାକୁ ଆବେଦନ କରିବା ପାଇଁ ୧୯୯୪ ମସିହା ଜୁଲାଇ ୨ ତାରିଖରେ ପତ୍ର ସଂଖ୍ୟା ୪୯୭୩ ବଳରେ ଆଦେଶ ଦେଇଥିଲେ ।  ସେହିପରି ନୋଟିସ ପାଇବାର ପରବର୍ତ୍ତି ଦିନଠାରୁ ଶ୍ରୀସାହୁଙ୍କ ନିକଟରୁ ଦୋକାନ ଗୃହ ଭଡ଼ା ସୂତ୍ରରେ ନେଇ ଥିବା ସଂପୃକ୍ତ ଦୋକାନ ମାଲିକ ଲିଜ ଧାରି ଶ୍ରୀସାହୁଙ୍କୁ ଦୋକାନ ଭଡା ପ୍ରଦାନ ନକରି ବ୍ୟବସାୟ ପ୍ରତିଷ୍ଠାନ  ଚାଲୁ ରଖିପାରିବେ । ଏଥି ନିମନ୍ତେ ନୂତନ ଭାବେ ଦେବୋତ୍ତର ବିଭାଗକୁ ଆବେଦନ କରିବା ପାଇଁ ନୋଟିସରେ ବିଭାଗର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଏକ ଆଦେଶନାମା ଜାରି କରିଥିଲେ ଏବଂ ୧୯୯୪ ଜୁନ ୨୯ଠାରୁ ଏହି ସମସ୍ତ ଜମି ସାଙ୍ଗକୁ ମାର୍କେଟ କମ୍ପେ୍ଲକ୍ସର ମାଲିକାନା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କର ବୋଲି ଉକ୍ତ ଆଦେଶ ନାମାରେ ଦର୍ଶାଯାଇଥିଲା ।  ମାତ୍ର ଇତି ମଧ୍ୟରେ ୨୪ ବର୍ଷ ୧ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଦେବୋତ୍ତର ବିଭାଗ ଉକ୍ତ ଲିଜ ଜମିକୁ ନିରଞ୍ଜନ ସାହୁଙ୍କ ନିକଟରୁ ଫେରାଇ ଆଣିବାକୁ ଅଦ୍ୟାବଧି ସକ୍ଷମ ହୋଇପାରି ନାହିଁ । ଏହି ସମ୍ପତିର  ବଜାର ମୂଲ୍ୟକୁ ଆକଳନ କଲେ ୨୦ କୋଟିରୁ ଉର୍ଧ୍ଵ  ହେବ । ଲିଜ ବାତିଲ ପରବର୍ତ୍ତି ସମୟଠାରୁ ଅଦ୍ୟାବଧି ଦେବୋତ୍ତର ବିଭାଗ ଉକ୍ତ ସମ୍ପତିରୁ ଫଟା କଉଡ଼ିଟିଏ ରାଜସ୍ୱ ପାଇପାରୁ ନାହିଁ । ଏହା ମଧ୍ୟରେ ଦେବୋତ୍ତର ବିଭାଗର ୨୬ରୁ ଅଧିକ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲାପାଳ ବଦଳିଲେଣି । ଦାୟିତ୍ୱ ଗ୍ରହଣ କରୁଥିବା ନିର୍ବାହୀ  ଅଧିକାରୀ ତଥା ବାରିପଦା ଉପଜିଲାପାଳ ଫାଇଲ ଖୋଜି କାର୍ଯାନୁଷ୍ଠାନ  ପାଇଁ ପ୍ରସ୍ତୁତ ହୁଅନ୍ତି ଓ ପରେ କୌଣସି କାରଣରୁ କାର୍ଯାନୁଷ୍ଠାନ ଫାଇଲ ଭିତରେ ସବୁ ଦିନ ପାଇଁ ହଜାଇ ଦେଇଥାନ୍ତି । ଫାଇଲ ପୁଣି ଥରେ ଗଦା ମଧ୍ୟରେ ଅଳନ୍ଧୁ ଧରିଥାଏ । କେବଳ ଏହି ସମ୍ପତି ନୁହେଁ, ଦେବୋତ୍ତର ବିଭାଗ ହାତରେ ରହିଥିବା ୪୪ ହଜାର ୬ଶହ ଏଳରରୁ ଅଧିକ ସମ୍ପତ୍ତି ପ୍ରଶାସନିକ ଅଧିକାରୀମାନଙ୍କର ସଲାସୁତୁରାରେ ଲୁଟ ହୋଇ ସାରିଛି । ପ୍ରକାଶ ଥାଉକି, ପ୍ରକାଶ ଚନ୍ଦ୍ର ମହାପାତ୍ର ଦେବୋତ୍ତର ଆୟୁକ୍ତ ଦାୟିତ୍ୱରେ ରହିଥିବା ସମୟରେ ବାରିପଦା ଦେବୋତ୍ତର ବିଭାଗର ସମ୍ପତିି ଓଡ଼ିଶାର ଯେକୌଣସି ଦେବୋତ୍ତର ବିଭାଗଠାରୁ ଧନଶାଳୀ ବୋଲି ମତ ବ୍ୟକ୍ତ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଦେବୋତ୍ତର ବିଭାଗ ଅଧୀନରେ ଏତେ ସମ୍ପତ୍ତି ରହିଥିଲା, ତେବେ ତାହା ଗଲା କେଉଁ ଆଡେ଼ । ମହାପ୍ରଭୂ ନାବାଳକ ହୋଇଥିବା କାରଣରୁ ତାଙ୍କର ସମ୍ପତି ବିକ୍ରି ହୋଇ ନ ପାରିବାର ଆଇନ ରହିଛି । ଯଦି ମହାପ୍ରଭୂଙ୍କର ସମ୍ପତ୍ତି ସୁରକ୍ଷିତ ରହିଛି ତେବେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅଭାବ ଅନାଟନ କାରଣରୁ ଅଧିକାଂଶ ସମୟରେ ମହାପ୍ରଭୂଙ୍କ ନୀତି ନିୟମରେ ବିଭ୍ରାଟ ଘଟୁଛି  । ଯାହା ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କ ମନରେ ଶକ୍ତ ଆଘାତ ପହଁଞ୍ଚାଇଛି । 

         ବର୍ତ୍ତମାନ ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିବା ଡ଼ଃ. ଅରୁଣ ସାହୁ ଓଡ଼ିଶା ଆଇନ ଓ ପାଞ୍ଚାୟତିରାଜ ମନ୍ତ୍ରୀ ଦାୟିତ୍ୱରେ ରହିଥିବା ସମୟରେ ୨୦୧୫ ଜୁନ ୬ ଶନିବାର ଦିନିକିଆ ବାରିପଦା ଗସ୍ତ ସମୟରେ ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସେବାୟତମାନେ ସହରରେ ଥିବା ମଠ ମନ୍ଦିରର ସମସ୍ୟା ସହିତ ସେବାୟତମାନଙ୍କର ୧୨ ଦଫା ଦାବିକୁ ନେଇ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହା ପରେ ୨୦୧୫ ଜୁନ ୧୩ ଶୁକ୍ରବାର ଉପନଗରପାଳ ଶ୍ରୀ ମହାନ୍ତି ଓ ବିଜେଡ଼ି ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ବାରିପଦା ସହରରେ ମଠମନ୍ଦିରମାନଙ୍କରେ କାର୍ଯ୍ୟରତ ସେବାୟତମାନଙ୍କର ଏକ ୧୪ ଜଣିଆ ପ୍ରତିନିଧି ମଣ୍ଡଳୀକୁ ଧରି ଭୂବନେଶ୍ୱରରେ ମନ୍ତ୍ରୀ ଡ଼ଃ.ସାହୁଙ୍କୁ ସାକ୍ଷାତ କରିବା  ପରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ  ଏକ ବୈଠକ ଉପବାଚସ୍ପତି ତଥା ବାରିପଦା ବିଧାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ୧୯୪୯ ମସିହା ଜାନୁୟାରୀ ପହିଲା ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ଜାନୁୟାରୀ ୨ ତାରିଖରୁ ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ଜିଲ୍ଲାଭାବେ ଶାସିତ ହେବା ପରେ ବାରିପଦା ମଠମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନିମନ୍ତେ ଏହା ସର୍ବପ୍ରଥମ ଓ ଐତିହାସିକ ବୈଠକ ରହିଥିଲା । ବୈଠକରେ ରାଜ୍ୟ ସରକାରଙ୍କର ଆଇନ ବିଭାଗ ସଚିବ, ରାଜ୍ୟ ଦେବୋତ୍ତର ବିଭାଗର କମିଶନର ପ୍ରମୁଖଙ୍କ ସମେତ ରାଜ୍ୟ ସରକାରଙ୍କର ଉଚ୍ଚସ୍ତରୀୟ ବିଭାଗୀୟ ପଦାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ବାରିପଦା ଦେବୋତ୍ତର ଓଡ଼ିଶାର ଏକ ଧନଶାଳୀ ବିଭାଗ ହୋଇ ଥିବାରୁ ଭୂବନେଶ୍ୱରଠାରେ ବସି ତା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ସମ୍ଭବ ପର ହେବ ନାହିଁ ବୋଲି ମନ୍ତ୍ରୀଙ୍କ  ହୃଦବୋଧ ହୋଇଥିଲା । ତେଣୁ ଏକ ସପ୍ତାହ ମଧ୍ୟରେ ଦେବୋତ୍ତର ବିଭାଗ କମିଶନର ବାରିପଦା ଗସ୍ତରେ ଯାଇ ମଠମନ୍ଦିରର ବିଭିନ୍ନ ସ୍ଥିତି, ସମ୍ପତ୍ତି ଆଦି ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ସେବାୟତମାନଙ୍କର ବିଭିନ୍ନ ଦାବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡ଼ଃ.ସାହୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ୨୦୧୬ ଜୁନ ୨୪ରେ  ଦେବେତ୍ତର ବିଭାଗର ଏଣ୍ଡୋଓମେଣ୍ଟ କମିଶନର ବାରିପଦା ଗସ୍ତରେ ଆସି ସହରରେ ରହିଥିବା ମଠମନ୍ଦିରର ସ୍ଥିତିକୁ ଅନୁଧ୍ୟାନ କରିବା ସମୟରେ ତତ୍କାଳୀନ  ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ସତ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତା ଓ ବାରିପଦା ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ଶ୍ରୀମାର୍ଣ୍ଡିଙ୍କ ଉପସ୍ଥିତିରେ ବାରିପଦା ସାର୍କିଟ ହାଉସଠାରେ ମଠମନ୍ଦିରର ସେବାୟତମାନଙ୍କ ସହିତ ଏକ ବୈଠକରେ ମଧ୍ୟ ସାଇ ବିନାୟକ ବିବାହ ମଣ୍ଡପ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏଣ୍ଡୋଓମେଣ୍ଟ କମିଶନର ଫାଇଲକୁ ଅନୁଧ୍ୟାନ କରି ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଥିଲେ । ମାତ୍ର ଏହା ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରି ଥିଲେ ମଧ୍ୟ କମିଶନରଙ୍କ କଥା ପାଣିରେ ଗାର ହୋଇ ସାରିଛି । ସେହିପରି ଦେବୋତ୍ତର ବିଭାଗର ନିବାହୀ ଅଧିକାରୀ ତଥା ବାରିପଦା ଉପଜିଲାପାଳ ଦାୟିତ୍ୱରେ ବାରିପଦା ତହସିଲଦାର ଦିଗନ୍ତ ରାଉତରାୟ ରହିଥିବା ସମୟରେ ସାଇ ବିନାୟକ ବିବାହ ମଣ୍ଡପକୁ ଦେବୋତ୍ତର ବିଭାଗ ହାତକୁ ଫେରାଇ ଆଣିବା ନିମନ୍ତେ ଆବଶ୍ୟକ କାର୍ଯାନୁଷ୍ଠାନ  ଗ୍ରହଣ ନିମନ୍ତେ ଏଣ୍ଡୋମେଣ୍ଟ କମିଶନରଙ୍କଠାରୁ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତି ନିମନ୍ତେ ଏକ ପତ୍ର ଲେଖିଥିଲେ ମଧ୍ୟ ଏଣ୍ଡୋମେଣ୍ଟ କମିଶନର କୌଣସି କାରଣରୁ ନୀରବ ଦ୍ରଷ୍ଟା ସାଜିଥିଲେ । ଏହାପରେ ବାରିପଦା ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶରତ କୁମାର ପୁରୋହିତ ଏଣ୍ଡୋମେଣ୍ଟ କମିଶନରଙ୍କୁ ସାଇ ବିନାୟକ ବିବାହ ମଣ୍ଡପର ମାଲିକ ନିରଞ୍ଜନ ସାହୁଙ୍କ ନାମରେ ମାମଲା ରୁଜୁ କରାଯିବା ନିମନ୍ତେ ଅନୁମତି ନେଇ ୨୦୧୭ ମାର୍ଚ୍ଚ ୨ରେ ମାମଲା ରୁଜୁ କରିଥିଲେ । କିନ୍ତୁ ମାମଲାଟି କେଉଁ ଦିନ ଫଇସଲା ହେବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀପୁରୋହିତ ବାରିପଦା ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ସମୟରେ ସାଇ ବିନାୟକ ବିବାହ ମଣ୍ଡପ ଫାଇଲକୁ ଅନୁଧ୍ୟାନ କରି ବିହିତ କାର୍ଯାନୁଷ୍ଠାନ  ଗ୍ରହଣ କରିବା ନିମନ୍ତେ ପୂର୍ବତନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ପରାମର୍ଶ ଦେବା ପରେ ଫାଇଲକୁ ବିସ୍ତୃତ ଭାବେ ତନ୍ନତନ୍ନ ପରଖି ଥିଲେ । ସେଥିରେ ରହିଥିବା ସମସ୍ତ ନିୟମକାନୁନ ମଧ୍ୟରୁ ଲିଜଧାରୀ  ଶ୍ରୀସାହୁ  ୧୩ଟି ନିୟମକୁ ଉଲ୍ଲଙ୍ଘନ କରିଥିବାର ଉପଜିଲ୍ଲାପାଳ ଶ୍ରୀ ପୁରୋହିତ ଜାଣିବାକୁ ପାଇଥିଲେ । ଏହାପରେ ଏଣ୍ଡୋଓମେଣ୍ଟ କମିଶନଙ୍କ ଅନୁମତି ଓ ଓକିଲ ପରାମର୍ଶ କ୍ରମେ ଏକ ମାମଲା ଏଣ୍ଡୋଓମେଣ୍ଟ କମିଶନଙ୍କ ନିକଟରେ ରୁଜୁ କରିଥିଲେ । କେବଳ ସାଇ ବିନାୟକ ବିବାହ ମଣ୍ଡପ ନୁହେଁ ଜନସାଧାରଣ ଜବରଦଲରେ ରଖିଆସିଥିବା ଦେବୋତ୍ତର ବିଭାଗର କେତେକ ସମ୍ପତିକୁ ଫେରାଇ ଆଣିବା ନିମନ୍ତେ ପ୍ରାୟ ୫୦ରୁ ଅଧିକ ଜବରଦଖଲକାରୀଙ୍କ ନାମରେ ମାମଲା ମଧ୍ୟ ରୁଜୁ କରଥିଲେ । ଶ୍ରୀପୁରୋହିତଙ୍କ ବଦଳି ପରେ ବାରିପଦା ଉପଜିଲ୍ଲାପାଳ ଭାବେ ମହମ୍ମଦ ଅବ୍ଦାଲ୍ ଅଖ୍ତର ଦାୟିତ୍ୱ ଗ୍ରହଣ କରିଥିଲେ; କିନ୍ତୁ ସେ ଅଣହିନ୍ଦୁ ହୋଇଥିବାରୁ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଦାୟିତ୍ୱ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ହାତରେ ପୂର୍ବତନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଟେକି ଦେଇଥିଲେ । ମାତ୍ର ଶ୍ରୀନାୟକ ଦେବୋତ୍ତର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଦେବୋତ୍ତର ବିଭାଗର ବିଭିନ୍ନ ବିଷୟରେ ଅଜ୍ଞ ରହିଥିବାର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ସାଇ ବିନାୟକ ବିବାହ ମଣ୍ଡପର ସ୍ଥିତାବସ୍ଥା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାୟକଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚଳିତ ଅଗଷ୍ଟ ୮ ବୁଧବାର ସାକ୍ଷାତ କରିବା ପରେ ଜଣାପଡ଼ିଥିଲା । ଶେଷରେ ସାଇ ବିନାୟକ ବିବାହ ମଣ୍ଡପ ପ୍ରସଙ୍ଗରେ ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିଶ୍ୱ ରଞ୍ଜନ ମହାନ୍ତିଙ୍କୁ ସାକ୍ଷାତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ଶ୍ରୀମହାନ୍ତି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସୂଚନା ପ୍ରାପ୍ତି ସମ୍ଭବ ହୋଇପାରି ନ ଥିଲା । ବର୍ତ୍ତମାନ ଏହି ବିବାହ ମଣ୍ଡପ ପରିବର୍ତ୍ତେ ହୋଟେଲ ସାଇ ବିନାୟକକୁ ପରିବର୍ତ୍ତିତ ହୋଇଥିବା ପରିଲକ୍ଷିତ ହୋଇଥିବା ବେଳେ ହୋଟେଲର କୌଣସି ନିୟମ ତଥା ଆଇନ କାନୁନକୁ ପାଳନ କରିନଥିବା ବିଷୟ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

 

0
0
0
s2sdefault